ନାମାଙ୍କନ ବେଳେ ଶକ୍ତି ପ୍ରଦର୍ଶନ । ପଟୁଆରରେ ଆସି ପ୍ରାର୍ଥୀପତ୍ର ଦାଖଲ କଲେ ପ୍ରାର୍ଥୀ । ଜାଣନ୍ତୁ, ଆଜି କିଏ କିଏ ଭରିଲେ ନାମାଙ୍କନ?

116

କନକ ବ୍ୟୁରୋ: ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନାମାଙ୍କନ ଭରିଛନ୍ତି ନେତା । ପ୍ରବଳ ଖରା ସତ୍ତେ୍ୱ ଦଳ ବଳ ନେଇ, ଯାଇ ନିର୍ବାଚନ ଅଧିକାରୀଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ପ୍ରାର୍ଥୀ । ପୂର୍ବ ଓଡିଶାରୁ ପଶ୍ଚିମ ଓଡିଶା, ବିଭିନ୍ନ ସ୍ଥାନରୁ ଆସିଛି ଏଭଳି ଖବର ।

  • ନାମାଙ୍କନ ବେଳେ ପ୍ରାର୍ଥୀଙ୍କ ଶକ୍ତି ପ୍ରଦର୍ଶନ
  • ବିଶାଳ ଶୋଭାଯାତ୍ରା କଲେ, ଦମ୍ ଦେଖାଇଲେ

ପୁରୀ ସଂସଦୀୟ କ୍ଷେତ୍ରର ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର, ପିପିଲ ବିଜେପି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ବିଶାଳ ରାଲି କରି ଆସି ନାମାଙ୍କନ ଦାଖଲ କରିଛନ୍ତି । ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ପୁରୀ ଜିଲ୍ଳାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଓ ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଉପ ଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ସେହିପରି ପୁରୀ ବିଜେଡି ପ୍ରାର୍ଥୀ ସୁନୀଲ ମହାନ୍ତି ସମର୍ଥକଙ୍କୁ ନେଇ ବିଶାଳ ଶୋଭାଯାତ୍ରା କରିବା ସହ ନାମାଙ୍କନ ଭରିଛନ୍ତି । ସତ୍ୟବାଦୀ ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସବର୍ମା ନାମାଙ୍କନ ଦାଖଲ କରିଛନ୍ତିି । ସ୍ୱାଧୀନ ପ୍ରାର୍ଥୀ ହରେକୃଷ୍ଣ ସିଂହାରୀ ମଧ୍ୟ ନାମାଙ୍କନ ଭରିଛନ୍ତି ।

ସେପଟେ ନାମାଙ୍କନ ପୂର୍ବରୁ ରାଉରକେଲାରେ ଦମ୍ ଦେଖାଇଛନ୍ତି ରାଉରକେଲାର ବିଧାନସଭା ପ୍ରାର୍ଥୀ ଦିଲ୍ଲୀପ ରାୟ । ବହୁ ସଂଖ୍ୟା ସମର୍ଥକଙ୍କୁ ସାଙ୍ଗରେ ନେଇ ଶୋଭାଯାତ୍ରା କରିବା ସହ, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ରଘୁନାଥପଲ୍ଳୀ ବିଜେପି ବିଧାୟକ ପ୍ରାର୍ଥୀ ଦୁର୍ଗା ତନ୍ତୀ, ବୀରମିତ୍ରପୁର ବିଜେପି ବିଧାୟକ ପ୍ରାର୍ଥୀ ଶଙ୍କର ଓରାମ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେହିପରି ବିଶାଳ ପଟୁଆରରେ ଆସି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବଲାଙ୍ଗୀର ସଂସଦୀୟ କ୍ଷେତ୍ରରୁ ବିଜେପି ପ୍ରାର୍ଥୀ ହୋଇଥିବା ସଂଗୀତା ସିଂଦେଓ । ବିଜେପି ବିଧାୟକ ପ୍ରାର୍ଥୀ, ମୁକେଶ ମହାଲିଙ୍ଗ, ନବୀନ ଜୈନ, ଗୋପାଳଜୀ ପାଣିଗ୍ରାହୀ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତା ସହ ବ୍ରଜରାଜନଗର କଂଗ୍ରେସ ବିଧାୟକ ପ୍ରାର୍ଥୀ କିଶୋର ପଟେଲ ପ୍ରବଳ ଖରା ସତ୍ୱେ ଦମ୍ ଦେଖାଇଛନ୍ତି । ବିଶାଳ ରାଲି କରି ଆସି ଝାରସୁଗୁଡା ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଛନ୍ତି ।

ଅନ୍ୟପଟେ କନ୍ଧମାଳ ଲୋକସଭା ଆସନରେ ବିଜେଡି ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ନାମାଙ୍କନ ଭରିଛନ୍ତି । ବିଜେଡିର ବିଧାୟକ ପ୍ରାର୍ଥୀ ଓ ହଜାର ହଜାର ସମର୍ଥକଙ୍କ ସହ ଆସି ସେ ନାମାଙ୍କନ ଦାଖଲ କରିଛନ୍ତି । ସେହିପରି ଆଠଗଡ ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସୂଚନାଯୋଗ୍ୟ ଯେ, ଓଡିଶାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ୬ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଚାଲିବ । ମେ ୭ରେ ଯାଞ୍ଚ ଓ ମେ ୯ରେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି ।