ଆଇପିଏଲରେ ଲାଗୁ ହୋଇପାରେ ‘ପାୱାର ପ୍ଲେୟାର’ ନିୟମ । ମ୍ୟାଚ୍ ମଝିରେ ବଦଳିବେ ଖେଳାଳି, ରୋମାଞ୍ଚକର ହେବ ମ୍ୟାଚ୍ ।

4,111

ବଦଳିବ ଆଇପିଏଲ ଢାଞ୍ଚା । ମ୍ୟାଚ୍ ମଝିରୁ ବଦଳିବେ ଖେଳାଳି । ଫଟାଫଟ୍ କ୍ରିକେଟର ଏହି ଫର୍ମାଟକୁ ଆହୁରି ରୋମାଞ୍ଚକର କରିବାକୁ ଆଇପିଏଲ ନିୟମରେ ଏକ ବଡ ଧରଣର ପରିବର୍ତ୍ତନ ହେବାକୁ ଯାଉଛି । ଆଇପିଏଲରେ ପାୱାର ପ୍ଲେୟାର ନିୟମ ଲାଗୁ କରିବାକୁ ଯୋଜନା ପ୍ରସ୍ତୁତ କରୁଛି ବିସିସିଆଇ । ଏହି ନୂଆ ନିୟମକୁ ଆଇପିଏଲର ଆଗାମୀ ସଂସ୍କରଣରେ ଲାଗୁ କରାଯାଇପାରେ । ନୂଆ ନିୟମ ଅନୁଯାୟୀ, ମ୍ୟାଚ୍ ମଝିରେ ୱିକେଟ ଯିବା ପରେ ଏବଂ ଓଭର ସରିବା ପରେ ମଧ୍ୟ ଖେଳାଳି ବଦଳା ଯାଇପାରିବ ।

ବିସିସିଆଇର ଏକ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ନୂଆ ନିୟମକୁ ମଞ୍ଜୁରୀ ମିଳିବା ପୂର୍ବରୁ ମଙ୍ଗଳବାର ହେବାକୁ ଥିବା ଆଇପିଏଲର ଗଭଣ୍ଣିଂ କାଉନସିଲ ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯିବ । ନୂଆ ନିୟମରେ ଦଳ ଗୁଡିକ ପ୍ଲେଇଙ୍ଗ-୧୧ ବଦଳରେ ମ୍ୟାଚ୍ ପାଇଁ ୧୫ ଜଣ ଖେଳାଳିଙ୍କୁ ବାଛିବେ । ଏପରିକି ମ୍ୟାଚ୍ ମଝିରେ ୱିକେଟ ଯିବା ପରେ କିମ୍ବା ଓଭର ଶେଷ ହେବା ପରେ ମଧ୍ୟ ଦଳରେ କୌଣସି ଖେଳାଳିଙ୍କୁ ସାମିଲ କରାଯାଇପାରିବ । ଖୁବଶୀଘ୍ର ଏହାକୁ ଆଇପିଏଲରେ ଲାଗୁ କରାଯିବ । ଏପରିକି ଆଗାମୀ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ମଧ୍ୟ ଏହି ନୂଆ ନିୟମ ଲାଗୁ କରାଯାଇପାରେ ବୋଲି କହିଛନ୍ତି ବିସିସିଆଇର ଏହି ଅଧିକାରୀ ।

ଏହି ନୂଆ ନିୟମ ଲାଗୁହେଲେ ଆଇପିଏଲ ମ୍ୟାଚ୍ ଗୁଡିକର ଫଳାଫଳ କେଉଁ ମୁହୂର୍ତ୍ତରେ ବଦଳିଯିବ ତାହା କହିବା ମୁସ୍କିଲ । ପ୍ରତି ଦଳ ଏହି ନୂଆ ନିୟମର ଲାଭ ଉଠାଇପାରିବେ । ଏପରିକ ପୂର୍ବପେକ୍ଷା ଆଇପିଏଲ ଆହୁରି ରୋମାଞ୍ଚକର ହେବ ।