କନକ ବ୍ୟୁରୋ : କଟକ ବଡ଼ ମେଡିକାଲ ଏସସିବିରେ ବଡ଼ ଅବ୍ୟବସ୍ଥା । ଆଜି ପୁଣି ନିଦାନ ବିଭାଗରେ ବିଦ୍ୟୁତ୍ ବିଭ୍ରାଟ । ସୂଚନା ଅନୁସାରେ ନିଦାନ ବିଭାଗରେ ପ୍ରାୟ ୬ଘଣ୍ଟା ହେଲାଣି ବିଦ୍ୟୁତ ନାହିଁ । ନିଦାନ ବିଭାଗରେ ବିଦ୍ୟୁତ ନଥିବାରୁ ବିଭିନ୍ନ ପରୀକ୍ଷା ବାଧାପ୍ରାପ୍ତ ହୋଇଛି । ଯାହା ଫଳରେ ବହୁ ଗୁରୁତର ରୋଗୀଙ୍କ ଚିକିତ୍ସାରେ ସମସ୍ୟା ଉପୁଜିଛି । ଗତକାଲି ମଧ୍ୟ ଏସବିରେ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା ।

Kanak News is now on WhatsApp
Join and get latest news updates delivered to you via WhatsApp
ପ୍ରାୟ ୧୦ଘଣ୍ଟା ଧରି ବିଜୁଳି କଟିଯିବାରୁ ଏକାଧିକ ବିଭାଗ ଅନ୍ଧାରରେ ରହିଥିଲା । ଆନାଟୋମି ୱାର୍ଡ, ଶବ ସଂରକ୍ଷଣ ଗୃହ, ସ୍କିନ ଓ ମେଡିସିନ୍ ବିଭାଗର କିଛି ଅଂଶରେ ଲାଇନ କଟିଯାଇଥିଲା । ଏମିତି କି ପମ୍ପ ହାଉସରେ ଲାଇନ ନଥିବାରୁ ବିଭିନ୍ନ ୱାର୍ଡକୁ ଜଳ ଯୋଗାଣ ହୋଇ ପାରିନଥିଲା । ଫଳରେ ଚିକିତ୍ସା ସେବା ପ୍ରଭାବିତ ହୋଇଥିବା ବେଳେ ରୋଗୀ ମାନେ ହନ୍ତସନ୍ତ ହୋଇଥିଲେ । ଏପରିକି ମେଡିସିନ୍ ବିଭାଗରେ ରୋଗୀଙ୍କୁ ମୋବାଇଲ୍ ଲାଇଟ୍ରେ ଇଞ୍ଜେକ୍ସନ୍ ଦିଆଯାଉଥିବାର ଦୃଶ୍ୟ ସାମନାକୁ ଆସିଥିଲା । କିଛି ଘଣ୍ଟା ପରେ ଡିଜିରେ ବିଦ୍ୟୁତ୍ ଯୋଗାଣ କରାଯାଇଥିଲା । ହେଲେ ୱାର୍ଡରେ ପଙ୍ଖା ନଚାଲିବାରୁ ରୋଗୀ ହନ୍ତସନ୍ତ ହୋଇଥିଲେ ।
ବିଳମ୍ବିତ ରାତି ପର୍ଯ୍ୟନ୍ତ ଏସ୍ସିବିରେ ବିଦ୍ୟୁତ୍ ସେବା ସମ୍ପୂର୍ଣ୍ଣ ଭାବେ ସ୍ୱାଭାବିକ ହୋଇନଥିଲା । ଫଳରେ କିଛି ବିଭାଗରେ ଜରୁରୀକାଳୀନ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ହେଲେ, ଆଜି ପୁଣି ବିଦ୍ୟୁତ ବିଭ୍ରାଟ ହେବାକୁ ନେଇ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ଏସସିବିକୁ ଯେତେବେଳେ ବିଶ୍ୱସ୍ତରୀୟ ଓ ଏମ୍ସ ପ୍ଲସ କରିବା ନେଇ ରାଜ୍ୟ ସରକାର ସ୍ୱପ୍ନ ଦେଖୁଛନ୍ତି, ସେତେବେଳେ ଏଭଳି ଅବ୍ୟବସ୍ଥା, ପୂରା ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ଲଗାଇ ଦେଇଛି ।