ବିଜୁଳୀ ଉପଭୋକ୍ତାଙ୍କୁ କେନ୍ଦ୍ର ସରକାରଙ୍କ ବଡ ଅଧିକାର: ବର୍ଷକୁ କେତେ ଥର ଏବଂ କେତେ ସମୟ ଧରି ହେବ ବିଦ୍ୟୁତ୍ କାଟ୍ ଏବେ ଉପଭୋକ୍ତାଙ୍କୁ ଗୋଟି ଗୋଟି କରି ହିସାବ ଦେବେ ବିଜୁଳୀ ବିତରକ ସଂସ୍ଥା; ବିନା ଜଣାଇ ଲାଇନ୍ କାଟିଲେ ଫାଇନ ଭରିବେ କଂପାନୀ ।

592

କନକ ବ୍ୟୁରୋ: ଦେଶବ୍ୟାପୀ ବିଜୁଳି ଉପଭୋକ୍ତାଙ୍କୁ ମିଳିବ ନୂଆ ଶକ୍ତି । ଜନତାଙ୍କ ହିତକୁ ନଜରରେ ରଖି ପ୍ରଥମ ଥର ପାଇଁ ବିଜୁଳି ଉପଭୋକ୍ତାଙ୍କ ଅଧିକାର ପାଇଁ ନୂଆ ଅଧିକାର ଆଣୁଛନ୍ତି ଭାରତ ସରକାର । ତେବେ ସରକାରଙ୍କ କହିବାନୁସାରେ, ବିଜୁଳି ଉପଭୋକ୍ତାଙ୍କ ଯୋଗୁଁ ହିଁ ପାୱାର ସେକ୍ଟର ତିଷ୍ଟି ରହିଛି । ଦେଶର ପ୍ରତିଟି ନାଗରିକଙ୍କୁ ବିଜୁଳି ଉପଲବ୍ଧ କରାଇବା ପରେ ଏଣିକି ସେମାନଙ୍କର ସନ୍ତୁଷ୍ଟି ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ଅଂଟା ଭିଡିବା ସହ Electricity (Rights of Consumers) Rules, ୨୦୨୦ ଲାଗୁ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର ।

କେତେ ଥର କଟିବ ବିଜୁଳୀ ସୂଚନା ଦେବେ କଂପାନୀ ?

ନୂଆ ଆଇନ ଅନୁସାରେ ବିଜୁଳି ବିତରଣ କଂପାନୀମାନଙ୍କୁ ଉପଭୋକ୍ତା ପ୍ରତିବର୍ଷ ବିଜୁଳି କାଟ୍ ସର୍ବମୋଟ୍ କେତେ ଥର ହେବ ଏବଂ କେତେ ସମୟ ପାଇଁ ବିଜୁଳି କାଟ୍ କରାଯିବ ସେନେଇ ସମୟ ସୀମା ସ୍ଥିର କରିବେ ।

ବିଜୁଳି ସଂଯୋଗ ହେବ ଆହୁରି ସହଜ

• ୧୦କିଲୋୱାଟ ଲୋଡ଼ ପର୍ୟ୍ୟନ୍ତ ବିଜୁଳି ସଂଯୋଗ ସକାଶେ ଉପଭୋକ୍ତାମାନଙ୍କୁ କେବଳ ଦୁଇଟି ମାତ୍ର ଡକୁମେଣ୍ଟ ଦେବାକୁ ପଡ଼ିବ ଏବଂ ୧୫୦କିଲୋୱାଟ ପର୍ୟ୍ୟନ୍ତ ସଂଯୋଗ ପ୍ରଦାନ ନିମନ୍ତେ କାର୍ୟ୍ୟ ତ୍ୱରାନ୍ୱିତ କରିବା ପାଇଁ କୌଣସି ଆକଳନ ଚାର୍ଜ ଦାବି କରାଯିବ ନାହିଁ ।

• ନୂତନ ବିଜୁଳି ସଂଯୋଗ ପାଇଁ କିମ୍ବା ବର୍ତ୍ତମାନର ସଂଯୋଗରେ ପରିବର୍ତ୍ତନ ସକାଶେ ମେଟ୍ରୋ ସିଟିମାନଙ୍କରେ ୭ଦିନରୁ ଅଧିକ ସମୟ ଲାଗିବନାହିଁ, ଅନ୍ୟାନ୍ୟ ମୁନିସିପାଲଟି କ୍ଷେତ୍ରରେ ଏହାର ଅବଧି ୧୫ଦିନ ମଧ୍ୟରେ ରହିବ ଏବଂ ଗ୍ରାମାଞ୍ଚଳରେ ଏହା ୩୦ଦିନ ମଧ୍ୟରେ ଯୋଗାଇ ଦିଆଯିବ ।

• ବିଲ୍ ପ୍ରଦାନରେ ଷାଠିଏ ଦିନ କିମ୍ବା ତଦୁର୍ଦ୍ଧ୍ଵ ସମୟର ବିଳମ୍ବ ସକାଶେ ୨ରୁ ୫ପ୍ରତିଶତ ରିବେଟ ପ୍ରଦାନର ବ୍ୟବସ୍ଥା ରହିବ ।

• ନଗଦ ରାଶି, ଚେକ୍, ଡେବିଟ୍ କାର୍ଡ଼, ନେଟ୍ ବ୍ୟାଙ୍କିଙ୍ଗ୍ ଇତ୍ୟାଦି ମାଧ୍ୟମରେ ବିଲ୍ ପୈଠର ସୁବିଧା ରହିବ କିନ୍ତୁ ୧୦୦୦ ଟଙ୍କା କିମ୍ବା ତଦୁର୍ଦ୍ଧ୍ଵ ରାଶି କେବଳ ଅନଲାଇନରେ ହିଁ ପେମେଣ୍ଟ କରାଯିବ ।

• ସଂଯୋଗ କାଟ, ପୁନଃ ସଂଯୋଗ, ମିଟର ବଦଳା, ବିଲିଂ, ପେମେଣ୍ଟ ଇତ୍ୟାଦି ସକାଶେ ବ୍ୟବସ୍ଥା କରାଯିବ ।

• କଂପାନୀମାନଙ୍କ ଦ୍ୱାରା ସେବା ପ୍ରଦାନରେ ବିଳମ୍ବ ଘଟିଲେ କ୍ଷତିପୂରଣ/ ଜୋରିମାନା ବ୍ୟବସ୍ଥା

• ନୂତନ ସଂଯୋଗ, ସଂଯୋଗ କାଟ, ପୁନଃ ସଂଯୋଗ, ସଂଯୋଗ ସ୍ଥାନାନ୍ତରଣ, ନାମ ଓ ଅନ୍ୟାନ୍ୟ ଠିକଣା ପରିବର୍ତ୍ତନ, ଲୋଡ଼ ପରିବର୍ତ୍ତନ, ମିଟର ପରିବର୍ତ୍ତନ, ଯୋଗାଣ ବନ୍ଦ୍ ରଖିବା ଇତ୍ୟାଦି ସହିତ ଏସଏମଏସ / ଇମେଲ୍ ସତର୍କତା ଆଦି ସୁବିଧା ନିମନ୍ତେ ୨୪x୭ ନିଃଶୁଳ୍କ କଲ୍ ସେଣ୍ଟର ଓ ମୋବାଇଲ ଆପ୍ଲିକେସନ ବ୍ୟବସ୍ଥା।

ତେବେ ଶକ୍ତି ମନ୍ତ୍ରାଳୟ ପକ୍ଷରୁ ସେପ୍ଟେମ୍ବର ୯, ୨୦୨୦ ତାରିଖ ଠାରୁ ଏହି ଚିଠା ନିୟମକୁ ସମସ୍ତଙ୍କ ଅବଗତି ପାଇଁ ପ୍ରସାରିତ କରାଯିବା ସହ ୩୦ ସେପ୍ଟେମ୍ବର ସୁଦ୍ଧା ଏ ସଂପର୍କରେ ଉପଭୋକକ୍ତାମାନଙ୍କ ଠାରୁ ମତାମତ ଲୋଡାଯାଇଛି ।