ଏକ ରୁ ତିନିବର୍ଷ ମଧ୍ୟରେ ପ୍ରତିଘରେ ଲାଗିବ ପ୍ରିପେଡ୍ ବିଜୁଳୀ ମିଟର ! ମାତ୍ର ୨୦ ଟଙ୍କା ଦେଇ ଗରିବ ଶ୍ରେଣୀର ଗ୍ରାହକ କରିପାରିବେ ରିଚାର୍ଜ । 

812

ଦେଶର ପ୍ରତିଟି ଘରେ ବିଜୁଳୀ ସଂଯୋଗ ଉପଲବ୍ଧ କରାଇବା ପରେ ସରକାରଙ୍କ ଆଗାମୀ ଲକ୍ଷ୍ୟ ପ୍ରତିଘରକୁ ୨୪ ଘଣ୍ଟା ବିଜୁଳୀ ସୁବିଧା ଯୋଗାଇଦେବା ରହିଛି । ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶ ଦ୍ୱିଦିବସୀୟ ସମ୍ମିଳନୀ ଆରମ୍ଭ କରି କେନ୍ଦ୍ର ବିଜୁଳୀ ମନ୍ତ୍ରୀ ରାଜକୁମାର ସିଂହ କହିଛନ୍ତି ଯେ ୧୬ ମାସ ଭିତରେ ୨.୬୬ କୋଟି ଘରକୁ ବିଜୁଳୀ ସଂଯୋଗ ଦିଆଯାଇଛି । ଏବେ ସରକାରଙ୍କ ନୂଆ ଲକ୍ଷ୍ୟ ପ୍ରତିଘରକୁ ୨୪ ଘଣ୍ଟିଆ ବିଜୁଳୀ ପହଁଚାଇବା ରହିଛି । ଏହାସହ ଯଦି ବିନା କାରଣରୁ କେଉଁ ସ୍ଥାନରେ ପାୱାର୍ କଟ୍ ହୁଏ ତେବେ ବିଜୁଳୀ ବିତରଣ କମ୍ପାନୀ ଉପରେ ଜରିମାନା ଲଗାଯିବ ଏବଂ ଏହାର ବିତରଣ ଗ୍ରାହକଙ୍କ ମଧ୍ୟରେ କରାଯିବ । ବିଜୁଳୀ ମନ୍ତ୍ରୀ କହିଛନ୍ତି ଯେ ସବୁ କୃଷି ପମ୍ପରେ ସୋଲାର୍ ସିଷ୍ଟମ୍ କରାଯିବ ଯାହାକୁ ଗ୍ରୀଡ୍ ସହ ସଂଯୋଗ କରାଯିବ । ସେଠାରେ ବାହାରୁଥିବା ସୋଲାର୍ ବିଜୁଳୀରେ ପମ୍ପ ଚାଲିବ ଏବଂ ବଳକା ବିଜୁଳୀ ଗ୍ରୀଡ୍ କୁ ଦିଆଯିବ । ଯେଉଁଥିରେ କୃଷକଙ୍କୁ ମଧ୍ୟ ଆୟର ଏକ ଭଲ ମାଧ୍ୟମ ମିଳିବ ।

ସବୁ ରାଜ୍ୟର ବିଜୁଳୀ ମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରି କୁହାଯାଇଥିଲା ଯେ , କୃଷକମାନେ ସିଞ୍ଚନରେ ବ୍ୟବହୃତ ହେଉଥିବା ପମ୍ପ୍ ପାଇଁ ଭିନ୍ନ ଫିଡର ପ୍ରସ୍ତୁତ କରାଯିବ । ତେବେ ଏଭଳି ବ୍ୟବସ୍ଥା ଗୁଜୁରାଟରେ ପୂର୍ବରୁ ରହିଛି । ସବୁ ରାଜ୍ୟକୁ ଏଥିପାଇଁ ପୁଞ୍ଜି କେନ୍ଦ୍ର ଦେବ ଏବଂ ଏହି କାମକୁ ୩ ବର୍ଷ ଭିତରେ ପୂରଣ କରିବା ପାଇଁ କେନ୍ଦ୍ର ପକ୍ଷରୁ ସବୁ ରାଜ୍ୟକୁ କୁହାଯାଇଛି । ବିଜୁଳୀ ମନ୍ତ୍ରୀ ରାଜକୁମାର ସିଂହ କହିଛନ୍ତି ଯେ , ୩ ବର୍ଷ ଭିତରେ ପ୍ରତିଘରେ ପ୍ରିପେଡ୍ ମିଟର ଲଗାଯିବ । ଯେଉଁଥିରେ ସବୁ ରାଜ୍ୟ ମଧ୍ୟ ଏକମତ ଅଛନ୍ତି । ଅନେକ ରାଜ୍ୟ ଏକବର୍ଷ ମଧ୍ୟରେ ହିଁ ଏହିକାମକୁ ସମ୍ପୁର୍ଣ୍ଣ କରିବାକୁ ଚାହୁଁଛନ୍ତି । ଏଥିରେ ଗରିବ ଶ୍ରେଣୀର ଗ୍ରାହକ ୨୦ ଟଙ୍କା ବିଜୁଳୀ ରିଚାର୍ଜ କରିବାର ସୁବିଧା ପାଇପାରିବେ । ଏଥିରେ ଡିସକମ୍ ଅଫିସକୁ ମଧ୍ୟ ଆଡଭାନ୍ସରେ ଟଙ୍କା ମିଳିଯିବ । ଏବେ ପର୍ଯ୍ୟନ୍ତ ବିଜୁଳୀ ବିଲ୍ ପ୍ରସ୍ତୁତ କରିବା ପାଇଁ ମିଟର ରିଡର୍ ରଖିବାକୁ ପଡୁଥିଲା । ଏହାକୁ ଡିସକନେକ୍ଟ କରିବା ପାଇଁ ମଧ୍ୟ କର୍ମଚାରୀଙ୍କୁ ରଖିବାକୁ ପଡୁଥିଲା । କିନ୍ତୁ ପ୍ରିପେଡ୍ ମିଟର ଲଗାଇବା ପରେ ଏଥିରୁ ଆରାମ୍ ମିଳିବ ।