ସାଉଥକୋର ଦୌରାତ୍ମ୍ୟ । ଅନ୍ଧାରରେ ମାଲାକାନଗିରି ଏମଭି-୮ ଗାଁର ୧୦୭ ପରିବାର । ବିଦ୍ୟୁତ୍ ସଂଯୋଗର ୮ ବର୍ଷ ପରେ ଏକାଥରକେ ବିଲ୍ ଆସିଲା, ପୈଠ କରି ନପାରିବାରୁ ଲାଇନ୍ କଟିଲା…

197

କନକ ବ୍ୟୁରୋ: ସାଉଥକୋର ଦୌରତ୍ମ୍ୟ । ଅନ୍ଧାରରେ ପୁରା ଗାଁ । ମାଲକାନଗିରି ଜିଲ୍ଲା ଏମ.ପି.ଭି – ୮ ଗାଁ ଏବେ ଅନ୍ଧାରରେ ରହିଛନ୍ତି । ଗାଁର ୧୦୭ଟି ପରିବାରର ବିଦ୍ୟୁତ ସଂଯୋଗ କାଟି ଦେଇଛି ସାଉଥକୋ । ଯାହା ଫଳରେ ଡିବିରି ଓ ମହହମବତୀ ଆଲୁଅରେ ଜୀବନ ବିତୁଛି ।

ଘରେ କରେଣ୍ଟ ନଥିବାରୁ ଛାତ୍ରଛାତ୍ରୀମାନେ ଡିବିରି ଆଲୁଅରେ ବହୁ କଷ୍ଟରେ ପାଠ ପଢୁଛନ୍ତି । ଗତ ୨୦୧୨ ମସିହାରେ ପ୍ରଥମ ଥର କରି ଏହି ଗାଁକୁ ରାଜୀବ ଗାନ୍ଧୀ ଗ୍ରାମ୍ୟ ବିଦ୍ୟୁତ ଯୋଜନାରେ ବିଜୁଳି ଆଲୁଅ ଆସିଥିଲା । ଆଉ ୮ ବର୍ଷ ଧରି ବିଦ୍ୟୁତ ବିଲ ଜାରି କରି ନ ଥିଲା ସାଉଥକୋ । ହିତାଧିକାରୀଙ୍କ ନାଁ ଓ ଠିକଣା ମେଳ ଖାଉ ନ ଥିବା ଯୋଗୁଁ ଉପଭୋକ୍ତା ମାନେ ବିଲ ପାଇ ପାରୁ ନଥିଲେ । ଅନେକ ସମୟରେ ଏ ନେଇ ସାଉଥକୋ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ଗ୍ରାମବାସୀ ।

ତେବେ ସେସକୋ, ୱେସ୍କୋର ତତ୍ପରତା ପରେ ସାଉଥକୋ ଗତ ୨ ମାସ ପୂର୍ବେ ଗ୍ରାମବାସୀଙ୍କ ନାମ ଠିକଣାରେ ଥିବା ତୃଟି ସଂଶୋଧନ କରି ନୂତନ ବିଲ ଜେନେରେଟ କରି ଥିଲେ । ଆଉ ବିଦ୍ୟୁତ ବିଲ ଦେଖି ମୁଣ୍ଡରେ ହାତ ଦେଇ ଥିଲେ ଗ୍ରାମବାସୀ । କିଏ ୪୮ ହଜାର ଟଙ୍କାର ବିଦ୍ୟୁତ ବିଲ ପାଇଛନ୍ତି ତ ଆଉ କିଏ ୪୩ ହଜାର । ୪୦ ହଜାର ତଳେ ନାହିଁ କୌଣସି ବିଲ । ଏ ନେଇ ମାଲକାନଗିରି ସ୍ଥିତ ସାଉଥକୋ କନିଷ୍ଠ ଯନ୍ତ୍ରୀ ଠାରୁ ଆରମ୍ଭ କରି ନିର୍ବାହୀ ଯନ୍ତ୍ରୀ ଓ ଜୟପୁର ସ୍ଥିତ ଅଧୀକ୍ଷଣ ଯନ୍ତ୍ରୀ , ମାଲକାନଗିରି ବିଧାୟକଙ୍କୁ ଜଣାଇ ମଧ୍ୟ ସମସ୍ୟାର ସମାଧାନ ହୋଇ ପାରିନାହିଁ ।