ଏୟାର ଷ୍ଟ୍ରାଇକ ପରେ ବର୍ଡରରେ ହାଇଆଲର୍ଟ : ଅନେକ ଗାଁରେ ବିଜୁଳି କାଟ, ସ୍କୁଲ-କଲେଜ ବନ୍ଦ

163

ଭାରତୀୟ ବାୟୁସେନା ପକ୍ଷରୁ ମଙ୍ଗଳବାର ରାତି ପାକ୍ ଅଧିକୃତ କାଶ୍ମୀରରେ କରାଯାଇଥିବା ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ପରିସ୍ଥିତି ଜଟିଳ ହୋଇପଡିଛି । ପାକିସ୍ତାନ ଧମକ ଦେଇଛି କି, ସେ ଭାରତକୁ କୌଣସି ବି ସମୟରେ ଜବାବ ଦେବ । ଏମିତିରେ ଭାରତୀୟ ସେନାକୁ ହାଇଆଲର୍ଟରେ ରଖାଯାଇଛି । ପାକିସ୍ତାନ ବର୍ଡରରେ ଲାଗିଥିବା ଗାଁ ଗୁଡିକ ଉପରେ ବିଶେଷ ନିରୀକ୍ଷଣ ରଖାଯାଉଛି । ଶ୍ରୀନଗରର ଆଖାପାଖର ଗାଁରେ ମଙ୍ଗଳବାର ରାତିରୁ ବିଜୁଳି କାଟି ଦିଆଯାଇଛି । ଜାମ୍ମୁର ରାଜୌରୀ ତଥା କିସ୍ତବାର ଜିଲ୍ଲାର ସମସ୍ତ ସ୍କୁଲକୁ ବନ୍ଦ ରଖିବାର ଆଦେଶ ଦିଆଯାଇଛି । ମାମଲାର ଗମ୍ଭୀରତାକୁ ଦେଖି ଏହି ଅଂଚଳରେ ଶୋଭାଯାତ୍ରା ବାହାର କରିବା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି ।

ଏହି ଘଟଣାର ଗମ୍ଭୀରତାକୁ ଦେଖି ପଂଜାବ, ପଠାନକୋଟ୍, ବନାସକାଂଠା, ଭୋପାଲ, ଧର୍ମଶାଳା ଏୟାରବେସରେ ଆଲର୍ଟ ଜାରି କରାଯାଇଛି । ପାକିସ୍ତାନ ବର୍ଡରକୁ ଲାଗିଥିବା ଗାଁଗୁଡିକରେ ସୁରକ୍ଷା ବଢ଼ାଇ ଦିଆଯାଇଛି । ପାକିସ୍ତାନର ଧମକ ପରେ ସ୍ଥଳସେନା, ବାୟୁସେନା ଓ ନୌସେନାକୁ ମଧ୍ୟ ଆଲର୍ଟ ଜାରି କରିଦିଆଯାଇଛି । ଭାରତର ସମସ୍ତ ଏୟାରବେସରେ ଯୁଦ୍ଧ ଜାହାଜ କୌଣସି କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ଅଛି ।

ସୂଚନାଯୋଗ୍ୟ, ବାଲାକୋଟ୍, ଚକୋଟି ଓ ମୁଜାଫରବାଦ୍ ଲଂଚ ପ୍ୟାଡକୁ ମାଟିରେ ମିଶାଇ ଦେଇଛି ଭାରତୀୟ ବାୟୁସେନା । ମଙ୍ଗଳବାର ଭୋର ୩ଟା ୪୫ରେ ବାଲାକୋଟ୍ ଆତଙ୍କୀ ଆଡ୍ଡାରେ ବୋମା ବର୍ଷା କରିଥିଲା ମିରାଜ୍ ଯୁଦ୍ଧ ବିମାନ । ଏହାର ଠିକ୍ ୩ ମିନିଟ୍ ପରେ ଅର୍ଥାତ୍ ୩ଟା ୪୮ରେ ମୁଜାଫରବାଦ୍ ଲଂଚ ପ୍ୟାଡରେ ହମଲା କରିଥିଲେ ଭାରତୀୟ ସେନା । ମୁଜାଫରବାଦ ଆକ୍ରମଣର ୧୦ ମିନିଟ୍ ପରେ ୩ଟା ୫୮ ମିନିଟରେ ଚକୋଟି ଆତଙ୍କବାଦୀ ଶିବିର ଉପରେ ବୋମା ବର୍ଷା କରିଥିଲା ବାୟୁସେନା ବିମାନ ମିରାଜ-୨୦୦୦ ।