ଧୁଆଁ ବାଣ ହେଲା ଶକ୍ତି ମନ୍ତ୍ରୀଙ୍କ ଘୋଷଣା

62

ମାଲକାନଗିରି : ଶକ୍ତି ମନ୍ତ୍ରୀଙ୍କ ଘୋଷଣା ଧୁଆଁ ବାଣ ସଦୃଶ ହୋଇଛି ମାଲକାନଗିରି ଜିଲ୍ଲାରେ । ଆସହ୍ୟ ତାତିକୁ ଦେଖି ରାଜ୍ୟରେ ଆଉ ବିଦ୍ୟୁତ କାଟ ହେବନାହିଁ ବୋଲି ମନ୍ତ୍ରୀଙ୍କ ଘୋଷଣା ପରେ ମଧ୍ୟ ଜାରି ରହିଛି ଘଂଟା ଘଂଟା ବିଦ୍ୟୁତ କାଟ । ଦିନ ହେଉ କିମ୍ବା ରାତି, ଲୋ ଭୋଲଟେଜ ସାଙ୍ଗକୁ ଆଘୋଷିତ ବିଦ୍ୟୁତ କାଟ ଯୋଗୁ ତ୍ରାହି ତ୍ରାହି ଡାକୁଛନ୍ତି ଜିଲ୍ଲାବାସୀ । ମନ୍ତ୍ରୀଙ୍କ ଘୋଷଣା ପରେ ପରିସ୍ଥିତି ସୁଧୁରିବା ପରିବର୍ତେ ଆହୁରି ବିଗିଡିବାରେ ଲାଗିଛି ।

୧୦ ଦିନ ହେଲା ପାରଦ ୪୪ ଡିଗ୍ରୀରୁ ତଳକୁ ଖସୁନଥିବାରୁ ମାଲକାନଗିରିରେ ଜନଜୀବନ ଅସ୍ତବ୍ୟସ୍ତ । ଅସହ୍ୟ ତାତି ସାଙ୍ଗକୁ ଘନ ଘନ ବିଦ୍ୟୁତ କାଟ, ଅଭିଶାପ ପାଲଟିଛି ଜିଲ୍ଲାବାସୀଙ୍କ ପାଇଁ । ଦିନ ତମାମ ଅଘୋଷିତ ବିଦ୍ୟୁତ କାଟ ଲାଗି ରହୁଛି । ଆଉ ବିଦ୍ୟୁତ ଥିବା ସମୟରେ ଲୋ-ଭୋଲଟେଜ ଯୋଗୁ ହନ୍ତସନ୍ତ ହେଉଛନ୍ତି ଲୋକେ । ପୂର୍ବର ପର୍ଯ୍ୟାୟ କ୍ରମେ ଏକ ଘଣ୍ଟା ବିଦ୍ୟୁତ କାଟ ହେଉଥିବା ବେଳେ ଶକ୍ତି ମନ୍ତ୍ରୀଙ୍କ ଘୋଷଣା ପରେ ପ୍ରତି ଦିନ ସନ୍ଧ୍ୟା ହେବା ମାତ୍ରେ ଦୁଇ ଦୁଇ ଘଂଟା ବିଦ୍ୟୁତ କାଟ ହେଉଛି । ରାତିରେ ରହୁଥିବା ଭୋଲଟେଜ୍ ଏତେ ଲୋକ ଯେ ବଲ୍ବ ପରିବର୍ତେ ଡିବିରି ଆଲୁଅ ଉପରେ ଲୋକ ନିର୍ଭର କରୁଛନ୍ତି । ଫ୍ୟାନ ବଦଳରେ ହାତ ପଙ୍ଖା ସାହା ହେଉଛି ମାଲକାନଗିରି ବାସୀଙ୍କ ପାଇଁ ।

ମାଲକାନଗିରିର ବାଲିମେଳାରେ ରହିଛି ରାଜ୍ୟର ଦିତୀୟ ବୃହତ ଜଳ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର । ସେଠାରୁ ୫୧୦ ମେଗାଓାଟ ବିଦ୍ୟୁତ ଉତ୍ପାଦନ ହେଉଥିଲେ ମଧ୍ୟ ଦିପ ତଳ ଅନ୍ଧାର ଭଳି ଅବସ୍ଥା ଭୋଗୁଛନ୍ତି ଜିଲ୍ଲାବାସୀ । ସମଗ୍ର ଜିଲ୍ଲାରେ କେବଳ ଗୋଟିଏ ଗ୍ରିଡ ଜରିଆରେ ବିଦ୍ୟୁତ ବିତରଣ ହେଉଛି । ଆର.ଏଲ.ଟି.ଏ.ପିରେ ଅନୁଦାନ ମିଳିଥିଲେ ବି ମାଲକାନଗିରି ସଦର ମହକୁମା ଓ କାଲିମେଳା ଠାରେ ଦୁଇଟି ଏକ୍ସପ୍ରେସ ଫିଡର ପାଓାର ଗ୍ରିଡ ସ୍ଥାପନ ହୋଇପାରିନାହିଁ । ଜିଲ୍ଲା ପ୍ରଶାସନର ଟାଳ ଟୁଳ ନିତି ଯୋଗୁ ନୁତନ ଗ୍ରିଡ ଏବେ ମାଲକାନଗିରି ବାସୀଙ୍କ ପାଇଁ ସାତ ସପନ । ତେବେ ଆସନ୍ତୁ ଶୁଣିବା ଏ ନେଇ କଣ କହୁଛନ୍ତି ମାଲକାନଗିରି ବିଧାୟକ ଓ ସାଉଥକୋ କତୃପକ୍ଷ ।

ଅସମ୍ଭାଳ ତାତି ସାଂଗକୁ ପାୱାର କଟ୍ ଲୋକଙ୍କ ଦୁଃଖକୁ ଦିଗୁଣିତ କରିଛି । ଲୋ ଭୋଲଟେଜ ଯୋଗୁଁ ପାନୀୟ ଜଳ ଯୋଗାଣରେ ଘୋର ସମସ୍ୟା ଦେଖା ଦେଇଛି ମାଲକାନଗିରି ଜିଲ୍ଲାରେ । ଷ୍ଟାଣ୍ଡ-ପୋଷ୍ଟରେ ପାଣି ଆସୁନାହିଁ, ଲୋକଙ୍କ ଘରେ ମଧ୍ୟ ମୋଟର ଚାଲି ପାରୁ ନାହିଁ ।