କନକ ବ୍ୟୁରୋ : ଦେଶରେ କୋଇଲା ସଙ୍କଟ ଏବେ ବି ଟଳିନାହିଁ । ଗତ ୯ ବର୍ଷ ମଧ୍ୟରେ ଏବେ କୋଇଲା ଉତ୍ପାଦନ ସବୁଠୁ କମ ରହିଛି । ଅନ୍ୟପଟେ ଗ୍ରୀଷ୍ମ ଋତୁ କାରଣରୁ ଏବେ ବିଦ୍ୟୁତ ଚାହିଦା ଅଧିକ ବଢିଛି । ଏପରିକି କରୋନା କଟକଣା ହଟିବା ପରେ ଶିଳ୍ପାନୁଷ୍ଠାନ ଗୁଡିକରେ ମଧ୍ୟ ବିଦ୍ୟୁତ୍ ଚାହିଦା ଅଧିକ ବଢିଛି । ଆଉ ଏଭଳି ସ୍ଥିତିରେ ଦେଶରେ ପୁଣିଥରେ ବିଦ୍ୟୁତ୍ ସଙ୍କଟ କାରଣରୁ ପାୱାରକଟ ସମସ୍ୟା ଉପୁଜିପାରେ । ମିଳିଥିବା ସୂଚନା ମୁତାବକ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ବିହାର ମଧ୍ୟପ୍ରଦେଶ, ଝାଡଖଣ୍ଡ, ପଞ୍ଜାବ, ହରିୟାଣା, ରାଜସ୍ଥାନ, ତେଲେଙ୍ଗାନା ଓ ଉତ୍ତରପ୍ରଦେଶରେ ପାୱାରକଟ ଆରମ୍ଭ ହୋଇଗଲାଣି । ସେହିଭଳି ଦେଶର ବାଣିଜ୍ୟିକ ରାଜଧାନୀ ମହାରାଷ୍ଟ୍ରରେ ମଧ୍ୟ ପାୱାରକଟ୍ ନେଇ ନିଷ୍ପତ୍ତି ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ସେହିଭଳି ଗୁଜୁରାଟ ଓ ତାମିଲନାଡୁ ଭଳି ରାଜ୍ୟରେ ବିଦ୍ୟୁତ ଯୋଗାଉଥିବା କମ୍ପାନି ଗୁଡିକୁ ମହଙ୍ଗା ଦାମରେ ବିଦ୍ୟୁତ୍ କିଣିବାକୁ ଅନୁମତି ମିଳିଛି ।  ଯାହାଦ୍ୱାରା ପାୱାରକଟ୍ ସମସ୍ୟାରୁ ମୁକୁଳିହେବ ।

Advertisment

କିଛି ରିପୋର୍ଟ ଅନୁଯାୟୀ, ବିଦ୍ୟୁତର ଆବଶ୍ୟକତା ଅନୁଯାୟୀ ଏବେ ୧.୪% କମ ବିଜୁଳି ଉତ୍ପାଦନ ହେଉଛି ।  ଏହାପୂର୍ବରୁ ନଭେମ୍ବର ୨୦୨୧ରେ ବିଦ୍ୟୁତ ଉତ୍ପାଦନ ୧% କମିଥିଲା । ସେତେବେଳେ ଦେଶରେ ଭୟଙ୍କର ମାତ୍ରାରେ କିଛିଦିନ ପାଇଁ କୋଇଲା ସଙ୍କଟ ଦେଖିବାକୁ ମିଳିଥିଲା । ଯାହାର ପ୍ରଭାବ ବିଦ୍ୟୁତ ଉତ୍ପାଦନ ଉପରେ ପଡିଥିଲା । କାରଣ ବିଦ୍ୟୁତ ଉତ୍ପାଦନର ସବୁଠୁ ବଡ ସାଧନ ହେଉଛି କୋଇଲା ।

ମହାରାଷ୍ଟ୍ରରେ ବିଜୁଳି ଚାହିଦା ଓ ବିଜୁଳି ଉତ୍ପାଦନ ମଧ୍ୟରେ ୨୫୦୦ ମେଗାୱାଟର ଫରକ ରହିଛି । ତେଣୁ ମହାରାଷ୍ଟ୍ରର କିଛି ସ୍ଥାନରେ ଏବେଠୁ ପାୱାରକଟ୍ ଆରମ୍ଭ ହେଲାଣି ।ଆନ୍ଧ୍ରପ୍ରଦେଶରେ ମଧ୍ୟ ସମାନ ସ୍ଥିତି । ଏଠାରେ ବିଦ୍ୟୁତ ଉତ୍ପାଦନ କମୁଥିବାରୁ ବିଭିନ୍ନ ଅଞ୍ଚଳରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ କାଟ ହେଉଛି । ଯାହାକୁ ବିରୋଧ କରି ଲୋକେ ରାସ୍ତାକୁ ଓହ୍ଲାଇଲେଣି ।