ଆଲୁଅ ଲିଭିଗଲା ଖୋର୍ଦ୍ଧା ଖୁଣ୍ଟରୁ ! ଆରମ୍ଭ ହେଲା ବିଦ୍ୟୁତ୍ କାଟ୍, ବକେୟା ବିଦ୍ୟୁତ୍ ଉପଭୋକ୍ତାଙ୍କ ବିଦ୍ୟୁତ କାଟିଲା ସେସୁ ।

548

କନକ ବ୍ୟୁରୋ : ଆଲୁଅ ଲିଭିଗଲା ଖୋର୍ଦ୍ଧା ଖୁଣ୍ଟରୁ ! ଖୋର୍ଦ୍ଧାରେ ଆରମ୍ଭ ହେଲା ବିଦ୍ୟୁତ କାଟ୍ । ବକେୟା ବିଦ୍ୟୁତ୍ ଉପଭୋକ୍ତାଙ୍କ ବିଦ୍ୟୁତ କାଟିଲା ସେସୁ । ପ୍ରଥମେ ବାଣିଜ୍ୟିକ ଉପଭୋକ୍ତାଙ୍କ ବିଜୁଳି କଟାଗଲା ।

ପ୍ରଥମ ପର୍ଯ୍ୟାୟରେ ଆଜିଠାରୁ ବିଲ୍ ବାକି ରଖିଥିବା ବାଣିଜ୍ୟିକ ଓ ବ୍ୟବସାୟିକ ସଂସ୍ଥାରୁ ବିଦ୍ୟୁତ୍ କାଟ୍ ଆରମ୍ଭ ହୋଇଛି । ଯେଉଁ ବାଣିଜ୍ୟିକ ସଂସ୍ଥା ବା ବ୍ୟବସାୟିକ ସଂସ୍ଥା ବିଲ୍ ବକେୟା ରଖିଛନ୍ତି ଏବଂ ନୋଟିସ୍ ସତ୍ୱେ ଦେୟ ପଇଠ କରୁ ନାହାନ୍ତି ସେମାନଙ୍କ ବିଦ୍ୟୁତ୍ ସଂଯୋଗକୁ ଆଜିଠାରୁ ବିଛିନ୍ନ କରାଯାଉଛି । ଏହା ପରେ ଦ୍ୱିତୀୟ ପର୍ଯ୍ୟାୟରେ ଧନୀକ ଶ୍ରେଣୀର ଉପଭୋକ୍ତାଙ୍କ, ଯେଉଁମାନେ କି ବହୁତ ଅଧିକ ଟଙ୍କା ବକେୟା ରଖିଛନ୍ତି, ସେମାନଙ୍କ ଘରେ ପହଁଚିବ ଟିମ୍ । ଯେଉଁମାନଙ୍କ ଘରେ ଫ୍ରିଜ୍, ଚାରିଚକିଆ ଯାନ ଓ ବହୁତଳ ବିଶିଷ୍ଟ କୋଠାରେ ରହୁଥିବେ, ଆୟକର ଦେଉଥିବେ, ସେଭଳି ଉପଭୋକ୍ତାଙ୍କୁ ବି ଏହି ପର୍ଯ୍ୟାୟରେ ସାମିଲ କରାଯିବ ।

ତୃତୀୟ ପର୍ଯ୍ୟାୟରେ ଅନ୍ୟ ଉପଭୋକ୍ତାଙ୍କ ଘରେ ସେସୁ ପହଁଚିବ । ଯେଉଁମାନେ ବର୍ଷ ବର୍ଷ ଧରି ଦେୟ ପୈଠ କରୁ ନାହାଁନ୍ତି । ଏହି ପର୍ଯ୍ୟାୟରେ ଅନ୍ୟ ସାଧାରଣ ଉପଭୋକ୍ତା ବି ସାମିଲ ହେବେ । ବକେୟା ବିଲ୍ ପଇଠ ନକଲେ ଆଜିଠାରୁ ସାଧାରଣ ଉପଭୋକ୍ତାଙ୍କ ବିଜୁଳି ସଂଯୋଗ ବିଛିନ୍ନ କରାଯିବ ବୋଲି ପୂର୍ବରୁ ଘୋଷଣା କରିଥିଲା ସେସୁ । କିନ୍ତୁ ଏହାକୁ ବିଭିନ୍ନ ରାଜନୈତିକ ଦଳ ଓ ଉପଭୋକ୍ତା ସଂଗଠନ ତୀବ୍ର ବିରୋଧ କରିଥିଲେ । ଫଳରେ ବାଧ୍ୟ ହୋଇ ନରମିଥିଲେ ସେସୁ କର୍ତ୍ତୃପକ୍ଷ । ଏବଂ ନିଷ୍ପତି ବଦଳାଇ ପର୍ଯ୍ୟାୟୱାରି ବିଦ୍ୟୁତ୍ ସଂଯୋଗ ବିଛିନ୍ନ କରିବାକୁ ଘୋଷଣା କରିଛନ୍ତି ସେସୁ କର୍ତ୍ତୃପକ୍ଷ ।