ବିଦ୍ୟୁତ୍ ବିଲ୍ ନଦେବାରୁ ଅନ୍ଧାରରେ ରାଷ୍ଟ୍ରାୟାତ ଉଦ୍ୟୋଗ ନୀଳାଚଳ ଇସ୍ପାତ୍ କାରଖାନା । ୫୬କୋଟି ୭୦ଲକ୍ଷ ଟଙ୍କାର ବିଦ୍ୟୁତ୍ ବିଲ୍ ବାକିଥିବାରୁ ବିଜୁଳି ବିଚ୍ଛିନ୍ନ କଲା ଟାଟା ପାୱାର ।

779

କନକ ବ୍ୟୁରୋ : ବିଦ୍ୟୁତ୍ ବିଲ୍ ନଦେବାରୁ ଅନ୍ଧାରରେ ରାଷ୍ଟ୍ରାୟାତ ଉଦ୍ୟୋଗ ନୀଳାଚଳ ଇସ୍ପାତ୍ ନିଗମରୁ ବିଚ୍ଛିନ୍ନ ହୋଇଛି ବିଦ୍ୟୁତ୍ ସେବା । କଞ୍ଚାମାଲ ଅଭାବ ଓ ଆର୍ଥିକ କ୍ଷତି ଦର୍ଶାଇ ଏହି ରାଷ୍ଟ୍ରାୟତ ଉଦ୍ୟୋଗ ୫୬କୋଟି ୭୦ଲକ୍ଷ ଟଙ୍କାର ବିଦ୍ୟୁତ୍ ବିଲ୍ ବାକି ରଖିଛି । ଫଳରେ ବିଦ୍ୟୁତ୍ ବିତରଣକାରୀ ସଂସ୍ଥା ଟାଟା ପାୱାର ପକ୍ଷରୁ ବିଜୁଳି ବିଚ୍ଛିନ୍ନ କରାଯାଇଛି । ସେପଟେ କାରଖାନାର ପୁନଃକାର୍ଯ୍ୟକ୍ଷମ ପାଇଁ ଶ୍ରମିକ ଆନ୍ଦୋଳନ ଜାରି ରହିଛି । ଆଉ ଏତିକି ବେଳେ ବିଦ୍ୟୁତ୍ ସେବା ବିଚ୍ଛିନ୍ନ ହେବା ଖବର ଶ୍ରମିକଙ୍କ ଚିନ୍ତା ବଢାଇ ଦେଇଛି ।

କଳିଙ୍ଗନଗର ନୀଳାଚଳ ଇସ୍ପାତ୍ କାରଖାନାରେ ବିଜୁଳି ସେବା ଠପ୍ । ବିଲ୍ ନଦେବାରୁ ବିଜୁଳି ବିଚ୍ଛିନ୍ନ କଲା ବିଦ୍ୟୁତ୍ ବିତରଣକାରୀ ସଂସ୍ଥା । ଯାଜପୁର ଜିଲ୍ଲା କଳିଙ୍ଗନଗରରେ ଥିବା ଏକମାତ୍ର ରାଷ୍ଟ୍ରାୟତ ଉଦ୍ୟୋଗ ନୀଳାଚଳ ଇସ୍ପାତ୍ କାରଖାନା ୫୬କୋଟି ୭୦ଲକ୍ଷ ଟଙ୍କାର ବିଦ୍ୟୁତ୍ ବିଲ୍ ଦେଇନାହିଁ । ତେଣୁ ବିଜୁଳି ସେବା ବିଚ୍ଛିନ୍ନ କରିଦେଇଛି ବିଦ୍ୟୁତ୍ ବିତରଣକାରୀ ସଂସ୍ଥା ଟାଟା ପାୱାର । ବିଦ୍ୟୁତ୍ ସେବା ଠପ୍ ହୋଇଯିବା ପରେ କାରଖାନା ପରିସର ଅନ୍ଧାର ହୋଇଯାଇଛି । ଏହାର ସୁଯୋଗ ନେଇ କାରାଖାନା ଭିତରୁ ଚୋରୀ ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି ।

ପରିଚାଳନାଗତ ତୃଟି ଯୋଗୁଁ କ୍ରମାଗତ କ୍ଷତି ସହିବା ପରେ ୨୦୨୦ ମାର୍ଚ୍ଚ ୩୦ ତାରିଖରୁ ବନ୍ଦ ରହିଛି ନୀଳାଚଳ ଇସ୍ପାତ କାରଖାନା । ୧୧ ମିଲିୟନ୍ କ୍ଷମତା ସମ୍ପନ୍ନ କୋକୋଭାନ୍ ପ୍ଲାଂଟ ଏବଂ ସିପିପି ସମ୍ପୂର୍ଣ୍ଣ ବନ୍ଦ ରହିଛି । ଫଳରେ କାରଖାନା ସହ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ଜଡିତ ୫ ହଜାର ଶ୍ରମିକ ଓ କର୍ମଚାରୀ ଚିନ୍ତାରେ ପଡିଛନ୍ତି । କାରଖାନା କ୍ଷତିରେ ଚାଲିଥିବାରୁ ଶ୍ରମିକ ଓ କର୍ମଚାରୀଙ୍କୁ ବର୍ଷେ କାଳ ନିୟମିତ ଦରମା ମିଳିନାହିଁ ।

କାରଖାନା ବନ୍ଦ ଥିବାରୁ କୋଟି କୋଟି ଟଙ୍କା ମୂଲ୍ୟର ଉତ୍ପାଦିତ ପିଗ୍ ଆଇରନ୍, ବିଭିନ୍ନ ମେସିନ୍ ଓ ସାମଗ୍ରୀ ପଡିରହିଛି । ସେଗୁଡିକ ବିକ୍ରି କରି ବକେୟା ଦରମା ଦେବା ସହ କାରଖାନା ପୁନରୁଦ୍ଧାର କରିବାର ଲକ୍ଷ୍ୟ ରହିଥିଲା । କେନ୍ଦ୍ର ସରକାର ୮ହଜାର ୩ଶହ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିବେ ବୋଲି କହିଥିଲେ । କାରଖାନା ମୁଖ୍ୟ ପରିଚାଳନା ଦାୟିତ୍ୱରେ ଥିବା ଏମ୍.ଏମ୍.ଟି.ସି. ଓ ଅନ୍ୟ ଅଂଶୀଦାରମାନେ ପରିଚାଳନା କମିଟିରୁ ଓହରି ଯିବା ପରେ କେନ୍ଦ୍ର ସରକାର ଏହି ନିଷ୍ପତି ନେଇଥିଲେ । ହେଲେ ଏଯାଏଁ ସେମିତି କିଛି ହୋଇନାହିଁ । କିନ୍ତୁ ଏହାରି ଭିତରେ କାରଖାନାକୁ ବିଦ୍ୟୁତ୍ ସେବା ବିଚ୍ଛିନ୍ନ ହୋଇ ଯାଇଛି । ଯାହା ଶ୍ରମିକଙ୍କ ଚିନ୍ତା ବଢାଇ ଦେଇଛି । ଦରମା ସହ କାରଖାନାର ପୁନଃରୁଦ୍ଧାର ପାଇଁ ଆନ୍ଦୋଳନ ଭିତରେ କାରଖାନାକୁ ବିଜୁଳି ସେବା ଠପ୍ ହୋଇଯିବା ପରେ ସାମ୍ପ୍ରତିକ ଅଚଳାବସ୍ଥାକୁ ନେଇ ଆଶା ଆଶଙ୍କା ବଢିଛି ।