କନକ ବ୍ୟୁରୋ: ପୁଣି ବରଗଡ ମେଡିକାଲରେ କଟିଲା ବିଦ୍ୟୁତ୍ । ବରଗଡ଼ ପୁରୁଣା ଡାକ୍ତରଖାନାରେ ବିଦ୍ୟୁତ ସମସ୍ୟା ପାଇଁ ୪ ଘଣ୍ଟା ଧରି ଅନ୍ଧାରରେ ରୋଗୀ। ନାନା ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଛନ୍ତି ରୋଗୀ ଓ ସମ୍ପର୍କୀୟ । ବରଗଡ଼ ସହର ମଧ୍ୟରେ ଥିବା ପୁରୁଣା ଡାକ୍ତରଖାନା ଏବେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଣତ ହୋଇଛି। ତଥାପି ମୁଖ୍ୟ ଚିକିତ୍ସାଳୟରୁ ରୋଗୀସଂଖ୍ୟା ଅଧିକ ରହିଛି। କିନ୍ତୁ ବିଦ୍ୟୁତ ସମସ୍ୟା ପାଇଁ ରୋଗୀ ଓ ସମ୍ପର୍କୀୟଙ୍କୁ ନାହିଁ ନଥିବା ଅସୁବିଧା ଭୋଗ କରିବାକୁ ପଢୁଛି।

Advertisment

ଆଜି ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ବିଦ୍ୟୁତ ସମସ୍ୟା ଯୋଗୁଁ ବିଭିନ୍ନ ୱାର୍ଡରେ ଅନ୍ଧାରରେ ଛଟପଟ ହେଉଛନ୍ତି ରୋଗୀ ଓ ତାଙ୍କ ସମ୍ପର୍କୀୟ। କିଏ ହାତରେ କାର୍ଟୁନ ଖୋଳ ଧରି ବିଞ୍ଚି ହେଉଛି ତ କିଏ, ଗାମୁଛା ଓ ଶାଢ଼ୀର ପଣତ କାନିରେ ବିଞ୍ଚି ଦେଉଛି ରୋଗୀଙ୍କୁ। ଆଉ ଛାତରେ ଲାଗିଥିବା ପଙ୍ଖାକୁ ଚାତକ ପରି ଅନାଇ ବସିଛନ୍ତି । ଡାକ୍ତର, ନର୍ସଙ୍କ ରୁମରେ ବିଦ୍ୟୁତ ସଂଯୋଗ ରହିଥିବା ବେଳେ ରୋଗୀଙ୍କ ୱାର୍ଡ ସମ୍ପୂର୍ଣ୍ଣ ଅନ୍ଧାରରେ। ତେବେ ଏହାପୂର୍ବରୁ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ଦୀର୍ଘ ସମୟ ଧରି ବିଦ୍ୟୁତ କାଟ ପାଇଁ ନାନା ସମସ୍ୟା ଭୋଗିଥିଲେ ରୋଗୀ। ବାରମ୍ୱାର ଏଭଳି ବିଦ୍ୟୁତ କାଟ୍ ହେଉଥିଲେ ବି ଏହାର କୌଣସି ସ୍ଥାୟୀ ସମାଧାନ ହେଉ ନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଏଠାକୁ ଚିକିତ୍ସା ପାଇଁ ଆସୁଥିବା ଲୋକେ।