ଦେଶରୁ ଦୂର ହେଉଛି ଦାରିଦ୍ର୍ୟ: ନୀତି ଆୟୋଗ ରିପୋର୍ଟ, ଦାରିଦ୍ର୍ୟ ଅନୁପାତ ୨୦୧୩-୧୪ରେ ୨୯.୧୭% ଥିବାବେଳେ ୨୦୨୨-୨୩ରେ ୧୧.୨୮%କୁ ହ୍ରାସ

91

କନକ ବ୍ୟୁରୋ: ଦେଶରେ ଦୂର ହେଉଛି ଦାରିଦ୍ର୍ୟ । ଗତ ୯ ବର୍ଷରେ ୨୪ କୋଟି ୮୨ ଲକ୍ଷ ଲୋକ ବହୁମୁଖୀ ଦାରିଦ୍ର୍ୟରୁ ମୁକ୍ତି ପାଇଛନ୍ତି । ‘୨୦୦୫-୦୬ରୁ ଭାରତରେ ବହୁମୁଖୀ ଦାରିଦ୍ର୍ୟ ’ଶୀର୍ଷକ ନୀତି ଆୟୋଗର ଆଲୋଚନା ପତ୍ରରୁ ଏହା ଜଣାପଡ଼ିଛି । ନୀତି ଆୟୋଗର ସିଇଓ ଶ୍ରୀ ବି.ଭି.ଆର ସୁବ୍ରମଣ୍ୟମଙ୍କ ଉପସ୍ଥିତିରେ ସୋମବାର ନୀତି ଆୟୋଗର ସଦସ୍ୟ ପ୍ରଫେସର ରମେଶ ଚାନ୍ଦ ରିପୋର୍ଟ ଉନ୍ମୋଚନ କରିଛନ୍ତି । ରିିପୋର୍ଟ ଅନୁଯାୟୀ ଏହିପରି ସୂଚନା ମିଳିଛି । ସବୁଠାରୁ ଦୁର୍ବଳ ଓ ବଂଚିତ ଲୋକଙ୍କ ଜୀବନକୁ ଉନ୍ନତ କରିବା ପାଇଁ ସରକାରଙ୍କ ନିରନ୍ତର ସମର୍ପଣ ଓ ଦୃଢ଼ ପ୍ରତିବଦ୍ଧତା ଏହି ସଫଳତାରେ ସହାୟକ ହୋଇଛି । ୨୦୧୩-୧୪ରୁ ୨୦୨୨-୨୩ ମଧ୍ୟରେ ଦାରିଦ୍ର୍ୟର ସମସ୍ତ ଦିଗକୁ ଦୂର କରିବା ପାଇଁ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଜନାକୁ ଏହି ଉଲ୍ଲେଖନୀୟ ସଫଳତାର ଶ୍ରେୟ ଦିଆଯାଇଛି । ପୋଷଣ ଅଭିଯାନ ଏବଂ ରକ୍ତହୀନତା ମୁକ୍ତ ଭାରତ ଭଳି ଉଲ୍ଲେଖନୀୟ ପଦକ୍ଷେପ ସ୍ୱାସ୍ଥ୍ୟ ସେବାର ଉପଲବ୍ଧତାକୁ ବୃଦ୍ଧି କରିଛି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଗ୍ରାମୀଣ ଓ ସହରାଂଚଳ ଜନସଂଖ୍ୟାକୁ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଉଛି । ଯାହା ଦାରିଦ୍ର୍ୟ ମୁକ୍ତିରେ ଗୋଟିଏ ବଡ ଭୂମିକା ଗ୍ରହଣ କରିଛି ।