ଦାରିଦ୍ର୍ୟ ଜାଣିବା ଲାଗି ନୂଆ ଗଣନା: ନୂଆ ମାପଦଣ୍ଡ ଅନୁସାରେ ସଂଗ୍ରହ କରାଯାଉଛି ପୁଷ୍ଟି, ପାନୀୟ ଜଳ ଏବଂ ଜାଳେଣି ଇନ୍ଧନ ସମ୍ପର୍କିତ ତଥ୍ୟ

କିଛି ବର୍ଷ ତଳେ ବନ୍ଦ କରିଦିଆଯାଇଥିଲା ଦାରିଦ୍ର୍ୟ ସୀମାରେଖା ଗଣନା

156

କନକ ବ୍ୟୁରୋ: ଦେଶରେ ଦାରିଦ୍ର୍ୟ କେଉଁ ସ୍ତରରେ ରହିଛି ତାହା ଜାଣିବା ଲାଗି ଏକ ଜାତୀୟ ସ୍ତରୀୟ ଗଣନା ଆରମ୍ଭ କରାଯାଇଛି। ଏଥର ନୂଆ ମାପଦଣ୍ଡ ଅନୁସାରେ ଏହି ଗଣନା କରାଯାଉଛି। ଲୋକଙ୍କ ଘରେ କେଉଁ ସବୁ ସୁବିଧା ସୁଯୋଗ ରହିଛି ତାହା ଜାଣିବା ଲାଗି ସରକାର ପ୍ରୟାସ କରୁଛନ୍ତି। ଲୋକମାନଙ୍କ ଠାରୁ ପୁଷ୍ଟିସାଧନ, ପାନୀୟ ଜଳ ଉପଲବ୍ଧତା, ବାସଗୃହ ଏବଂ ଜାଳେଣି ଇନ୍ଧନ ସମ୍ପର୍କିତ ତଥ୍ୟ ସଂଗ୍ରହ କରାଯାଉଛି। ଏହି ନୂତନ ଗଣନା ମାଧ୍ୟମରେ ଦେଶର ପ୍ରକୃତ ଦ୍ରାରିଦ୍ର୍ୟ ହାର ଜାଣିବାକୁ ସରକାର ଚାହୁଛନ୍ତି। ସାମାଜିକ କଲ୍ୟାଣମୂଳକ ସ୍କିମ୍ ପ୍ରସ୍ତୁତ କରିବା ଲାଗି ଏହି ହାର ଜାଣିବା ସରକାରଙ୍କ ପାଇଁ ନିହାତି ଜରୁରୀ। ଦାରିଦ୍ର୍ୟ ସ୍ତର ଜାଣିବା ଲାଗି ପୂର୍ବରୁ ‘ଦାରିଦ୍ର୍ୟ ସୀମା ରେଖା’ ହିସାବକୁ ବ୍ୟବହାର କରାଯାଉଥିଲା। ମାତ୍ର କିଛି ବର୍ଷ ତଳେ ଏହି ବ୍ୟବସ୍ଥାକୁ ସରକାର ବନ୍ଦ କରିଦେଇଥିଲେ। ତେଣୁ କେତେ ଲୋକ ଗରିବ ଏବଂ କେତେ ଜଣ ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି ତାହା ଜାଣିବା କଷ୍ଟକର ହୋଇପଡ଼ିଛି।

ଦାରିଦ୍ର୍ୟକୁ ନେଇ ସି ରଙ୍ଗରାଜନ କମିଟି ୨୦୧୪ରେ ଯେଉଁ ରିପୋର୍ଟ ଦେଇଥିଲେ ତାହାକୁ ବିଜେପି ନେତୃତ୍ବାଧୀନ ଏନ୍ଡିଏ ସରକାର ପ୍ରତ୍ୟାଖ୍ୟାନ କରିଥିଲେ। କାରଣ ସେଥିରେ ଉଲ୍ଲେଖ ଥିଲା ଯେ ଉଭୟ ଦାରିଦ୍ର୍ୟ ହାର ଓ ଗରିବ ଲୋକଙ୍କ ସଂଖ୍ୟା ବଢ଼ିଛି। ଏହା ପୂର୍ବରୁ ତେନ୍ଦୁଲକର କମିଟିର ମାପଦଣ୍ଡ ଅନୁସାରେ ଦାରିଦ୍ର୍ୟ ହାର ମପା ହେଉଥିଲା। ତେନ୍ଦୁଲକର କମିଟିର ଶେଷ ରିପୋର୍ଟ ଅନୁସାରେ ଭାରତର ଦାରିଦ୍ର୍ୟ ହାର ୨୧.୯% ଓ ଗରିବ ଲୋକଙ୍କ ସଂଖ୍ୟା ୨୬.୯୮ କୋଟି ଥିଲା। କିନ୍ତୁ ସି ରଙ୍ଗରାଜନ କମିଟି ୨୦୧୪ରେ ଦେଇଥିବା ରିପୋର୍ଟରେ ଜଣାଇଥିଲା ଯେ ଦେଶର ଦାରିଦ୍ର୍ୟ ହାର ୨୯.୬%କୁ ଓ ଗରିବ ଲୋକଙ୍କ ସଂଖ୍ୟା ୩୬.୩ କୋଟିକୁ ବୃଦ୍ଧି ପାଇଛି। ସେହି ରିପୋର୍ଟକୁ ସରକାର ପ୍ରତ୍ୟାଖ୍ୟାନ କରିଦେବା ସହ ‘ଦାରିଦ୍ର୍ୟ ସୀମା ରେଖା ତଳେ’ ଗଣନା ବ୍ୟବସ୍ଥାକୁ ମଧ୍ୟ ବନ୍ଦ କରିଦେଇଥିଲେ।

ଏବେ ସରକାର ଯେଉଁ ଗଣନା ଆରମ୍ଭ କରିଛନ୍ତି ତାହାର ମୂଳ ଉଦ୍ଦେଶ୍ୟ ହେଉଛି ଆନ୍ତର୍ଜାତିକ ସ୍ତରରେ ଗ୍ରହଣୀୟ ହୋଇଥିବା ୟୁଏନଡିପିର ଦାରିଦ୍ର୍ୟ ସୂଚୀ ରାଙ୍କିଂରେ ଉନ୍ନତି ଆଣିବା। ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ନୂଆ ଗଣନାର କ୍ଷେତ୍ର ଭିତ୍ତିକ କାର୍ଯ୍ୟଗୁଡ଼ିକ ଦେଖାଶୁଣା କରୁଛି। ଦେଶ ଓ ରାଜ୍ୟଗୁଡ଼ିକର ପ୍ରଦର୍ଶନକୁ ନିତି ଆୟୋଗ ନିରୀକ୍ଷଣ କରୁଛି। ଏହି ଗଣନାର ନିର୍ଯ୍ୟାସ ୟୁଏନଡିପିର ବିବିଧ ଦାରିଦ୍ର୍ୟ ସୂଚୀ (ଏମପିଆଇ)ରେ ପ୍ରତିଫଳିତ ହେବ। ଦେଶଗୁଡ଼ିକର ସ୍ବାସ୍ଥ୍ୟ, ଶିକ୍ଷା ଓ ଜୀବନ ଧାରଣ ମାନକୁ ବିଚାରକୁ ନେଇ ଏହି ସୂଚୀ ପ୍ରସ୍ତୁତ କରାଯାଉଛି।

ନୂଆ ଗଣନା ବିଷୟରେ ଆଲୋଚନା କରିବା ଲାଗି ନିକଟରେ ନିତି ଆୟୋଗ ଓ ପରିସଂଖ୍ୟାନ ମନ୍ତ୍ରଣାଳୟ ଅଧିକାରୀଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସେହି ବୈଠକରେ ଗଣନା ଲାଗି ମାପଦଣ୍ଡଗୁଡ଼ିକ ଧାର୍ୟ୍ୟ କରାଯାଇଛି। ଏହି ଗଣନାରେ ଯେଉଁ ସବୁ ତଥ୍ୟ ସଂଗ୍ରହ କରାଯିବ ସେହି ଆଧାରରେ ନିତି ଆୟୋଗ ପକ୍ଷରୁ ଏକ ଦାରିଦ୍ର୍ୟ ସୂଚୀ ବିକଶିତ କରାଯିବ। ଉକ୍ତ ସୂଚୀ ଅନୁସାରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ରାଙ୍କ ପ୍ରଦାନ କରାଯିବ। ନିତି ଆୟୋଗ ଭାବୁଛି ଏଭଳି ରାଙ୍କର ବ୍ୟବସ୍ଥା କଲେ ଅଧିକରୁ ଅଧିକ ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତି ଦେବା ଲାଗି ରାଜ୍ୟଗୁଡ଼ିକ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ବୃଦ୍ଧି ପାଇବ ଯାହା ଫଳରେ ସାମଗ୍ରିକ ଭାବେ ୟୁଏନ୍ ଦାରିଦ୍ର୍ୟ ସୂଚୀରେ ଭାରତର ସ୍ଥିତିରେ ଉନ୍ନତି ଘଟିବ। ଦାରିଦ୍ର୍ୟ ମାପିବା ଲାଗି ଆନ୍ତର୍ଜାତିକ ସ୍ତରରେ ଗ୍ରହଣୀୟ ହୋଇଥିବା ବିବିଧ ଦାରିଦ୍ର୍ୟ ସୂଚୀରେ କେବଳ ଆୟକୁ ବିଚାରକୁ ନିଆଯାଏ ନାହିଁ। ଦୁର୍ବଳ ସ୍ବାସ୍ଥ୍ୟ, ଖରାପ ମାନର କାର୍ୟ୍ୟ ଏବଂ ହିଂସାର ବିପଦ ଭଳି ମାପଦଣ୍ଡକୁ ବିଚାରକୁ ନିଆଯାଏ। ୟୁଏନ୍ଡିପିର ବିବିଧ ଦାରିଦ୍ର୍ୟ ସୂଚୀ ପାଇଁ ଶିଶୁ ମୃତ୍ୟୁ ହାର, ପୁଷ୍ଟି, ସ୍କୁଲ ଶିକ୍ଷାର ବର୍ଷ, ନାମଲେଖା, ଜଳ, ପରିମଳ, ବିଦ୍ୟୁତ, ରନ୍ଧନ ଇନ୍ଧନ ଓ ସମ୍ପତ୍ତି ଭଳି ୧୦ ପ୍ରକାର ମାପଦଣ୍ଡକୁ ବିଚାରକୁ ନିଆଯାଉଛି।

Comments are closed.