କୁକୁଡ଼ା ପାଳନ କରିଛି ଆତ୍ମନିର୍ଭର: ମାଲକାନଗିରି ଜିଲ୍ଲାର ପୌଲଟ୍ରୀ ମ୍ୟାନ ମଣି ମୋହନ ମଲ୍ଲିକ

129

କନକ ବ୍ୟୁରୋ: ରାଜ୍ୟ ରୁ ଅନେକ ଚାଷୀ ଙ୍କ ସଫଳତା ର କାହାଣୀ ଆମେ ଆପଣକୁ ଦେଖେଇଛୁ । ଆଜି ଏମିତି ଏକ କୁକୁଡା ଚାଷୀଙ୍କ କାହାଣୀ ଆପଣଙ୍କୁ ଦେଖେଇବୁ, ଯିଏ କେବଳ ସଫଳ ନୁହଁ ବରଂ ଅନ୍ୟ ମାନଙ୍କ ପେଇଁ ସେ ଏବେ ପ୍ରେରଣା ର ଉତ୍ସ । ନିଜେ ବ୍ରିଡିଙ୍ଗ କରି ନୁଆ ପ୍ରଜାତି ର କୁକୁଡା ତିଆରି କରୁ ଥିବା ସହ ଏବେ ତାଙ୍କ ଫାର୍ମ ରେ ରହିଛି ୧୫ ରୁ ଅଧିକ ପ୍ରଜାତି ର ଦେଶୀ ତଥା ବିଦେଶୀ କୁକୁଡା । ଆଉ ଅଣ୍ଡା ବିକ୍ରୀ ଠାରୁ ଆରମ୍ଭ କରି ଅଣ୍ଡା ହ୍ୟାଚିଙ୍ଗ କରି କୁକୁଡା ଚିଆ ଓ କୁକୁଡା ବିକି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ମାଲକାନଗିରି ଜିଲ୍ଲାର ପୌଲଟ୍ରୀ ମ୍ୟାନ । ତେବେ ଗତ ଦୁଇ ବର୍ଷ କୋରୋନା ଯୋଗୁ ବ୍ୟବସାୟ ମାନ୍ଦା ପଡି ଥିବା ବେଳେ ଛାଡ ଖାଇ ପରେ ଭଲ ବ୍ୟବସାୟ ର ଲକ୍ଷ ରଖିଛନ୍ତି ସେ ।

ମାଲକାନଗିରି ଜିଲ୍ଲାର ପୌଲଟ୍ରୀ ମ୍ୟାନ । ଗୋଟିଏ ଛାଚ ତଳେ ୧୫ ପ୍ରଜାତି ର ଦେଶୀ ତଥା ବିଦେଶୀ କୁକୁାଡା ଚାଷ । ଏ ହେଉଛନ୍ତି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ଗାଁର ମଣି ମୋହନ ମଲ୍ଲିକ । ପିଲାଟି ଦିନରୁ ଚାଷ ପ୍ରତି ରହିଛି ତାଙ୍କ ଦୁର୍ବଳତା । ତେଣୁ ଗ୍ରାଜୁଏସନ ପଢିବା ସମୟରୁ ହିଁ ଏମଭି ୩୨ ଗାଁରେ କୁକୁଡା ଚାଷ ପ୍ରତି ମନ ବଢେଇ ଥିଲେ ମଣି ମୋହନ ।

ପ୍ରଥମେ ବ୍ରୟଲର କୁକୁଡା ଠାରୁ ଚାଷ ଆରମ୍ଭ କରି ଥିବା ବେଳେ ଗତ ୧୦ ବର୍ଷ ଧରି କୋରୁକୋଣ୍ଡା ଠାରେ ନିଜ ସଂଚୟ ଅର୍ଥରେ କୁକୁଡା ଫାର୍ମ ଟିଏ ଆରମ୍ଭ କରି ଥିଲେ ମଣି ମୋହନ । ଆଉ ଏ ହୋଉଛି ମଣି ମୋହନ ଙ୍କ ଫାର୍ମର ଆଜିର ଚିତ୍ର । ବ୍ରୟଲର ଠାରୁ ଆରମ୍ଭ କରି ଲେୟର ଓ ବିଭିନ୍ନ ବିଦେଶୀ ପ୍ରଜାତିର କୁକୁଡା ରହିଛି ମଣି ମୋହୋନଙ୍କ ଫାର୍ମରେ । ଆଉ କୁକୁଡା ଓ ଅଣ୍ଡା ବିକ୍ରୀ ଠାରୁ ଆରମ୍ଭ କରି ଅଣ୍ଡାରୁ କୁକୁଡା ଚିଆଁ ହ୍ୟାଚିଙ୍ଗ ସବୁ କିଛି ଅତ୍ୟାଧୁନିକ ସୁବିଧା ରହିଛି ମଣି ମୋହନଙ୍କ ଫାର୍ମରେ ।

ତେବେ ଆସନ୍ତୁ ଦେଖିବା କେଉଁ କେଉଁ ପ୍ରଜାତିର କୁକୁଡା ରହିଛି ମଣି ମୋହନଙ୍କ ଏହି ପୌଲଟ୍ରୀ ଫାର୍ମରେ । ଫାର୍ମ ଭିତରେ ପ୍ରବେଶ କରୁ କରୁ ଆପଣ ୫ ରୁ ୮ କିଲୋ ଓଜନର ଟର୍କୀ କୁକୁଡା ଦେଖିପାରିବେ, ଯାହାର କିଲୋ ପିଛା ମୁଲ୍ୟ ରହିଛି ୭୦୦ ରୁ ୮୦୦ ଟଙ୍କା । ଭିନ୍ନ ଭିନ୍ନ ସାଇଜର ସୋନାଲି ଦେଶୀ କୁକୁଡା ରହିଛି ଏଠାରେ, ଯାହାକି ୩୦୦ ଟଙ୍କାରେ ବିକ୍ରୀ ହୋଇଥାଏ । ବିଦେଶୀ ପ୍ରଜାତୀର ଆମେରିକାନ ସିଲ୍କି (ଧଳା ସୁନ୍ଧରିଆ କୁକୁଡା) ଠାରୁ ଆରମ୍ଭ କରି ବହୁ ମୁଲ୍ୟ କଡକନାଥ କୁକୁଡା ମଧ୍ୟ ରହିଛି । ଯାହାର ଦର ୭୦୦ ରୁ ୮୦୦ ଟଙ୍କା ପ୍ରତି କିଲୋଗ୍ରାମ ।

ଆର.ଆଇ.ଆର, ବନରାଜ, କ୍ରୟଲାର ଏଫ.ଏଫ.ଜି, ଅଷ୍ଟ୍ରୋଲାବ ଓ ଫାର୍ମ ଗୁଣ୍ଡ୍ରୀ । ସେହି ପରି ବ୍ରୟଲର ସହ ସରକାରୀ ଅନୁଦାନ ପ୍ରାପ୍ତ ୧୦୦୦ ଶଜ୍ୟା ବିଶିଷ୍ଠ ସ୍ୱତନ୍ତ୍ର ଲେୟର କୁକୁଡା ୟୁନିଟ ରହିଛି ଏହି ପରିସର ଭିତରେ । ଯାହା ଦ୍ୱାରା ପ୍ରତି ଦିନ ୮୦୦ ରୁ ୯୦୦ ଟି ଅଣ୍ଡା ସଂଗ୍ରହ କରନ୍ତି ମଣି ମୋହନ । ଆଉ ଅଣ୍ଡା ବିକ୍ରୀ ସହ ଭିନ୍ନ ଭିନ୍ନ ପ୍ରଜାତିର ଅଣ୍ଡାକୁ ଏହି ସ୍ୱତନ୍ତ୍ର ଇନକ୍ୟୁବେଟର ମେଶିନ ସାହାଯ୍ୟରେ ହ୍ୟାଚିଙ୍ଗ କରି ବିଭିନ୍ନ ପ୍ରଜାତିର କୁକୁଡା ଚିଆଁ ପ୍ରସ୍ତୁତ କରି ସେଗୁଡିକ ୫୦ ରୁ ୧୦୦ ଟଙ୍କାରେ ବିକ୍ରୀ କରି ପ୍ରତି ମାସ ୫୦ ହଜାରରୁ ଏକ ଲକ୍ଷ ଟଙ୍କା ବ୍ୟବସାୟ ମଧ୍ୟ କରନ୍ତି ।

କେବଳ ବ୍ୟବସାୟ ନୁହଁ, ମଣି ମୋହନ ଏବେ ଜିଲ୍ଲାର ଅନ୍ୟ କ୍ଷୁଦ୍ର କୁକୁଡା ବ୍ୟବସାୟୀଙ୍କ ପାଇଁ ପ୍ରେରଣା ପାଲୋଟିଛନ୍ତି । ଅନ୍ୟ ଯୁବ କୁକୁଡା ବ୍ୟବସାୟୀଙ୍କୁ ମଣି ମୋହନ ଟେଲିଫୋନରେ ପରାମର୍ଶ ଦେଉ ଥିବା ବେଳେ ତାଙ୍କ ଫାର୍ମରେ ହିଁ ଅନେକ ଯୁବ ବ୍ୟବସାୟୀଙ୍କୁ ମାଗଣାରେ କୁକୁଡା ଚାଷ ସହ ଗୋପାଳଣ ଓ ମତ୍ସ୍ୟ ଚାଷ ଲାଗି ତାଲିମ ଦେଉଛନ୍ତି ।

ଗତ ୨ ବର୍ଷ ଲକ୍ ଡାଉନ ଯୋଗୁ ଆଶାନୁରୁପ ବ୍ୟବସାୟ ହୋଇ ନ ଥିଲା । ତେବେ ଚଳିତ ଛାଡ ଖାଇ ପରେ ଭଲ ବ୍ୟବସାୟ ଆଶା ରଖି ଏବେଠୁ ପ୍ରସ୍ତୁତି ଚଳାଇଛନ୍ତି ମଣି ମୋହନ । ଆଉ ଲେୟର ଅଣ୍ଡା ଗୁଡିକ ଅଙ୍ଗନଓାଡି ମାଧ୍ୟମରେ କ୍ରୟ ବିକ୍ରୀ କରିବାକୁ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି ପୌଲଟ୍ରି ମ୍ୟାନ ।