ଅଂଟା ସଳଖୁଛନ୍ତି କୁମ୍ଭକାର ପରିବାର: କରୋନା କଟକଣା କୋହଳ ହେବା ସହ ଧୀରେ ଧୀରେ ସୁଧୁରୁଛି ବ୍ୟବସାୟ

78

କନକ ବ୍ୟୁରୋ: ଅଂଟା ସଳଖୁଛନ୍ତି କୁମ୍ଭକାର ପରିବାର । ଲକଡାଉନରେ ବୁଡିଥିଲା ବେଉସା । ସ୍ୱାଭାବିକ ସ୍ଥିତି ପରେ ପୁଣି ପାରମ୍ପରିକ ବେଉସା ରେ ଲେଉଟି ଆର୍ଥିକ ସ୍ତରରେ ସୁଦୃଢ ହୋଇଛନ୍ତି ଏମାନେ । ପର୍ବପର୍ବାଣୀ ଓ ଯାନିଯାତ୍ରାରେ କୁମ୍ଭାରଶାଳରେ ଜମୁଛି ଭିଡ । ପୂଜାପାଠ ଲାଗି ମାଟିରେ ତିଆରି ଭେଳିକି ଭେଳି ଜିନିଷପତ୍ର କିଣିବାରେ ଜିଲ୍ଲାର କୋଣ ଅନୁକୋଣରୁ ଆସୁଛନ୍ତି ଗ୍ରାହକ । ମାଲକାନଗିରି ଜିଲ୍ଲା ର ବଡ କୁମ୍ଭାରଶାଳ ଗୋଟିଯୋଡିର କୁମ୍ଭାରଗୁଡା ଗାଁ । ୩୫ ପରିବାର ବସବାସ କରୁଥିବା ଏହି ଗାଁ ର ସମସ୍ତେ ନିଜ ହାତରେ ମାଟିରୁ ଚମକାଇ ଜୀବନ୍ତ କରି ବଜାରରେ ବିକ୍ରି କରନ୍ତି ।

ନିଜ ବେଉସାକୁ ଲେଉଟିଲେଣି କୁମ୍ଭାର ପରିବାର । ଲକଡାଉନରେ କୁମ୍ଭାରଶାଳ ବନ୍ଦ ଯୋଗୁ ଏମାନଙ୍କର ଆର୍ଥିକ ସ୍ଥିତି ଦୋହଲି ଯାଇଥିବା ବେଳେ ଏବେ କିନ୍ତୁ ସ୍ୱାଭାବିକ ହେବାରେ ଲାଗିଛି । ମାଲକାନଗିରି ଜିଲ୍ଲା ଗୋଟିଯୋଡି କୁମ୍ଭାରଗୁଡା ଗାଁରେ ଏବେ ଜମୁଛି ଲୋକଙ୍କ ଭିଡ । ପର୍ବପର୍ବାଣୀ ଓ ଯାନିଯାତ୍ରା ଥିବାରୁ ଜିଲ୍ଲାର କୋଣ ଅନୁକୋଣରୁ ଗ୍ରାହକଙ୍କ ଆସର ଜମୁଛି । ମାଟିରେ ତିଆରି ଦୀପ ଠାରୁ ଆରମ୍ଭ କରି ମୃର୍ତି ପର୍ଯ୍ୟନ୍ତ ଅର୍ଡର ଅନୁସାରେ ଯୋଗାଉଛନ୍ତି କୁମ୍ଭାର କାରିଗର । ଏଠାରୁ ମାଲକାନଗିରି, ମାଥିଲି, ମୋଟୁ, କାଲିମେଳା, ବାଲିମେଳା ସମେତ ପଡୋଶୀ ରାଜ୍ୟରେ ମଧ୍ୟ ମାଟି ସମଗ୍ରୀ ବିକ୍ରି ପାଇଁ ନିଆଯାଉଛି ।

୨ ବର୍ଷ ତଳେ କରୋନା ବେଉସା ଛଡାଇ ନେଇଥିଲା । ଗ୍ରାହକ ନ ଆସିବା ଯୋଗୁ ବନ୍ଦ ହୋଇପଡିଥିଲା କୁମ୍ଭାରଶାଳ । ସମଗ୍ରୀ ତିଆରି କରି ହାତ ବାନ୍ଧି ବସିଥିଲେ ପରିବାର ଲୋକେ । ଏବେ ସ୍ୱାଭାବିିକ ସ୍ଥିତି ଫେରିବା ପରେ ମାଟିରେ ତିଆରି ସାମଗ୍ରୀ ର ଅଧିକ ଚାହିଦା ରହିଛି । ଯାତ୍ରା , ପର୍ବ ଓ ଉତ୍ସବରେ ଗୋଟିଯୋଡିରୁ ମାଟି ସାମଗ୍ରୀ ଯାଉଛି । ମାଟିରେ ଭଳିକି ଭଳି ସାମଗ୍ରୀ ତିଆରି କରି ବଜାରରେ ଚାହିଦା ଆକାରରେ ଯୋଗାଉଛନ୍ତି । । ସାଧାରଣତଃ ବିଭିନ୍ନ ପ୍ରକାରର ଦୀପ , ସରା , ହାଣ୍ଡି , କୁମ୍ପି , ମୃର୍ତି ଆଦି ମାଟିରେ ତିଆରି କରିଥାନ୍ତି ଏମାନେ । ଜିଲ୍ଲାର ଦୂରଦୂରାନ୍ତରରୁ ଲୋକେ ଆସି ମନ ପସନ୍ଦର ସାମଗ୍ରୀ ବାଛି ନେଇଥାନ୍ତି ।