କନକ ବ୍ୟୁରୋ: ଆପଣଙ୍କ ହାଣ୍ଡିଶାଳରେ ବଡ଼ଧରଣର ମାଡ଼ ହେବାକୁ ଯାଉଛି। କାରଣ ବ୍ୟବସାୟୀ ସଂଘ କହୁଛି, ବଜାରରୁ ଗାଏବ ହେବାକୁ ବସିଛି ଆଳୁ। ଏବେ ଯେତିକି ଆଳୁ ମହଜୁଦ ଅଛି, ତାହା ଗୋଟିଏ ଦିନର ଆବଶ୍ୟକତାକୁ ପୂରଣ କରିପାରିବ। ତାପରେ କଣ ହେବ। ବର୍ତ୍ତମାନ ଆଳୁ ଦର ୫୦ରୁ ୬୦ ଟଙ୍କା ରହିଛି। ଭାବନ୍ତୁ ଗୋଦାମରୁ ଆଳୁ ସରିଗଲେ, ଦର କେତେ ହେବ।
ଏକେ ତ ଆପଣ ଚଢା ଦରରେ ଆଳୁ କିଣୁଛନ୍ତି । ପୁଣି ଜାଣିଲେ ଆଶ୍ଚର୍ଯ୍ୟ ହେବେ, ୨୪ ଘଂଟା ପରେ ବଜାରରୁ ଆଳୁ ଗାଏବ ହୋଇଯାଇପାରେ। କାରଣ ବର୍ତ୍ତମାନର ବଜାର ସ୍ଥିତି ଯାହା, ଆଉ ଗୋଟିଏ ଦିନ ପାଇଁ ଆଳୁ ମହଜୁଦ ଅଛି। ନଜର ପକାନ୍ତୁ ଏହି ସାଙ୍ଘାତିକ ତଥ୍ୟ ଉପରେ-
ବଜାରରେ ଆଳୁ ସ୍ଥିତି
ରାଜ୍ୟକୁ ଆସିଛି ମାତ୍ର ୪୦ଟି ଆଳୁ ଗାଡି
ଭୁବନେଶ୍ୱରକୁ ୫ଟି ଆଳୁ ଗାଡି ଆସିଛି
ପଶ୍ଚିମବଙ୍ଗରୁ ୪ଟି ଓ ୟୁପିରୁ ଗୋଟିଏ ଗାଡି ଆଳୁ ଆସିଛି
ପୂର୍ବରୁ ରାଜ୍ୟକୁ ଦିନକରେ ୧୭୦ ଗାଡି ଆଳୁ ଆସୁଥିଲା
ଜୁଲାଇ ୨୧ରୁ ପଶ୍ଚିମବଙ୍ଗରୁ ଆଉ ସ୍ୱାଭାବିକ ଭାବେ ଆଳୁ ଆସୁନାହିଁ
ରାଜ୍ୟରେ ଆଳୁ ସଂକଟ ବଢିବାରେ ଲାଗିଛି । ଆଉ ଏହାକୁ ବୁଝିବାକୁ ହେଲେ, ଆମକୁ ରାଜ୍ୟର ଆଳୁ ଆବଶ୍ୟକତାକୁ ବୁଝିବାକୁ ପଡିବ।
ରାଜ୍ୟର ଆଳୁ ଆବଶ୍ୟକତା
ରାଜ୍ୟର ଆବଶ୍ୟକତା ପୂରଣ କରିବାକୁ ବର୍ଷକୁ ୧୪ ଲକ୍ଷ ଟନ୍ ଆଳୁ ଆସିଥାଏ
ହେଲେ ଓଡିଶାରୁ ବର୍ଷକୁ ମାତ୍ର ୭୦ ହଜାର ଟନ୍ ଆଳୁ ଉତ୍ପାଦନ ହେଉଛି
ପ୍ରତ୍ୟେକ ଦିନ ୫ ହଜାର ଟନ୍ରୁ ଅଧିକ ଆଳୁ ବ୍ୟବହାର ହେଉଛି
ତେଣୁ ଲୁଚାଛପାରେ ଆସୁଥିବା ଆଳୁ ଗାଡି ଆଉ ରାଜ୍ୟର ଆବଶ୍ୟକତା ପୂରଣ କରିପାରିବ ନାହିଁ ବୋଲି ଜଳ ଜଳ ହୋଇ ଦେଖାଯାଉଛି । ହେଲେ ଯୋଗାଣ ମନ୍ତ୍ରୀ ପୁଣି ପଶ୍ଚିମବଙ୍ଗରୁ ଆଳୁ ମଗାଇ ଥିବା କହି ମାଡି ଆସୁଥିବା ବଡ ସଂକଟକୁ ଏକପ୍ରକାର ଆଖି ବୁଜି ଦେଇଛନ୍ତି । ଏପରିକି ବଜାରରେ ଆଳୁ କିଲୋ କେତେ ଟଙ୍କାରେ ବିକ୍ରି ହେଉଛି ତାହା ମନ୍ତ୍ରୀଙ୍କୁ ଜଣାନଥିବା ପରି ମନେ ହେଉଛି।
ମନ୍ତ୍ରୀ କହୁଛନ୍ତି ଆଳୁ କିଲୋ ୩୫ ଟଙ୍କାରେ ବିକ୍ରି ହେଉଛି, ହେଲେ ନଜର ପକାନ୍ତୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଜି ଆଳୁ ଦର କେତେ ରହିଛି-
ବିଭିନ୍ନ ଜିଲ୍ଲାରେ ଆଳୁ କିଲୋପିଛା ଦର
କଟକ- ୬୦ ଟଙ୍କା
ଢେଙ୍କାନାଳ- ୫୦ ଟଙ୍କା
ବାଲେଶ୍ୱର- ୪୫ ଟଙ୍କା
ପୁରୀ- ୫୦ ଟଙ୍କା
ସମ୍ୱଲପୁର- ୪୫ଟଙ୍କା
ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ଆଳୁଦର କିଲୋପିଛା ୪୫ରୁ ୬୦ ଟଙ୍କା ଯାଏଁ ରହିଛି । ସବୁଠାରୁ ବଡକଥା ହେଉଛି ଏବେ ବି ଓଡିଶା ତାର ଆଳୁ ଆବଶ୍ୟକତା ପୂରଣ କରିବାକୁ ପଡିଶା ହାତଟେକାକୁ ଅନାଇ ରହିଛି । ତେଣୁ ଏହାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ କିଭଳି ଆତ୍ମନିର୍ଭରଶୀଳ ହୋଇପାରିବ ସେଥିପାଇଁ ସରକାର ପଦକ୍ଷେପ ନେବା ଉଚିତ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/08/23-8.jpg)