ବଦଳିଗଲା ୬୫ ବର୍ଷର ପୁରୁଣା ଆଇନ । ଅତ୍ୟାବଶକୀୟ ସାମଗ୍ରୀ ତାଲିକାରୁ ହଟିଲା ଆଳୁ, ପିଆଜ ଓ ଡାଲି । କଳାବଜାରୀରେ କେମିତି ଲାଗିବ ରୋକ୍ ?

1,721

କନକ ବ୍ୟୁରୋ : ଉଭୟ ସଦନରେ ଆବଶ୍ୟକୀୟ ବସ୍ତୁ ସଂଶୋଧନ ଆଇନ ପାରିତ ହୋଇଛି । ଏହି ବିଲ୍ ବା ବିଧେୟକ ପାରିତ ହେବା ପରେ ଏବେ ଗହମ, ଧାନ, ଆଳୁ, ପିଆଜ, ଖାଇବା ତେଲ ଭଳି ଜିନିଷ ଆଉ ଅତ୍ୟାବଶକୀୟ ସାମଗ୍ରୀ ତାଲିକାରେ ରହିବ ନାହଁ । ୧୫ ସେପ୍ଟେମ୍ବରରେ ଆବଶ୍ୟକୀୟ ବସ୍ତୁ ସଂଶୋଧନ ଆଇନ ଲୋକସଭାରେ ପାରିତ ହୋଇଥିବା ବେଳେ ଏବେ ଏହା ରାଜ୍ୟସଭାରେ ବି ପାରିତ ହୋଇସାରିଛି । ଏହି ବିଲ ଦୀର୍ଘ ୬୫ ବର୍ଷ ପରେ ସଂଶୋଧିତ ହୋଇଛି ।

ଏହା ପାରିତ ହେବା ପରେ ଅତ୍ୟାବଶକୀୟ ସମାଗ୍ରୀ ତାଲିକାରୁ ଖାଦ୍ୟ ସାମଗ୍ରୀକୁ ହଟାଇ ଦିଆଯାଇଛି । ଯେମିତି କି ଆଳୁ, ପିଆଜ, ଖାଇବା ତେଲ, ଡାଲି ଗହମ, ଧାନ ଇତ୍ୟାଦି । ଏହା ପରେ ସ୍ପଷ୍ଟ ହୋଇଛି କି ଏହି ସାମଗ୍ରୀ ମାନଙ୍କର ଦର ନିୟନ୍ତ୍ରଣ କ୍ଷମତା ବା ଦର ନିର୍ଦ୍ଧାରଣ କ୍ଷମତା ସରକାର ହରାଇଛନ୍ତି । ଫଳରେ କୃଷକ ଏସବୁ ସାମଗ୍ରୀର କ୍ରୟ ବିକ୍ରୟ ଦର ନିଜେ ନିର୍ଦ୍ଧାରଣ କରିବ । ସରକାର କେବଳ ଆବଶ୍ୟକ ପଡିଲେ ଏହା ଉପରେ ସମୀକ୍ଷା କରିବେ ଓ ନିୟମକୂୁ କଡା କରିପାରିବେ ।

ତଳ ସଦନରେ ଏହା ଉପରେ ଚାଲିଥିବା ବିତର୍କରେ ଖାଦ୍ୟ ଓ ବଣ୍ଟନ ରାଜ୍ୟମନ୍ତୀ ରାଓସାହେବ ଦାନବେ କହିଥିଲେ କି ଏହି ବିଲ୍ ମାଧ୍ୟମରେ କୃଷିକ୍ଷେତ୍ରରେ ଯୋଗାଣ ଶୃଙ୍ଖଳା ମଜଭୁତ୍ ହେବ । କୃଷକଙ୍କ ଆର୍ଥିକ ସ୍ଥିତି ମଜଭୁତ ହେବ ଓ କୃଷି କ୍ଷେତ୍ରରେ ନିବେଶ ବଢିବ । ସେ ଆହୁରି କହିଛନ୍ତି କି ଏହି ବିଧେୟକ ବଳରେ ଭୋକାଲ ଫର ଲୋକାଲ କୁ ମଜଭୁତ୍ କରାଯାଇ ପାରିବ ।

ହେଲେ ଏହାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ବିରୋଧୀ ମାନେ । ଏହି ବିଲକୁ ଫେରାଇ ନେବାକୁ ଦାବି କରି ସଡକରୁ ସଂସଦ ଯାଏ ବିରୋଧୀ ମାନେ ହଙ୍ଗାମା କରୁଥିବା ଦେଖିବାକୁ ମଳିଛି । ଏକଥା ବି ସ୍ୱିକାର କରାଯାଇଛି କି ଏହି ବିଲ ପାରିତ ହେବା ପରେ ଘରୋଇ ନିବେଶକଙ୍କୁ ନିୟାମକ ହସ୍ତକ୍ଷେପରୁ ମୁକ୍ତି ମିଳିବ । ଏହି ବିଲ ମାଧ୍ୟମରେ କୃଷିକ୍ଷେତ୍ରରେ ସମ୍ପୁର୍ଣ୍ଣ ଯୋଗାଣ ଶୃଙ୍ଖଳାକୁ ମଜଭୁତ କରାଯାଇପାରିବ ।

କ’ଣ ଏହି ବସ୍ତୁ ସଂଶୋଧନ ବିଲ ?
୬୫ ବର୍ଷ ଧରି ପ୍ରଚଳିତ ହୋଇ ଆସୁଥିବା ଏହି କାନୁନ ମାଧ୍ୟରେ ଯେଉଁ ସାମଗ୍ରୀ ସବୁ ରହିଥିଲା ସରକାର ସେସବୁ ସାମଗ୍ରୀର ବିକ୍ରି, ଦର ନିର୍ଦ୍ଧାରଣ, ଯୋଗାଣ ଓ ବଣ୍ଟନ କୁ ନିୟନ୍ତ୍ରଣ କରୁଥିଲେ । ଏବଂ ଏହାର ଅଧିକତମ ଖୁଚୁରା ମୂଲ୍ୟ (ଏମ.ଆର.ପି) ବି ନିର୍ଦ୍ଧାରଣ କରୁଥିଲେ । କିଛି ସମାଗ୍ରୀ ଏଭଳି ଅଛି ଯାହା ବିନା ଜୀବନ ଧାରଣ ସମ୍ଭବ ନୁହେଁ । ସେଭଳି ବସ୍ତୁକୁ ସରକାର ଆବଶ୍ୟକୀୟ ସାମଗ୍ରୀ ତାଲିକାରେ ରଖୁଥିଲେ ।
ଯେତେବେଳେ ସରକାରଙ୍କୁ ସୂଚନା ମିଳୁଥିଲା କି ନିର୍ଦ୍ଧିଷ୍ଠ ଏକ ସାମଗ୍ରୀ ଆବଶ୍ୟକ ମୁତାବକ ବଜାରରେ ବହୁତ କମ୍ ଷ୍ଟକ ରହିଛି ଓ ଏହାର ଦାମ ଲଗାତର ଭାବେ ବୃଦ୍ଧି ପାଇବାରେ ଲାଗିଛି ତେବେ ସରକାର ଏହି ସାମଗ୍ରୀ ଉପରେ କଟକଣା ଲାଗୁ କରୁଥିଲେ ଓ ଏହାର ଖୁଚୁରା ବଜାରର ମୂଲ୍ୟ ନିର୍ଦ୍ଧାରଣ କରୁଥିଲେ । ଏହାସହ କେଉଁ ମାନେ ଏହି ସାମଗ୍ରୀ କେତେ ଷ୍ଟକ ରଖିପାରିବେ ସେମାନଙ୍କ ପାଇଁ ଏକ କଟକଣା ବି ଲାଗୁ କରୁଥିଲେ । ତେଣୁ ଷ୍ଟକ ଓ ମୂଲ୍ୟ ନିଦ୍ଧାରଣ କ୍ଷମତା ସରକାରଙ୍କ ପାଖରେ ଥିଲା । ଫଳରେ କଳାବଜାରୀକୁ ରୋକିବାରେ ସଫଳ ହେଉଥିଲା ସରକାର । କିନ୍ତୁ ଏବେ ଯେଉଁ ବସ୍ତୁ ସଂଶୋଧନ ବିଧେୟକ ପାରିତ ହୋଇଛି ଏହା ଦ୍ୱାରା ଏସବୁ ଦାୟିତ୍ୱ ସରକାର ତାଙ୍କୁ ମୁଣ୍ଡରୁ କାଢି ନେଇଛନ୍ତି ।