କନକ ବ୍ୟୁରୋ: ସୀମା ଡେଇଁଲେ ଅଧା ଦରରେ ମିଳୁଛି ଆଳୁ । ହେଲେ ଓଡିଶାରେ ଆଳୁ କିଣିବାକୁ ଡର ଲାଗୁଛି । କିଛିଦିନ ଧରି ଆଳୁ ପାଇଁ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଦ୍ୱନ୍ଦ ଲାଗି ରହିଛି । ଓଡ଼ିଶାକୁ ଆସୁଥିବା ୮ ଶହରୁ ଉର୍ଦ୍ଧ୍ୱ ଆଳୁ ଗାଡ଼ିକୁ ପଶ୍ଚିମବଙ୍ଗ ସୀମା ସୁନାକଣିଆ ଚେକ ପୋଷ୍ଟ ନିକଟରୁ ଫେରାଇ ନେଇଛନ୍ତି ପଶ୍ଚିମବଙ୍ଗ ସରକାର । ଯାହା ପାଇଁ ଓଡ଼ିଶାରେ ଆଳୁ ଦର ବୃଦ୍ଧି ପାଇଛି । କେଜି ପିଛା ୫୦ ରୁ ୬୦ ଟଙ୍କାରେ କିଣୁଛନ୍ତି ଲୋକେ ।
ସୀମାନ୍ତ ଅଞ୍ଚଳରେ ଓଡ଼ିଶା ପଟେ ୫୦ ରୁ ୬୦ଟଙ୍କାରେ ଆଳୁ ମିଳୁଥିବା ବେଳେ ଗାଁ ଡେଇଁ ଗଲେ ମାତ୍ର ୨୫ ରୁ ୩୦ ଟଙ୍କାରେ ଲୋକେ ଆଳୁ ପାଇ ପାରୁଛନ୍ତି । ସୀମାନ୍ତ ପଶ୍ଚିମବଙ୍ଗ ପଶ୍ଚିମ ମେଦିନିପୁର ଜିଲ୍ଲାର ଦାନ୍ତୋନ ଥାନା ଜେନାଦିଘି, ସୋଲପଟା,ମାଟି ବିରୁଆଁ, ତିଳଦାପଡା, ଧାଇପଡା ସମେତ ଅନେକ ଗାଁରେ ୩୦ ଟଙ୍କା ଭିତରେ ଆଳୁ ମିଳୁଛି । ମାତ୍ର ଗୋଟିଏ କିଲୋମିଟର ଡେଇଁଲେ ଅର୍ଥାତ୍ ଗାଁ ଡେଇଁଲେ ଓଡ଼ିଶା ପଟରେ ୫୦ ପାର ।
ପଶ୍ଚିମବଙ୍ଗରେ ଆଳୁ କୁଇଁଣ୍ଟାଲ ପିଛା ୨ ହଜାର ରହିଥିବା ବେଳେ ଓଡ଼ିଶାରେ କୁଇଣ୍ଟାଲ ପିଛା ୪ ହଜାରରୁ ଅଧିକ ଟଙ୍କାରେ ମିଳୁଛି ଆଳୁ । ସୀମାନ୍ତ ସୁନା କଣିଆ ନାକା ପଏଣ୍ଟ ନିକଟରେ ପୋଲିସ ଜଗି ରହିଥିବାରୁ ଚୋରାରେ ଝାଡ଼ଖଣ୍ଡ ଦେଇ ଗାଡ଼ି ପିଛା ୨୦ ରୁ ୨୫ ହଜାର ହାତଗୁଞ୍ଜା ଦେଇ ଆଳୁ ଆଣୁଥିବା କହିଛନ୍ତି କିଛି ବେପାରୀ।