ବିଜେଡି ପରାଜୟର ପୋଷ୍ଟମର୍ଟମ । ବୀଭିଷଣକୁ ଖୋଜୁଛି ବିଜେଡି । କିଏ କରିଥିଲା ଅନ୍ତର୍ଘାତି କାମ ?

2,588

କନକ ବ୍ୟୁରୋ: ବିଜେଡି ପରାଜୟକୁ ନେଇ ପ୍ରତ୍ୟେକ ଦିନ ନବୀନ ନିବାସରେ ଚାଲିଛି ମାନସମନ୍ଥନ । ନିର୍ବାଚନ ଫଳାଫଳ ଆସିବା ପରଠାରୁ, ୭ ଦିନ ହେଲା କାରଣ ଖୋଜୁଛନ୍ତି ବିଜେଡି ସୁପ୍ରିମୋ । ଏଥିପାଇଁ ବରିଷ୍ଠ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଏକ କମିଟି ମଧ୍ୟ ଗଠନ ହୋଇସାରିଛି । ଏହି କମିଟି ହାରିବା ପଛର କାରଣ ଖୋଜିବ ବୋଲି କୁହାଯାଉଛି ।

ପରାଜିତ ହୋଇଥିବା ବିଜେଡି ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ୧୧ ମନ୍ତ୍ରୀ ଓ ଅନେକ ହେଭିେଓଟ ନେତା ।

  • ଦେବୀ ମିଶ୍ର, ବଡମ୍ବା ବିଜେଡି ବିଧାୟକ ପ୍ରାର୍ଥୀ
  • ଅତନୁ ସବ୍ୟସାଚୀ ନାୟକ, ମହାକାଳପଡା ବିଜେଡି ବିଧାୟକ ପ୍ରାର୍ଥୀ
  • ପ୍ରଶାନ୍ତ ମୁଦୁଲି, ଜଗତସିଂହପୁର ବିଜେଡି ବିଧାୟକ ପ୍ରାର୍ଥୀ
  • ଗୀତାଞ୍ଜଳି ରାଉତରାୟ. ପାରାଦୀପ ବିଜେଡି ବିଧାୟକ ପ୍ରାର୍ଥୀ

ବଡମ୍ବା ବିଜେଡି ପ୍ରାର୍ଥୀ ତଥା ଛଅ ଛଅ ଥରର ବିଧାୟକ ଦେବୀ ମିଶ୍ର ୨୩ ହଜାରରୁ ଅଧିକ ଭୋଟରେ ହାରିଛନ୍ତି । ମହାକାଳପଡାର ବିଜେଡି ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକ ୩୩ ହଜାରୁ ଅଧିକ ଭୋଟରେ ପରାଜିତ ହୋଇଛନ୍ତି । କୁହାଯାଉଥିଲା ଚିରଞ୍ଜୀବ ବିଶ୍ୱାଳ ବିଜେଡିରେ ମିଶିବା ଫଳରେ ଆହୁରି ଶକ୍ତିଶାଳୀ ହେବ ଜଗତସିଂହପୁର ବିଜେଡି । ହେଲେ ୨୨ ହଜାର ପ୍ଲସ ଭୋଟରେ ଅମରେନ୍ଦ୍ରଙ୍କଠାରୁ ହାରିଗଲେ ପ୍ରଶାନ୍ତ ମୁଦୁଲି । ସମାନ ଚିତ୍ର ମଧ୍ୟ ଦେଖିବାକୁ ମିଳିଛି ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀରେ । ବାପି ସର୍ଖେଲଙ୍କ ପତ୍ନୀ ବିଜେଡିରେ ମିଶିବା ପରେ ବି ଦାମ ରାଉତଙ୍କ ବୋହୁ ଗୀତାଂଜଳି ରାଉତରାୟ ୧୫ ହଜାର ଭୋଟରେ ହାରିଗଲେ । ଏହି ପରାଜୟ ପଛରେ ଅନେକ କାରଣ ଥିବା କୁହାଯାଇଛି ।

ଯାଜପୁର କୋରେଇ ହେଉ କିମ୍ବା ସୁକିନ୍ଦା ଆସନ ହେଉ ଏଠି ମଧ୍ୟ ଦୁଇ ଗୋଷ୍ଠିଙ୍କ ମଧ୍ୟରେ ଟଣାଭିଡା ଯୋଗୁଁ ବିଜେଡିର ଏହି ଆସନ ଅଳ୍ପକେ ଖସିଯାଇଛି । ତେଣୁ ବିଜେଡି ମହଲରେ ଚର୍ଚ୍ଚା ହେଉଛି ଦଳରେ ଥିବା ବିଭୀଷଣଙ୍କ ଲମ୍ବା ତାଲିକା ପ୍ରସ୍ତୁତ ହେଉଛି । ରିପୋର୍ଟ ଆସିବା ପରେ ଆକ୍ସନ ନେଇପାରନ୍ତି ବିଜେଡି ସୁପ୍ରିମୋ । ୧୦ ହଜାରୁ କମ ଭୋଟ ବ୍ୟବଧାନରେ ୨୮ ସିଟରେ ବିଜେଡି ପରାଜୟ ବରଣ କରିଛି ୨୦୨୪ ନିର୍ବାଚନରେ । ପରାଜୟ ବରଣ କରିଥିବା ନେତାଙ୍କୁ ଡାକି ନବୀନ ଓାନ ଟୁ ଓାନ ଆଲୋଚନା ମଧ୍ୟ କରୁଛନ୍ତି ।