ଏଣିକି ଘରେ ବସି ଖୋଲିପାରିବେ ଆକାଉଣ୍ଟ ! ଡାକବିଭାଗ ଆଣିଲା ଅନେକ ସୁବିଧା, ମାଇକ୍ରୋ ଏଟିଏମ ସାଜିବେ ଡାକବାଲା ।

79

ଚିଠି ନେଇ ଆପଣଙ୍କ ଘରକୁ ଆସୁଥିବା ଡାକବାଲା ଏବେ ଆପଣଙ୍କ ପାଇଁ ମାଇକ୍ରୋ ଏଟିଏମ ହେବାକୁ ଯାଉଛନ୍ତି । ଆପଣ ଏବେ ଘରେ ବସି ଆପଣଙ୍କ ପୋଷ୍ଟ ଅଫିସରେ ଖାତା ଖୋଲିବା ସହ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା କରିପାରିବେ । ଏବଂ ଆପଣଙ୍କ ଇଛା ଅନୁସାରେ ଯେତେବେଳେ ଚାହିଁବେ ବିନା କୌଣସି ଶୁଳ୍କରେ ଟଙ୍କା ଉଠାଇ ପାରିବେ । ଏହି ସୁବିଧା ଆରମ୍ଭ ହେବା ପରେ ପୋଷ୍ଟ ଅଫିସରେ ଖାତା ଖୋଲୁଥିବା ହଜାର ହଜାର ଲୋକଙ୍କୁ ବ୍ୟାଙ୍କରେ ହେଉଥିବା ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ଜମା ଖାତାରେ ଅଳ୍ପ ରାଶି ରହିଲେ ଫାଇନ ଆକାରରେ କଟୁଥିବା ଅର୍ଥରାଶିର ଚିନ୍ତା ମଧ୍ୟ ରହିବ ନାହିଁ । ଏହି ସୁବିଧା ଏକ ମାସ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ।

ଏହି ସୁବିଧା ଦ୍ୱାରା କୌଣସି ବ୍ୟକ୍ତି ପୋଷ୍ଟବ୍ୟାଙ୍କରେ ନିଜ ଆଧାରକାର୍ଡ ଆଧାରରେ ମାତ୍ର ୨ ଶହ ଟଙ୍କା ଜମା କରି ଖାତା ଖୋଲି ପାରିବେ । ଆଉ ଏଥି ପାଇଁ ତାଙ୍କୁ ପୋଷ୍ଟ ଅଫିସକୁ ଯିବା ମଧ୍ୟ ଆବଶ୍ୟକତା ରହିବ ନାହିଁ ।

ରାୟପୁର ଏବଂ ରାଞ୍ଚି ଡାକ ପରିମଣ୍ଡଳରେ କ୍ୟାସଲେସ ବ୍ୟବସ୍ଥାରେ ବୃଦ୍ଧି କରିବା ପାଇଁ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଆରମ୍ଭ କରାଯାଇଛି । ତେବେ ଏହି ସୁବିଧା ଆସନ୍ତା ୧ ମାସ ମଧ୍ୟରେ ଜଗଦଲପୁର, କାଙ୍କେର, ଦନ୍ତେବାଡା, ସୁକମା, ବୀଜାପୁର, ନାରାୟଣପୁର ଏବଂ କୋଣ୍ଡାଗାଓଁର ପ୍ରଧାନ ଡାକଘରେ ଆରମ୍ଭ କରାଯିବ । ଜଗଦଲପୁର ସ୍ଥିତ ପ୍ରଧାନ ଡାକଘରର ଅଧୀକ୍ଷକ ଉମାଶଙ୍କର ସିଂହ କହିଛନ୍ତି ଯେ, ଲୋକମାନଙ୍କର ଲାଭ ପାଇଁ ଏହି ସୁବିଧା ଆରମ୍ଭ କରାଯାଉଛି । ଆପଣଙ୍କ ଘରକୁ ଡାକ ନେଇ ଆସୁଥିବା ଡାକବାଲାଙ୍କୁ ଅର୍ଥରାଶି ଦେଇ ଆପଣ ଜମାଖାତା ଖୋଲିପାରିବେ । ଏବଂ ଯେତେବେଳେ ଆପଣ ଅର୍ଥରାଶି ଜମା କରିବେ କିମ୍ବା ଉଠାଣ କରିବେ ତେବେ ଆପଣଙ୍କୁ ଏହାର ରସିଦ ମଧ୍ୟ ମିଳିବ । ଜଣେ ବ୍ୟକ୍ତି ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥରାଶି ଜମାଖାତାରେ ଜମା କରିପାରିବେ ଏବଂ ଯେତେବେଳେ ଚାହିଁବେ ବିନା କୌଣସି ଶୁଳ୍କରେ ଟଙ୍କା ଉଠାଣ ମଧ୍ୟ କରିପାରିବେ ।

ସୂଚନା ଅନୁଯାୟୀ, ପୋଷ୍ଟ ବ୍ୟାଙ୍କ ପାଇଁ ସହରାଞ୍ଚଳରେ ପୋଷ୍ଟମ୍ୟାନ ଏବଂ ଗାଁ ମାନଙ୍କରେ ସହାୟକ ଡାକ ବିତରକ ମାନଙ୍କୁ ମୋବାଇଲ ଯୋଗାଇଦିଆଯିବ । ଆଉ ଏହା ମାଧ୍ୟମରେ ସେମାନେ ମାଇକ୍ରୋ ଏଟିଏମ ଭଳି ସେବା ଯୋଗାଇଦେବେ । ଆଉ ଏଥି ପାଇଁ ନୂଆ ନିଯୁକ୍ତି ଦିଆଯିବା ସହ ସେମାନଙ୍କୁ ପ୍ରଶିକ୍ଷଣ ମଧ୍ୟ କରାଯିବ ।

ଏହା ସହ ଡାକ ବିଭାଗ ନିଜ ସମସ୍ତ ଉପଭୋକ୍ତାମାନଙ୍କୁ ଡେବିଟ କାର୍ଡ ମଧ୍ୟ ଯୋଗାଇଦେବ ଯାହା ଫଳରେ ସେମାନେ କୌଣସି ଦୋକାନରୁ କାର୍ଡ ମାଧ୍ୟମରେ ସାମଗ୍ରୀ କିଣିପାରିବେ । ଏଥି ପାଇଁ କୌଣସି ପ୍ରକାର ଶୁଳ୍କ ଦେବାକୁ ପଡିବ ନାହିଁ । ଏହି ସୁବିଧା ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ।