ଶିବନ୍ ତୁମକୁ ଶହେ ସଲାମ୍ , କର୍ମ ହିଁ ତୁମକୁ କରିଛି ମହାନ୍ : ନିଷ୍ଠାପରତାର ନିଚ୍ଛକ ପରିଚୟ ‘ଡି.ଶିବନ୍’  , ୩୦ ବର୍ଷ ଚାକିରୀରେ ପ୍ରତିଦିନ ୧୫ କି.ମି. ପାହାଡ଼ ଚଢି ଦୁର୍ଗମ ଅଂଚଳବାସୀଙ୍କୁ ଖୁସିର ସନ୍ଦେଶ ଦେଉଥିବା ମଣିଷଟିଏ ।

504

ଆଜିର ସମୟରେ ଟିକେ ସୁଖସୁବିଧାରୁ ବଂଚିତ ହେଲେ କର୍ମଚାରୀ କାମକୁ ନେଇ ଅସନ୍ତୋଷ ପ୍ରକାଶ କରନ୍ତି । ଧର୍ଯ୍ୟହରା ହୋଇ ଅବସାଦକୁ ଚାଲିଯାନ୍ତି । କିନ୍ତୁ କର୍ମକୁ ଭଗବାନ ଭାବି ଏବେବି କିଛି ଲୋକ କାମ କରି ଆସୁଛନ୍ତି । ଆଜି ଆମେ ଆପଣଙ୍କୁ ଏହିଭଳି ଜଣେ ବ୍ୟକ୍ତିଙ୍କ କଥା କହିବାକୁ ଯାଉଛୁ । ଡ଼ାକବିଭାଗରେ ଦୀର୍ଘ ୩୦ ବର୍ଷ କାଳ ଚାକିରୀ କରି ଦୁର୍ଗମ ଅଞ୍ଚଳକୁ ଚିଠି ପହଁଚାନ୍ତି ତାମିଲନାଡୁର ପୋଷ୍ଟମ୍ୟାନ୍ ଡି.ଶିବନ୍ । ପ୍ରତିଦିନ ୧୫ କି.ମି. ରାସ୍ତା ପାଦରେ ଚାଲି ଘଞ୍ଚ ଜଙ୍ଗଲ ଦେଇ ହିଂସ୍ରଜନ୍ତୁଙ୍କୁ ସାମ୍ନା କରି ସେ ଲୋକଙ୍କ ପାଖକୁ ଚିଠି ପହଁଚାନ୍ତି । କୁନ୍ନୁର୍ ନାମକ ଏକ ଦୁର୍ଗମ ଅଂଚଳରେ ଶିବନଙ୍କୁ ଲୋକମାନେ ଖୁବ୍ ଭଲପା’ନ୍ତି । ଲୋକଙ୍କ ସୁବିଧା ପାଇଁ ସେ ଝରଣା,ସୁରଙ୍ଗ,ଜନ୍ତୁଜୁନ୍ତା ଏଭଳି ଅନେକ ସମସ୍ୟା ଦେଇ ଦୀର୍ଘ ୩୦ ବର୍ଷ କାଳ କୌଣସି ଅସନ୍ତୋଷ ପ୍ରକାଶ ନକରି କାମ କରିଛନ୍ତି । ତେବେ ନିକଟରେ ଏହି ପୋଷ୍ଟମ୍ୟାନ୍ ଚାକିରୀରୁ ଅବସର ନେଇଛନ୍ତି ।

ଆଇଏଏସ୍ ଅଧିକାରୀ ସୁପ୍ରିୟା ସାହୁ ନିଜ ଟ୍ୱିଟରରେ ଏହି ପୋଷ୍ଟମ୍ୟାନଙ୍କ ବିଷୟରେ ଲେଖି ଲୋକଙ୍କୁ ତାଙ୍କ କାମ ପ୍ରତି ଥିବା ନିଷ୍ଠାପରତାକୁ ବ୍ୟାଖ୍ୟା କରିଛନ୍ତି । ସୋସିଆଲ୍ ମିଡ଼ିଆରେ ଲୋକମାନେ ଶିବନଙ୍କ କାମକୁ ଖୁବ୍ ପ୍ରଶଂସା କରୁଛନ୍ତି । ୩୦ ବର୍ଷ କାଳ କୁନ୍ନୁରର ଖାଲ-ଖମ୍ମା ନୀଳଗିରି ପାହାଡ଼ ଡ଼େଇଁ ଗାଁ ଭିତରକୁ ଯାଇ ଲୋକଙ୍କୁ ପରିଜନଙ୍କ ସନ୍ଦେଶ ଦେଉଥିବା ଏହି ବ୍ୟକ୍ତି ଏବେ ସୋସିଆଲ୍ ମିଡ଼ିଆରେ “ସଚ୍ଚା ଯୋଦ୍ଧା” ର ପରିଚୟ ପାଇଛନ୍ତି । କିଛି ଲୋକ ତ ତାଙ୍କୁ ପୁରଷ୍କାର ଦେବା ପାଇଁ ସରକାରଙ୍କୁ ଗୁହାରୀ ଲଗାଇଛନ୍ତି ।