କନକ ବ୍ୟୁରୋ : ଏନସିପିରେ ବିଦ୍ରୋହ ପରେ ନିର୍ବାଚନ ଚିହ୍ନକୁ ନେଇ ଏବେ ଦିଲ୍ଲୀରେ ସୁପ୍ରିମୋ ଶରଦ ପାୱାର ବୈଠକ କିରିଥିିବା ବେଳେ ପୋଷ୍ଟର ୱାର ଦେଖିବାକୁ ମିଳିଛି । ଗୋଟିଏ ପୋଷ୍ଟରରେ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ବାହୁବଳୀ ଓ ଦଳର ଅନ୍ୟତମ ପ୍ରମୁଖ ନେତା ଅଜିତ ପାୱାରଙ୍କୁ କଟପ୍ପା ଭାବେ ଚିତ୍ରଣ କରାଯାଇଛି । ଆଉ ଏକ ପୋଷ୍ଟର ଜରିଆରେ ଅଜିତ ପାୱାରଙ୍କୁ ଜଣେ ଧୋକେବାଜ ବା ଗଦ୍ଦାର ବୋଲି ଚିତ୍ରଣ କରାଯାଇଛି । ଆଉ ଲୋକେ କେବେ ବି ଅଜିତଙ୍କୁ କ୍ଷମା କରିବେ ନାହିଁ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି । ଆଉ ଗୋଟିଏ ଚିତ୍ରରେ ଦିଲ୍ଲୀରେ ଶରଦ ପାୱାରଙ୍କର ଲାଗିଥିବା ପୋଷ୍ଟର ହଟାଯାଉଛି ।

Advertisment

ଏନସିପିର ପ୍ରତିଷ୍ଠାତା ଶରଦ ପାୱାର ଏବଂ ବିଦ୍ରୋହୀ ଅଜିତ ପାୱାର ନିଜ ନିଜ ସମର୍ଥକଙ୍କୁ ନେଇ ବୁଧବାର ଦୁଇ ବୈଠକ କରିବା ପରେ ଦଳର ନାମ ତଥା ନିର୍ବାଚନ ଚିହ୍ନ ଦାବି କରି ଏବେ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଅଜିତ ପାୱାର କ୍ୟାମ୍ପ ନିର୍ବାଚନ ଆୟୋଗଙ୍କ ନିକଟକୁ ଯାଇ ଦଳର ଅଧିକାଂଶ ବିଧାୟକଙ୍କ ସମର୍ଥନ ରହିଛି ବୋଲି ଦାବି କରିଛିି । ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ହୋଇଥିବା ଅଜିତ ପାୱାର ୪୦ ଜଣ ବିଧାୟକ, ଏମଏଲସି ଏବଂ ସାଂସଦଙ୍କ ସହଯୋଗରେ ଦଳର ଚିହ୍ନ ଏବଂ ନାମ ଦାବି କରିଛନ୍ତି । ଅଜିତ ପାୱାର ଦଳର ସମସ୍ତ ବିଧାୟକଙ୍କ ଦ୍ୱାରା ଦସ୍ତଖତ ହୋଇଥିବା ଆଫିଡେଭିଟ୍ ନିର୍ବାଚନ ଆୟୋଗଙ୍କୁ ହସ୍ତାନ୍ତର କରିଛନ୍ତି । ଜୁନ ୩୦ରୁ ଅଜିତ ପାୱାର ଏନସିପିର ସଭାପତି ଭାବେ କାର୍ଯ୍ୟ କରୁଥିବା ନିର୍ବାଚନ କମିଶନଙ୍କୁ ଜଣାଇ ଦିଆଯାଇଛି । ଏହାପରେ ସମର୍ଥକଙ୍କୁ ମୁମ୍ବାଇର ଏକ ହୋଟେଲରେ ରଖାଯାଇଛି । ଅନ୍ୟପଟେ ମନ୍ତ୍ରୀ ଭାବେ ଶପଥ ନେଇଥିବା ଏନସିପିର ୯ ବିଧାୟକଙ୍କୁ ବହିସ୍କାର କରାଯାଇଥିବା ଶରଦ ପାୱାର ଗୋଷ୍ଠୀ କହିଛି ।

ଏବେ ନିର୍ବାଚନ କମିଶନଙ୍କ କୋର୍ଟରେ ବଲ୍ । ପୂର୍ବରୁ ଶିବସେନାରେ ବିଦ୍ରୋହ ବେଳେ ସିନ୍ଦେ ଗୋଷ୍ଠୀ ସହ ଅଧିକ ବିଧାୟକ ରହିଥିବାରୁ ଉଦ୍ଧବ ଠାକରେଙ୍କ ହାତରୁ ନେତୃତ୍ୱ ଖସିଯାଇଛି । ତେଣୁ ଏବେ ଅଜିତଙ୍କ ସ୍ଥିତି ମଜବୁତ ରହିଥିବା କୁହାଯାଉଛି । ତେଣୁ ପୁତୁରାର ରାଜନୈତିକ ଗୋଟିରେ ଶରଦ ପାୱାର କ୍ଲିନ ବୋଲଡ ହେବେ କି ନାହିଁ ତାକୁ ନେଇ ଚର୍ଚ୍ଚା ବଢିଛି ।