ନିର୍ବାଚନ ତାତି ଭିତରେ ‘ପୋଷ୍ଟର ୱାର’: ମୋଦୀଙ୍କୁ ମିଛୁଆ କହିଲା କଂଗ୍ରେସ, ରାହୁଲଙ୍କୁ ରାବଣ କହିଲା ବିଜେପି

178

କନକ ବ୍ୟୁରୋ: ବୁଧବାରଠୁ ସୋସିଆଲ ମିିଡିଆରେ ପରସ୍ପରକୁ ଆକ୍ଷେପ କରିଚାଲିଛନ୍ତି କଂଗ୍ରେସ ଓ ବିଜେପି । କଂଗ୍ରେସ ନିଜ ସୋସିଆଲ ମିଡିଆ ସ୍ପେଶଏକ୍ସରେ ଏକ ପୋଷ୍ଟର ପୋଷ୍ଟ କରିଥିଲା । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଦେଖିବାକୁ ମିଳିଥିଲା । ପୋଷ୍ଟରେ ଲେଖାଯାଇଥିଲା ମୋଦୀ ହେଉଛନ୍ତି ଜୁମଲା ବୟ ବା ମିଛୁଆ ବ୍ୟକ୍ତି । କଂଗ୍ରେସର ପୋଷ୍ଟ ପରେ ଆକ୍ରାତ୍ମକ ହୋଇପଡିଛି ବିଜେପି । ଚୁପ ନରହି ଦେଇଛି କଡ଼ା ଜବାବ । ଗୁରୁବାର ସୋସିଆଲ ମିଡିଆରେ ଦଳ ଏକ ଫଟୋ ପୋଷ୍ଟ କରିଛି । ଏଥିରେ ରାହୁଲଙ୍କୁ ନୂଆ ଯୁଗର ରାବଣ ବୋଲି ଦର୍ଶାଇଛି ଭାରତୀୟ ଜନତା ପାର୍ଟି । ପୋଷ୍ଟରେ ଲେଖାଯାଇଛି, ଏ ହେଉଛନ୍ତି ନୂଆ ଯୁଗର ରାବଣ । ସେ ଖଳ ପ୍ରକୃତିର ଏବଂ ଧର୍ମ ତଥା ରାମ ବିରୋଧୀ । ଦେଶକୁ ଧ୍ୱଂସ କରିବା ତାଙ୍କର ଏକମାତ୍ର ଲକ୍ଷ୍ୟ । ବିଜେପି ପକ୍ଷରୁ ଜାରି କରାଯାଇଥିବା ଏହି ପୋଷ୍ଟରରେ ରାହୁଲଙ୍କ ୭ଟି ମୁଣ୍ଡ ଦେଖାଦେଇଛି । ଏହି ପୋଷ୍ଟରର ଉପରି ଭାଗରେ ଲେଖାଯାଇଛି ଭାରତ ବିପଦରେ ରହିଛି । ଆହୁରି ମଧ୍ୟ ଲେଖାଅଛି, ରାବଣ- ଏ କଂଗ୍ରେସ ପାର୍ଟି ପ୍ରଡକସନ, ଜର୍ଜ ସୋରେସଙ୍କ ଦ୍ୱାରା ନିର୍ଦ୍ଦେଶିତ । ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଉଭୟ ଦଳ ପ୍ରତିକ୍ରିୟା ରଖିଛନ୍ତି ।

ଗୋଟେ ପଟେ ସୋସିଆଲ ମିଡିଆରେ ପରସ୍ପର ଉପରେ କାଦୁଅ ଫିଙ୍ଗାଫିଙ୍ଗି ହେଉଛନ୍ତି କଂଗ୍ରେସ ଓ ବିଜେପି । ସେପଟେ ଜମ୍ମୁକଶ୍ମୀର, ଗୁଜରାଟ, କୋଲକାତା, ରାଜସ୍ଥାନ ଓ ଅନ୍ୟ ସ୍ଥାନରେ ବଡ ଧରଣର ବିକ୍ଷୋଭ କରିଛନ୍ତି କଂଗ୍ରେସ କର୍ମୀ । ବିଭିନ୍ନ ସ୍ଥାନରେ ବିଜେପିର ପୋଷ୍ଟର, ନେତାଙ୍କ ଫଟୋ ଓ କୁଶପୁତଳିକା ଦାହ କରି ନାରାବାଜୀ କରାଯାଇଛି ।

ନିର୍ବାଚନ ଦିନ ଯେତିକି ପାଖେଇ ଆସୁଛି ସେତିକି ବଢିଚାଲିଛି ବୟାନବାଜୀ । କେବେ ମଂଚରୁ କେବେ ସୋସିଆଲ ମିଡିଆରେ । ଦୁଇ ପରମ ପ୍ରତିଦ୍ୱନ୍ଦୀ ବିଜେପି-କଂଗ୍ରେସ ମଧ୍ୟରେ ପରସ୍ପରକୁ ଟାର୍ଗେଟ କରିବାକୁ ଗୋଟିଏ ମୌକା ମଧ୍ୟ ହାତଛଡା କରୁନାହାଁନ୍ତି । ଏହା ଭିତରେ ପୁଣି ତେଜିଛି ପୋଷ୍ଟର ୱାର ।