ପାର୍ବଣରେ ପୋଷ୍ଟର ୱାର । ରାଜଧାନୀରେ ଛାଇଯାଇଛି ନେତାଙ୍କ ପୋଷ୍ଟର । ରାଜନୈତିକ ପ୍ରଚାର ପାଇଁ ସହର ସାରା ଲାଗିଛି ହୋର୍ଡିଂ, କାନ୍ଥରେ ଲେଖା ହୋଇଛି ନାରା ।

104

କନକ ବ୍ୟୁରୋ: ରାଜଧାନୀରେ ପୋଷ୍ଟର ୱାର । ମୁହାଁମୁହିଁ ବିଜେପି-ବିଜେଡି । କାନ୍ଥବାଡ଼ରେ ପୋଷ୍ଟର ଲଗାଇ ଚାଲିଛି ରାଜନୈତିକ ପ୍ରତିଦ୍ୱନ୍ଦିତା । ଦୁଇ ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ଛକାପଞ୍ଝା । ଯେଉଁଠି ବିଜେପିର ଦଳୀୟ ଚିହ୍ନ ରହିଛି ସେଠି ଲେଖା ଯାଇଛି- ଆଉ ଥରେ ଅପରାଜିତା । ଆଉ ଯେଉଁଠି ବିଜେଡିର ଦଳୀୟ ଚିହ୍ନ ରହିଛି ସେଠି ଲେଖା ରହିଛି- ଆମ ଚିହ୍ନ ଶଙ୍ଖ ଚିହ୍ନ । ପୂର୍ବରୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସମର୍ଥକ ରାଜଧାନୀର ବିଭିନ୍ନ କାନ୍ଥରେ ‘ପୁଣି ଅପରାଜିତା’ ଲେଖୁଥିଲେ । ଏବେ ବିଜେଡି ମଧ୍ୟ କାନ୍ଥରେ ପୋଷ୍ଟର ମାରିବା ଆରମ୍ଭ କରିଛି । ବିଭିନ୍ନ ସ୍ଥାନରେ ବିଜେଡି କର୍ମୀମାନେ ‘ଶଙ୍ଖ ବିକାଶର ଚିହ୍ନ’ ଓ ‘ଆମ ଚିହ୍ନ ଶଙ୍ଖ ଚିହ୍ନ’ ଲେଖାଥିବା ପୋଷ୍ଟର ଲଗାଉଛନ୍ତି । ଯାହାକୁ ନେଇ ଆରମ୍ଭ ହୋଇଛି ପୋଷ୍ଟର ୱାର ।

ବିଜେପି ନାରାକୁ କାନ୍ଥରୁ ଲିଭାଉଛି କିଏ?
ବିଜେଡି ବିରୋଧରେ ଅଭିଯୋଗ ଆଣିଲା ବିଜେପି

ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପୋଷ୍ଟର ତଥା କାନ୍ଥରେ ଥିବା ନାରାକୁ ବିଜେଡି ଜାଣିଶୁଣି ନଷ୍ଟ କରୁଥିବା ବିଜେପି ଅଭିଯୋଗ କରିଛି । ଦଳ କହିଛି, ବିଜେଡି ଏବେ ବିଜେପି ଓ ସାଂସଦଙ୍କୁ ଦେଖି ଭୟଭୀତ ହୋଇପଡ଼ିଛି । ଫଳରେ ପ୍ରଶାସନିକ ବଳ ଲଗାଇ ଦେଇଛି । ଆଗାମୀ ଦିନରେ ଭୁବନେଶ୍ୱରବାସୀ ଓ ରାଜ୍ୟବାସୀ ଏହାର ଜବାବ ଦେବେ । ସେପଟେ ବିଜେପିର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି । ଦଳ କହିଛି, ବିଜେଡି ପୋଷ୍ଟର ଲଢେଇରେ ବିଶ୍ୱାସ କରେ ନାହିଁ । ଲୋକଙ୍କ ମନ ଜିତିବାରେ ବିଶ୍ୱାସ କରେ । ବିଜେଡି ଲୋକଙ୍କ ସହ ରହିଛି, ଆଗକୁ ମଧ୍ୟ ରହିବ ।

ନିର୍ବାଚନର ଢ଼େର ଆଗରୁ ଭୁବନେଶ୍ୱରରେ ଯେଉଁ ଭଳି ଢ଼ଙ୍ଗରେ ରାଜନୈତିକ ପ୍ରତିଦ୍ୱନ୍ଦିତା ଆରମ୍ଭ ହୋଇଗଲାଣି, ଏଥିରୁ ହୁଏତ ଗୋଟିଏ କଥା ସ୍ପଷ୍ଟ ଯେ, ୨୦୨୪ରେ ବଡ଼ ଧରଣର ଲଢ଼େଇ ଦେଖିପାରେ ରାଜଧାନୀ ଭୁବନେଶ୍ୱର ।