ଓଡ଼ିଶା ଗାଁରେ ଲାଗିଲା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ପୋଷ୍ଟର । କୋଟିଆ ଓ ଗଙ୍ଗାବାଡ ପରେ ଏବେ ଗଞ୍ଜାମର ଗୁଡିଖଳା ଉପରେ ଆନ୍ଧ୍ରର ଆଖି ।

148

କନକ ବ୍ୟୁରୋ: ଆଶା କରାଯାଉଥିଲା ଜଗନ -ନବୀନ ଭେଟ ପରେ ଆନ୍ଧ୍ର-ଓଡିଶା ମଧ୍ୟରେ ଥିବା ସୀମା ବିବାଦର ସମାଧାନ ପାଇଁ ବାଟ ଫିଟିବ । କିନ୍ତୁ ଦୁଇ ରାଜ୍ୟର ମୁଖ୍ୟଙ୍କ ଆଲୋଚନା ପରେ ବି ଆନ୍ଧ୍ର ତାର ବିସ୍ତାରବାଦ ନୀତି ଜାରି ରଖିଛି । କୋଟିଆ, ଗଙ୍ଗାବାଡ ପରେ ଏବେ ଗୁଡିଖଳା ଗାଁର ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଲୋଭନୀୟ ଅଫର ଦେଇଛି । ଯାହା ଆନ୍ଧ୍ରର ଦୋମୁହାଁ ନୀତିକୁ ପଦାରେ ପକାଇଛି ।

ପଡୋଶୀ ରାଜ୍ୟ ଆନ୍ଧ୍ରପଦେଶର ଲୋଲୁପ ଦୃଷ୍ଟି ଏବେ ଓଡିଶାର ସୀମାବର୍ତ୍ତୀ ଗାଁ ଗୁଡିକ ଉପରେ ପଡିଛି । କୋରାପୁଟର କୋଟିଆ, ଗଜପତିର ଗଙ୍ଗାବାଡ ପରେ ଏବେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକର ଗୁଡ଼ିଖଳା ଗାଁ ଉପରେ ନଜର ପକାଇଛି ଆନ୍ଧ୍ର ସରକାର । ଗୁଡି଼ଖଳା ସୀମାକୁ ନେଇ ଗଂଜାମ ଗଜପତି ପ୍ରଶାସନ ଭିତରେ ଟଣା ଓଟରା ଚାଲିଥିବା ବେଳେ ଆନ୍ଧ୍ର ଏହି ଗାଁ ତାର ବୋଲି ଦାବି କରିବା ସହ ନିଜର ଉପସ୍ଥିତି ଜାହିର କରିବାକୁ ପୋଷ୍ଟର ମାରିଛି । ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ ସମୟରେ ଗୁଡିଖଳା ଗାଁରେ ଭୋଟ କରିବା ନେଇ, ଆନ୍ଧ୍ର୍ର ଅଧିକାରୀ ଓ ଓଡିଶା ପ୍ରଶାସନିକ ଅଧିକାରୀ ଗତି କିଛି ମାସ ତଳେ ମୁହାଁମୁହିଁ ହୋଇଥିଲେ । କିଛି ଦିନ ନୀରବ ରହିବା ପରେ ଏବେ ପୁଣି ଆନ୍ଧ୍ରର ନୂଆ ଚାଲ ସାମନାକୁ ଆସିଛି ।

ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକରେ ଥିବା ଗୁଡ଼ିଖୋଳା ଗାଁର ପ୍ରତ୍ୟେକ ଘର କାନ୍ଥରେ ଲାଗିଛି ଆନ୍ଧ୍ର କଲ୍ୟାଣ କ୍ୟାଲେଣ୍ଡର । ଏଥିରେ ଆନ୍ଧ୍ର ସରକାରଙ୍କ ଦ୍ୱାରା ଲୋକମାନେ କିଭଳି ଲାଭବାନ ହେଉଛନ୍ତି ସେନେଇ ଉଲ୍ଲେଖ ସମ୍ପୂର୍ଣ୍ଣ ତଥ୍ୟ ରହିଛି । ଏଥିସହ କେଉଁ ମାସରେ କେଉଁ ଯୋଜନାରେ ଟଙ୍କା ମିଳିବ ତାହା ମଧ୍ୟ ପୋଷ୍ଟରରେ ଲେଖାଯାଇଛି । ଏପରିକି ପୋଲିସ, ଆମ୍ବୁଲାନ୍ସ, ଫାୟାର ଷ୍ଟେସନ, ମେଡ଼ିକାଲ ସହ ମଦ୍ୟପାନ, କୃଷି ସାଧାରଣ ସମସ୍ୟା ପାଇଁ ମଧ୍ୟ ଟୋଲଫ୍ରିି ନମ୍ବର ଜାରି କରିଛି ଆନ୍ଧ୍ର ପ୍ରଶାସନ । ତେବେ ଓଡିଶା ସରକାରଙ୍କ ପାଦ ପଡୁନଥିବାରୁ ଆନ୍ଧ୍ର ଏଭଳି କରୁଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ ।

ଭୌଗଳିକ ଦୃଷ୍ଟି କୋଣରୁ ଏସବୁ ଗାଁ ଆନ୍ଧ୍ରପ୍ରଦେଶ ଉପରେ ବିଶେଷ ଭାବରେ ନିର୍ଭର କରିଥାନ୍ତି । କିନ୍ତୁ ଆନ୍ଧ୍ର ସରକାର ଏହାର ଫାଇଦା ନେଇ ନିଜ ଅକ୍ତିିଆରକୁ ନେବାକୁ ଯେଉଁଭଳି ଚାଲ ଚଳାଇଛି ଏବେ ଠାରୁ ଓଡିଶା ସରକାର ସାବଧାନ ନହେଲେ, ଆଗାମୀ ଦିନରେ ଏହା ବଡ ବିବାଦ ହୋଇ ଉଭା ହେବ ।