କନକ ବ୍ୟୁରୋ:  ସିବିଆଇ ଜାଲରେ ଲାଞ୍ଚୁଆ ପୋଷ୍ଟାଲ ଇନ୍ସପେକ୍ଟର। ସାର୍ଟିଫିକେଟ କରାଇ ଦେବାକୁ ମାଗିଥିଲେ ୨୦ ହଜାର ଲାଞ୍ଚ। ହେଲେ ସିବିଆଇ ଜାଲରେ ପଡିଗଲେ ଇନ୍ସପେକ୍ଟର। ସିବିଆଇ ଆଣ୍ଟିକରପସନ ବିଭାଗ ଜାଲରେ ଉଦଳା ପୋଷ୍ଟାଲ ଇନ୍ସପେକ୍ଟର ରାଜେନ୍ଦ୍ର କୁମାର ପୃଷ୍ଟି।

Advertisment

 ସୂଚନା ଅନୁସାରେ, ଉଦଳା ପୋଷ୍ଟାଲ ସର୍କଲ ଅଧୀନ କୁଶଳଦା ପଥୁରୀକଟା ପୋଷ୍ଟ ଅଫିସର ଜିଡ଼ିଏସ ବିପିଏମ ଭାବେ କାର୍ୟ୍ୟ କରୁଥିବା ମଳୟ କୁମାର ବେହେରା ଏବେ ସେ ଶିକ୍ଷକ ଚାକିରୀ ପାଇଛନ୍ତି। ଉକ୍ତ ଚାକିରୀ କରିବା ନିମନ୍ତେ ପୋଷ୍ଟାଲ ବିଭାଗ ପକ୍ଷରୁ ରେଜିଗନେସନ ସହିତ ପୋଷ୍ଟ ୱାର୍କ ଭେରିଫିକେସନ ସାର୍ଟିଫିକେଟର ଆବଶ୍ୟକତା ରହିଥିଲା। ଯେଉଁ ପୋଷ୍ଟ ୱାର୍କ ଭେରିଫିକେସନ ସାର୍ଟିଫିକେଟ ପାଇବା ପାଇଁ ମଳୟ ଉଦଳା ପୋଷ୍ଟାଲ ଇନ୍ସପେକ୍ଟରଙ୍କ ନିକଟରେ ପହଞ୍ଚିଥିଲେ। ହେଲେ ସାର୍ଟିଫିକେଟ ଦେବା ନିମନ୍ତେ ପୋଷ୍ଟାଲ ଇନ୍ସପେକ୍ଟର ରାଜେନ୍ଦ୍ର କୁମାର ପୃଷ୍ଟି ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପୂର୍ବ ଯୋଜନା ମୁତାବକ ଗତକାଲି ସନ୍ଧ୍ୟାରେ ଉଦଳାରେ ଇନ୍ସପେକ୍ଟରଙ୍କ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଥିଲା ସିବିଆଇ ଟିମ୍ । ଧରା ପଡିବା ପରେ ପୋଷ୍ଟାଲ ଇନ୍ସପେକ୍ଟର ଘଟଣାସ୍ଥଳରେ ଟଙ୍କା ଫୋପାଡ଼ି ଦେଇ ଖସି ଯିବାକୁ ଉଦ୍ୟମ କରିଥିଲେ ହେଲେ ସିବିଆଇ ହାବୁଡ଼ରୁ ବର୍ତ୍ତି ପାରି ନ ଥିଲେ।