କେମିତି ହେବ କାମ ? କଣାସ ତହସିଲରେ ଖାଲି ପଡିଛି ୨ଟି ଅତିରିକ୍ତ ତହସିଲଦାର ଓ ୩ଟି କିରାଣୀ ସମେତ ସବରେଜିଷ୍ଟ୍ରାର ପଦବୀ

63

କନକ ବ୍ୟୁରୋ : ଦୀର୍ଘ ଦେଢ ବର୍ଷ ହେଲା ପଦବୀ ପଡିଛି ଖାଲି । କଣାସ ତହସିଲ କାର୍ଯ୍ୟାଳୟରେ ୨ଟି ଅତିରିକ୍ତ ତହସିଲଦାର ଓ ୩ଟି କିରାଣୀ ସମେତ ସବରେଜିଷ୍ଟ୍ରାର ପଦବୀ ଖାଲି ପଡିଛି । ତହସିଲଦାର ସନ୍ତୋଷ ପାଣିଗ୍ରାହୀଙ୍କ କାନ୍ଧରେ ୩ଟି ଦାୟିତ୍ୱ । ୨୮ଟି ପଂଚାୟତର ଜନସାଧାରଣଙ୍କ ଅଭିଯୋଗ । ଜମି କିଣାବିକାରୁ ନେଇ ସରକାରୀ କାର୍ଯ୍ୟରେ ବିଳମ୍ବ ହେଉଛି । କଣାସ ତହସିଲ କାର୍ଯାଳୟରେ ପ୍ରତିଦିନ ଲାଗୁଛି ଲୋକଙ୍କ ଭିଡ । ସବରେଜିଷ୍ଟ୍ରାର ଅଫିସରେ ମଧ୍ୟ ସମାନ ଅବସ୍ଥା । ଜଣେ ତହସିଲଦାରଙ୍କ ଉପରେ ଦୂଇ ଦୁଇଟି ଅତିରିକ୍ତ ତହସିଲଦାରଙ୍କ କାମ ଓ ସବରେଜିଷ୍ଟ୍ରର କାମ ତୁଲାଇବା କଷ୍ଟକର ହୋଇପଡିଛି । ସମସ୍ୟା ନେଇ ଅଭିଯାଗ ହୋଇଥିଲେ ବି କୌଣସି ସମାଧାନ ହୋଇପାରିନି । ଯାହାକୁ ନେଇ ଅସନ୍ତୋଷ ଦେଖିବାକୁ ମିିଳିଛି ।

ପ୍ରତିଦିନ ଶହଶହ ଲୋକ ଆସୁଛନ୍ତି । ହେଲେ ସମସ୍ତଙ୍କ ସମସ୍ୟା ଶୁଣିବାକୁ ଯେମିତି କେହିନାହିଁ । ଏପରିକି ତହସିଲଦାରଙ୍କୁ ଦେଖା କରିବାକୁ ମଧ୍ୟ ସମ୍ଭବ ହୋଇପାରୁନଥିବା ଅଭିଯୋଗ ଆଣିଛନ୍ତି ଲୋକେ । ଜମି କେଶ୍ ହେଉ କି ଜମି କିଣାବିକା ହେଉ ସମସ୍ତ ଅଭିଯୋଗ ଏକା ସାଙ୍ଗରେ ତୁଲାଇବା କଷ୍ଟକର ହୋଇପଡିଛି । ସେହିଭଳି ଏକାଠି ଏତେ ଲୋକଙ୍କ ଅସୁବିଧା ବୁଝିବା ମଧ୍ୟ କଷ୍ଟକର ହୋଇପଡିଛି । ଜଣେ ଥିବା ବେଳେ ସବୁକିଛି ବୁଝିବା ଓ ସବୁ କାମ ବିଳମ୍ବ ହେଉଥିବା କହିଛନ୍ତି ତହସିଲଦାର ।

ସବୁ କାମରେ ବିଳମ୍ବ ହେଉଥିବାରୁ ଖୁବଶୀଘ୍ର ସମସ୍ତ ଖାଲି ପଦବୀ ଗୁଡିକ ପୂରଣ କରିବାକୁ ଅନୁରୋଧ କରିଛନ୍ତି ଗାଁର ଲୋକମାନେ ।