କନକ ବ୍ୟୁରୋ: ଟିକାକରଣ କେନ୍ଦ୍ରରେ ପୋଷ୍ଟର ଲଗାକୁ ନେଇ ଜୋର ଧରୁଛି ବିବାଦ । ଗତକାଲି ବାଲେଶ୍ୱର, ଅନୁଗୁଳ ଓ ନବରଙ୍ଗପୁର ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଲଗାଯିବାକୁ ନେଇ ବିବାଦ ଦେଖାଦେବା ପରେ ଆଜି ବ୍ରହ୍ମପୁରର ଦୁଇଟି କେନ୍ଦ୍ରରେ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ବ୍ରହ୍ମପୁରର ଗିରିରୋଡ ହାଇସ୍କୁଲ, ତେଲୁଗୁ ହାଇସ୍କୁଲରେ ହୋଇଥିବା ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଫାଡିଛନ୍ତି ବିଜେପି କର୍ମୀ ।
ଟିକାକରଣକୁ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ଟିକା ଯୋଗାଇ ଦେଉଥିବାବେଳେ କେବଳ ନବୀନଙ୍କ ପୋଷ୍ଟର କାହିଁକି ଲଗାଯାଇଛି ବୋଲି ପ୍ରତିବାଦ କରିଛନ୍ତି ବିଜେପି କର୍ମୀ । ଢେଙ୍କାନାଳ ଓ ମୟୂରଭଂଜ, ରାୟଗଡା ଓ ଅନୁଗୁଳ ଜିଲ୍ଲାର ଟିକାକରଣ କେନ୍ଦ୍ରରେ ବିଜେପି କର୍ମୀ ହଟଗୋଳ କରିଛନ୍ତି । ଏଠାରେ ମଧ୍ୟ ନବୀନଙ୍କ ଫଟୋ ଥିବା ପୋଷ୍ଟରକୁ ବିଜେପି କର୍ମୀମାନେ ଚିରି ଫିଙ୍ଗି ଦେଇଛନ୍ତି ।
ଗତାକଲିଠାରୁ ଟିକା କେନ୍ଦ୍ରରେ ପୋଷ୍ଟର ମରାକୁ ନେଇ ବିଜେଡି ଓ ବିଜେପି କର୍ମୀ ମହୁାଁମୁହିଁ ହେଉଛନ୍ତି , ଆଉ ଏ ବିବାଦ ଏବେ ତେଜିବାରେ ଲାଗିଛି । ଗତକାଲିଠାରୁ ସାରା ରାଜ୍ୟରେ ବଡ ଅଭିଯାନରେ ଟିକାକଣ ଚାଲିଛି । ବିଭିନ୍ନ ସେସନ ସାଇଡରେ ଟିକା ପାଇଁ ଲମ୍ବା ଲାଇନ ଦେଖିବାକୁ ମିଳିଥିବା ବେଳେ କିନ୍ତୁ ପୋଷ୍ଟର ବିବାଦ ଟିକାକରଣ କେନ୍ଦ୍ରରେ ବାଧକ ସାଜିଛି ।