ଡାକଘର ପାଇଲା ନୂଆ ଜୀବନ ! ପୋଷ୍ଟ ଅଫିସ ପାଲଟିଲା ପେମେଂଟ ବ୍ୟାଙ୍କ, ପୋଷ୍ଟମ୍ୟାନ ହେବେ ବ୍ୟାଙ୍କ ଏଜେଂଟ ।

58

କନକ ବ୍ୟୁରୋ : ଡାକଘରକୁ ନୂଆ ଜୀବନ ମିଳିଛି । ଚିଠିପତ୍ରର ଆଦାନ ପ୍ରଦାନ କମିଯିବା ପରେ ଡାକଘରର କାରବାର ହ୍ରାସ ପାଉଥିବା ବେଳେ ବଡ଼ ନିଷ୍ପତି ନିଆଯାଇଛି । ପୋଷ୍ଟ ଅଫିସଗୁଡିକୁ ପେମେଂଟ ବ୍ୟାଙ୍କରେ ପରିଣତ କରାଯାଇଛି । ଏଣିକି ବ୍ୟାଙ୍କ ସେବା ଯୋଗାଇ ଦେବ ଡାକ ଘର । ଏହି ପେମେଂଟ ବ୍ୟାଙ୍କରେ ଟଙ୍କା ଜମା ରଖିପାରିବେ, ଉଠାଇ ପାରିବେ, ଅନ୍ୟ ପାଖକୁ ପଠାଇ ପାରିବେ ଓ ବିଭିନ୍ନପ୍ରକାର ବିଲ୍ ପେମେଂଟ କରିପାରିବେ । ଭାରତୀୟ ଡାକ ବିଭାଗ ଅଧିନରେ ଆରମ୍ଭ ହୋଇଛି ଆଇପିପିବି ବା ଇଣ୍ଡିଆନ୍ ପୋଷ୍ଟ ପେମେଂଟ ବ୍ୟାଙ୍କ  । ଆଜି ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଡାକଘର ବନିଲା ପେମେଂଟ ବ୍ୟାଙ୍କ୍ ! ଡାକ କର୍ମଚାରୀ ହେବେ ବ୍ୟାଙ୍କ ଏଜେଂଟ । ଦୂରସଂଚାର ଓ ଯୋଗାଯୋଗ ବ୍ୟବସ୍ଥାରେ ବ୍ୟାପକ ପରିବର୍ତନ ହେବା ପରେ ଭାରତୀୟ ଡାକ ଆଗରେ ଥିଲା ବଡ଼ ଚ୍ୟାଲେଂଜ । ଏହାକୁ ଆଖି ଆଗରେ ରଖି ପୋଷ୍ଟ ଅଫିସଗୁଡିକ ଏବେ ଯୋଗାଇଦେବ ବ୍ୟାକିଂ ସେବା । ଆଜିଠାରୁ ଭାରତୀୟ ଡାକ ବିଭାଗ ଅଧିନରେ ଆରମ୍ଭ ହେଲା ଆଇପିପିବି ବା ଇଣ୍ଡିଆ ପୋଷ୍ଟ ପେମେଂଟ ବ୍ୟାଙ୍କ  । ଏହାକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଥିବା ବେଳେ ଭୁବନେଶ୍ୱରରେ ଏହାକୁ ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସବୁଠୁ ବଡ଼ ନେଟୱର୍କ ଭାରତୀୟ ଡାକ ବିଭାଗର ରହିଛି ୧ଲକ୍ଷ ୫୫ହଜାର ଡାକଘର । ଏହାର ୯୦ ପ୍ରତିଶତ ଡାକଘର ଗ୍ରାମାଂଚଳରେ ରହିଥିବାରୁ ଗାଁ ଲୋକ ବ୍ୟାଙ୍କ୍ ସେବାର ଲାଭ ଉଠାଇ ପାରିବେ । ୩ଲକ୍ଷ ପୋଷ୍ଟମ୍ୟାନ ଓ ଗ୍ରାମୀଣ ଡାକ ସେବକଙ୍କ ଦ୍ୱାରା ଏହି ବ୍ୟାଙ୍କ ସେବା ଦେଶର ସମସ୍ତ ସହର ଗ୍ରାମ ଏବଂ ଦୂରବର୍ତି ଅଂଚଳର ଲୋକମାନଙ୍କ ପାଖକୁ ଏହି ସୁବିଧା ପହଂଚାଇବେ । ଅର୍ଥାତ ଲୋକଙ୍କ ଘର ପାଖରେ ପହଁଚିଯିବ ବ୍ୟାଙ୍କ୍ ସେବା ।

ଏବେ ନଜର ପକାନ୍ତୁ କି କି ସୁବିଧା ପାଇବେ ପୋଷ୍ଟାଲ ପେମେଂଟ ବ୍ୟାଙ୍କରୁ

– ଉଭୟ କରେଂଟ ଓ ସେଭିଂ ବ୍ୟାଙ୍କ ଆକାଉଂଟରେ ଟଙ୍କା ଜମା ଓ ଉଠାଣ

– ଅନ୍ୟ ବ୍ୟାଙ୍କ ଭଳି ମନି ଟ୍ରାନସଫର ବା ଟଙ୍କା ସ୍ଥାନାନ୍ତର

– ଇଲେକ୍ଟ୍ରି ବିଲ୍, ପାଣି ବିଲ୍, ଫୋନ୍ ବିଲ୍, ବୀମା ପ୍ରିମିୟମ ଆଦି ପଇଠ

– ସରକାରଙ୍କ ବିଭିନ୍ନ ଯୋଜନାରେ ସବସିଡି ଅର୍ଥ ହସ୍ତାନ୍ତର

– ଋଣ, ଛୋଟ ନିବେଶ, ମିଚ୍ୟୁଆଲ୍ ଫଣ୍ଡ ଓ ବୀମା ସୁବିଧା

– ତୃତୀୟ ପକ୍ଷ ସହ ଅନୁବନ୍ଧିତ ହୋଇ ଲୋନ ସୁବିଧା

ଆଜି ୬୫୦ଟି ବ୍ରାଂଚ ଓ ୩୨୫୦ ଆକସେସ୍ ପଏଂଟରେ ପେମେଂଟ ବ୍ୟାଙ୍କ ଆରମ୍ଭ ହୋଇଛି । ଚଳିତ ବର୍ଷ ଶେଷ ସୁଦ୍ଧା ସମସ୍ତ ଡାକଘର, ପେମେଂଟ ବ୍ୟାଙ୍କରେ ପରିଣତ ହେବାକୁ ଲକ୍ଷ୍ୟ ରହିଛି ।