ଛୋଟ ଡାକଘରେ ବଡ଼ ଘୋଟାଲା । ୨ ହଜାର ଜମାଖାତାରୁ ୨ କୋଟି ହଡ଼ପ, ଗରିବ ଜମାକାରୀଙ୍କ ଜମା ଟଙ୍କାରେ ଅୟସ କରୁଥିଲେ ଡାକ କର୍ମଚାରୀ ।

352

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲାର ବିଭିନ୍ନ ଡାକଘରେ ଜମାକାରୀଙ୍କ କୋଟି କୋଟି ଟଙ୍କା ହଡପ ଘଟଣା ନେଇ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ତାଗିଦ ପରେ ଆରମ୍ଭ ହୋଇଛି ତନାଘନା । ମାଲକାନଗିରି ଜିଲ୍ଲାରେ ଡାକ ବିଭାଗର ୧୦ ଜଣିଆ ଟିମ ବିଭିନ୍ନ ଡାକଘରକୁ ଯାଇ ଜମାକାରୀଙ୍କ ଅଭିଯୋଗ ସଂଗ୍ରହ କରିବା ସହ ଜମାକାରୀଙ୍କ ତାଲିକା ଓ ହଡପ ଟଙ୍କାର ପରିମାଣ ଯାଞ୍ଚ କରାଯାଇଛି । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଡାକ ସଚିବ । ତେବେ ବର୍ଷ ବର୍ଷ ଧରି ଶିଥିଳ ପଡିଥିବା ଘୋଟାଲାରେ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଡାକ ବିଭାଗ ସକ୍ରିୟା ହୋଇଉଠିଛି । ଏବଂ ଗରିବ ଆଦିବାସୀ ହିତାଧିକାରୀ ଓ ଜମାକାରୀଙ୍କ ଟଙ୍କା ଫେରିପାଇବା ନେଇ ଆଶା ସଞ୍ଚାର ହୋଇଛି ।

ଛୋଟ ଡାକଘରେ ବଡ଼ ଘୋଟାଲା । ୨ ହଜାର ଜମାଖାତାରୁ ୨ କୋଟି ହଡ଼ପ । ଗରିବ ଜମାକାରୀଙ୍କ ଜମା ଟଙ୍କାରେ ଅୟସ କରୁଥିଲେ ଡାକ କର୍ମଚାରୀ । ମାଲକାନଗିରି ଜିଲ୍ଲା ଭେଜାଙ୍ଗିୱାଡା ଶାଖା ଡାକଘର ମୁଖ୍ୟ ଓ କର୍ମଚାରୀମାନେ ଟଙ୍କା ହଡପ କରିଥିବା ନେଇ ଗତ ଫେବୃଆରୀ ମାସରେ କନକ ନ୍ୟୁଜରେ ଖବର ପ୍ରସାରଣ ହୋଇଥିଲା । ପରେ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ମନ ପୂଜାରୀଙ୍କୁ ଗିରଫ କରି ତଦନ୍ତ ଆଳରେ ଅଟକି ଯାଇଥିଲା ଜମାକାରୀଙ୍କ ଟଙ୍କା ।

ତେବେ ଗତ ୨୧ ତାରିଖରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କୋରାପୁଟ ଗସ୍ତରେ ଆସିଥିବା ବେଳେ ତାଙ୍କ ପାଖରେ ଅଭିଯୋଗ କରିଥିଲେ ହିତାଧିକାରୀ । ମାସେ ଭିତରେ ତଦନ୍ତ ସାରି ରିପୋର୍ଟ ଦେବାକୁ ମନ୍ତ୍ରୀଙ୍କ ତାଗିଦ ପରେ ଏହେଉଛି ବର୍ତ୍ତମାନର ଚିତ୍ର । ଡାକ ବିଭାଗର କର୍ମଚାରୀ ଭେଜାଙ୍ଗିୱାଡା ଯାଇ ଜମାକାରୀଙ୍କ ଅଭିଯୋଗ ଗ୍ରହଣ କରିବା ସହ ଖାତା ଯାଞ୍ଚ କରି ବୟାନ ରେକର୍ଡ କରୁଛନ୍ତି ।

କେବଳ ଭେଜାଙ୍ଗିୱାଡା ଶାଖା ଡାକାଘର ନୁହେଁ, ବରଂ ମାଲକାନଗିରି ଲାଛିପେଟା ଉପ-ଡାକଘରର ପୋଷ୍ଟ ମାଷ୍ଟର ବିଶ୍ୱନାଥ ପଡିଆମୀ ୯୭ ଲକ୍ଷ ଟଙ୍କା ନିଜ ଓ ନିଜ ସମ୍ପର୍କୀୟ ଖାତାକୁ ଟ୍ରାନ୍ସଫର କରି ନେଇଛନ୍ତି । ମାଲକାନଗିରି କଲୋନୀ ଉପ ଡାକଘରେ ମଧ୍ୟ ବ୍ୟାପକ ଅର୍ଥ ହେରଫେର ହୋଇଥିବା ତଦନ୍ତରୁ ଜଣାପଡିଛି । ଦୁଇ ବର୍ଷରେ ରାଜ୍ୟର ୧୭ ଜଣ ଅଧିକାରୀ, ଗ୍ରାହକଙ୍କ ଆକାଉଣ୍ଟରୁ ୮ କୋଟି ଟଙ୍କା ଚଳୁ କରିଥିବା ଡାକ ସଚିବ ବିନିତ ପଣ୍ଡା କହିଛନ୍ତି । ଦାଗି ଅଧିକାରୀଙ୍କ ଠାରୁ ୬ କୋଟି ୫୦ ଲକ୍ଷ ଟଙ୍କା ଆଦାୟ ହୋଇଥିବା ଚିଫ ପୋଷ୍ଟ ମାଷ୍ଟର ଜେନେରାଲ ସୂଚନା ଦେଇଛନ୍ତି । ଡାକ ଟଙ୍କା ହେରଫେର୍ ଘଟଣାରେ ତଦନ୍ତ ଚାଲିଛି, ମାଲକାନଗିରି ଜିଲ୍ଲାର ହିତାଧିକାରୀ ସେମାନଙ୍କ ଜମା ଟଙ୍କା ଫେରିପାଇବେ ବୋଲି ଡାକ ବିଭାଗ କହିଛି ।