ହାତୀ ମୃତ୍ୟୁର ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ବଢିଲା ବିବାଦ । ଚାପରେ ଆସି ମୃତ୍ୟୁ ନା ପାଣିରେ ବୁଡିବା ଯୋଗୁଁ ଯାଇଛି ଜୀବନ ।

142

କନକ ବ୍ୟୁରୋ : ମୁଣ୍ଡଳୀ ବ୍ୟାରେଜରେ ଦୀର୍ଘ ଦୁଇଦିନ ଧରି ସଂଘର୍ଷ ଘରି ଆଖିବୁଜି ଦେଇଥିବା ଦନ୍ତା ହାତୀର ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ତେବେ ଏଥିରେ ଯାହା କୁହାଯାଇଛି, ତାକୁ ନେଇ ଉଠିଛି ପ୍ରଶ୍ନବାଚୀ । ପୋଷ୍ଟମର୍ଟମ କରିଥିବା ଡାକ୍ତରଙ୍କ ରିପୋର୍ଟ ଅନୁସାରେ ସକ୍ ବା ମାନସିକ ଆଘାତ ଯୋଗୁଁ ହାତୀର ମୃତ୍ୟୁ ହୋଇଛି । ହେଲେ ଏହାକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞ ପ୍ରଶ୍ନ ଉଠାଇଛନ୍ତି ।

ଗତ ମାସ ୨୪ ତାରିଖରେ ମହାନଦୀର ମୁଣ୍ଡଳି ବ୍ୟାରେଜରେ ଫସିଥିବା ହାତୀ କେମିତି ମଲା ? ହାତୀ ସହ ସାମ୍ବାଦିକ ଅରିନ୍ଦମ ଦାସ ଓ ବୁଡାଳୀ ସୀତାରାମ ମୁର୍ମୁଙ୍କ ମୃତ୍ୟୁ ଚର୍ଚ୍ଚାରେ ଥିବା ବେଳେ ଆସିଛି ହାତୀର ପୋଷ୍ଟମର୍ଟମ ରିପୋର୍ଟ । ଆଉ ଏହି ରିପୋର୍ଟ ଏବେ ପୁଣି ବିବାଦ ଛିଡା କରିଛି ।

ବିବାଦ ବଢାଇଲା ମହାନଦୀରେ ମରିଥିବା ବହୁଚର୍ଚ୍ଚିତ ଦନ୍ତାହାତୀର ଶବ ବ୍ୟବଚ୍ଛେଦ ରିପୋର୍ଟ । ପୋଷ୍ଟମର୍ଟମ କରିଥିବା ପଶୁଡାକ୍ତରଙ୍କ ଅନୁସାରେ ହାତୀର ମୃତ୍ୟୁ ଶକ୍ ଅର୍ଥାତ୍ ମାନସିକ ଆଘାତ ଯୋଗୁ ହୋଇଥାଇପାରେ । ଓୟୁଏଟି ବିଶେଷଜ୍ଞଙ୍କ ଅନୁସାରେ ମଧ୍ୟ ହାତୀ ନଦୀରୁ ବାହାରିବା ପାଇଁ ଅତ୍ୟଧିକ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାରୁ ତାହାକୁ ହୃଦଘାତ ଜନିତ ଆଘାତ ମଧ୍ୟ ହୋଇଥିବା ସନ୍ଦେହ କରାଯାଉଛି । ୩୬ ଘଣ୍ଟାରୁ ଅଧିକ ସମୟ ଧରି ପାଣିରୁ ବର୍ତ୍ତିବା ପାଇଁ ହାତୀ ପରିଶ୍ରମ କରିବା ଯୋଗୁ ତା ଦେହରେ ଜଳୀୟ ଅଂଶ କମିଯିବାର ଯଥେଷ୍ଟ ସମ୍ଭାବନା ରହିଥିଲା ।

ବିଶେଷଜ୍ଞଙ୍କ ମତରେ ଯଦି, ପୋଷ୍ଟମର୍ଟମ ରିପୋର୍ଟରେ ହାତୀ ପାଣିରେ ବୁଡି ମରିଥିବା ଜଣାଯାଏ, ତେବେ ବନବିଭାଗର ଖାମଖିଆଲି କାମ ପଦାରେ ପଡିଥାନ୍ତା, ତେଣୁ କୌଶଳକ୍ରମେ ହାତୀଟି ମାନସିକ ଆଘାତ ଯୋଗୁ ମରିଥିବା ରିପୋର୍ଟରେ ଦର୍ଶାଯାଇଛି, ଯାହା ଗ୍ରହଣୀୟ ନୁହେଁ ।

ହାତୀର ଏହି ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ବନବିଭାଗ ଓ ବ୍ୟବଚ୍ଛେଦକାରୀ ଡାକ୍ତରଙ୍କ ସମ୍ମୁଖରେ କିଛି ପ୍ରଶ୍ନ ଉଠାଇଛନ୍ତି ବନ୍ୟଜନ୍ତୁପ୍ରେମୀ ।
୧. ହାତୀ ଭଳି ପହଁରିବାରେ ଦକ୍ଷ ପ୍ରାଣୀକୁ ନଦୀପାଣିରେ ସକ୍ ହେବ କାହିଁକି ?
୨. ଦୀର୍ଘ ସମୟ ପାଣିରେ ରହିବା ପରେ କାହିଁକି ଲାଗିଲା ମାନସିକ ଆଘାତ ?
୩. ପାଣିରେ ବୁଡି ଭାସିଯାଇଥିବା ହାତୀର ଫୁସଫୁସ ସହ ଅନ୍ୟାନ୍ୟ ଅଙ୍ଗରେ ପାଣି ବା ତରଳ ପଦାର୍ଥ ମିଳିଲାନି କେମିତି ?
୪. ପୋଷ୍ଟମର୍ଟମ ସମୟର ଭିଡିଓଗ୍ରାଫି କିମ୍ବା ଫଟୋଗ୍ରାଫି କରାଯାଇଛି କି ?
୫. ବ୍ୟବଚ୍ଛେଦ କରିଥିବା ଡାକ୍ତରଙ୍କର ପୂର୍ବରୁ ଏଥିରେ ଅଭିଜ୍ଞତା ଥିଲା କି ?
୬. ବ୍ୟବଛେଦ ପାଇଁ ଓୟୁଏଟିର ବିଶେଷଜ୍ଞଙ୍କୁ ଡକାଗଲା ନାହିଁ କାହିଁକି ?