କନକ ବ୍ୟୁରୋ : କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କୁ କେମିତି ହତ୍ୟା କରାଯାଇଥିଲା ସେନେଇ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେଇ ଅଭିଯୁକ୍ତମାନଙ୍କୁ ଜେରା କରୁଥିବାବେଳେ ସାମ୍ନାକୁ ଆସିଛି ପୋଷ୍ଟମର୍ଟମ ରିପୋର୍ଟ । ରିପୋର୍ଟରେ ଦିଆଯାଇଥିବା ତଥ୍ୟ ଅନୁସାରେ ମାନସଙ୍କୁ ଭୋକରେ ରଖି ନିସ୍ତୁକ ମାଡ ମରାଯାଇଥିଲା । ମାଡରେ ପଞ୍ଜରା ହାଡ ଭାଙ୍ଗିବାରୁ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ମାନସଙ୍କ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି ।
ମାନସଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ସାଂଘାତିକ ତଥ୍ୟ । ମାଡରେ ଭାଙ୍ଗିଯାଇଥିଲା ପଞ୍ଜରା ଓ ମେରୁ ହାଡ । ପ୍ରଚୁର ରକ୍ତସ୍ରାବ ଯୋଗୁଁ ହୋଇଥିଲା ମୃତ୍ୟୁ । କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ କ୍ରାଇମବ୍ରାଞ୍ଚ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ତାଙ୍କ ସହଯୋଗୀଙ୍କୁ ପଚରାଉଚୁରା କରୁଥିବାବେଳେ ହସ୍ତଗତ ହୋଇଛି ଶବ ବ୍ୟବଛେଦ ରିପୋର୍ଟ ।
ରିପୋର୍ଟରେ ଦିଆଯାଇଥିବା ସୂଚନା ଅନୁସାରେ, ମୃତ୍ୟୁ ପୂର୍ବରୁ ମାନସଙ୍କୁ ଲମ୍ବା ସମୟ ଧରି ଉପାସରେ ରଖାଯାଇଥିଲା । ମାନସଙ୍କୁ ଅତି ଭୟଙ୍କର ଭାବେ ଶାରୀରିକ ନିର୍ଯାତନା ଦିଆଯାଇଥିଲା । ମାଡରେ ମାନସଙ୍କ ପଞ୍ଜରା ହାଡ ଓ ମେରୁ ହାଡ ଭାଙ୍ଗି ଯାଇଥିଲା । ପ୍ରଚୁର ରକ୍ତସ୍ରାବ ଯୋଗୁ ମାନସଙ୍କ ମୃତ୍ୟୁ ହୋଇଛି । ମାନସଙ୍କୁ ଲୁହା ରଡ଼ରେ ମାଡ଼ ମରାଯାଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ଇଙ୍ଗିତ କରାଯାଇଛି । ତଦନ୍ତ ସମୟରେ କ୍ରାଇମବ୍ରାଞ୍ଚ କେବଳ ଠେଙ୍ଗା ଜବତ କରିଛି । ତେବେ ହତ୍ୟାକାଣ୍ଡରେ ବ୍ୟବହୃତ ଅନ୍ୟ ସାମଗ୍ରୀ କୁଆଡ଼େ ଗଲା ସେନେଇ କୌଣସି ସୂଚନା ମିଳିନାହିଁ । ଶର୍ମିଷ୍ଠାଙ୍କୁ ଜେରା ପରେ ହୁଏତ ସେସବୁ ସାମଗ୍ରୀ ମିଳିପାରେ ।
ଶର୍ମିଷ୍ଠା ଓ ତାଙ୍କ ସହଯୋଗୀଙ୍କୁ ଚାଲିଛି ଜେରା । ହତ୍ୟା ରହସ୍ୟ ଖୋଜୁଛି କ୍ରାଇମବ୍ରାଞ୍ଚ । ରିମାଣ୍ଡର ଦ୍ୱିତୀୟ ଦିନରେ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀଙ୍କୁ ମାରାଥନ ଜେରା କରିଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ । ଶର୍ମିଷ୍ଠା ଓ ତାଙ୍କ ସହଯୋଗୀଙ୍କୁ ଅଲଗା ଅଲଗା ପଚରାଉଚୁରା କରିବା ପରେ ସେମାନଙ୍କୁ ସାମନା ସାମନି ବସାଇ ଗୁଡେଇ ତୁଡେଇ ପ୍ରଶ୍ନ କରିଛି କ୍ରାଇମବ୍ରାଞ୍ଚ । ତେବେ ହତ୍ୟାକାଣ୍ଡ ପଛରେ ଥିବା ମେମୋରି ଚିପ୍ ରହସ୍ୟ ଲୁଚାଇବାକୁ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କୁ ଶର୍ମିଷ୍ଠା ବିଭ୍ରାନ୍ତ କରୁଥିବା ସୂଚନା ମିଳିଛି । ଏପରିକି ମେମୋରି ଚିପରେ ବାହାଘର ଫଟୋ ଓ ଭିଡିଓ ଥିବା ଶର୍ମିଷ୍ଠା କହି ମାମଲାକୁ ନୂଆ ମୋଡ ଦେବାକୁ ଉଦ୍ୟମ କରିଥିବା ଜଣାପଡିଛି । ମାନସଙ୍କଠାରୁ ମେମୋରି କାର୍ଡ ହାତେଇ ଥିବା ଶର୍ମିଷ୍ଠା ମାନିଛନ୍ତି, ହେଲେ ତାହା ଏବେ କେଉଁଠି ଅଛି ସେନେଇ କ୍ରାଇମବ୍ରାଂଚ ସ୍ପଷ୍ଟ ତଥ୍ୟ ହାସଲ କରିପାରିନାହିଁ ।
୪ଟି ଟିମ୍ କରି ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଆଗକୁ ହତ୍ୟାକାଣ୍ଡସ୍ଥଳକୁ ଅଭିଯୁକ୍ତମାନଙ୍କୁ ନେଇ ସିନ୍ ରିକ୍ରିଏସନ କରିବ । କେଉଁଠି ହତ୍ୟା କରିଥିଲେ, ହତ୍ୟା ପରେ ଶବକୁ ଲୁଚାଇବା ପାଇଁ କଣ କରିଥିଲେ, ଚିପ କେଉଁଠି ଅଛି, ସେସବୁର ଟିକନିକ୍ ତଥ୍ୟ ଆଦାୟ କରିବ କ୍ରାଇମବ୍ରାଂଚ ।