ଶବକୁ ଏମିତି ମିଳେ ସମ୍ନାନ ! ହସ୍ପିଟାଲରେ ମିଳିଲା ନାହିଁ ସ୍ଥାନ, ରାସ୍ତା କଡରେ ପାଲ ଟାଙ୍ଗି କରାଗଲା ପୋଷ୍ଟମର୍ଟମ ।

28

ରାଜସ୍ଥାନର ଅନ୍ତରାଷ୍ଟ୍ରୀୟ ଶୀମା ନିକଟବର୍ତ୍ତି ବାଡମେର ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା । ବାଡମେର ଜିଲ୍ଲାର ଗଡରା ରୋଡରେ ଅବସ୍ଥିତ ସବୁଠାରୁ ବଡ ସରକାରୀ ହସ୍ପିଟାଲରେ କରେଣ୍ଟ ଲାଗିବା ଦ୍ୱାରା ମୃତ୍ୟୁ ହୋଇଥିବା ଦୁଇ ମହିଳାଙ୍କ ଶବକୁ ସଡକ ଉପରେ ପୋଷ୍ଟମର୍ଟମ କରାଯାଇଛି । ପରିବାର ଲୋକେ ଏପରି ନକରିବା ପାଇଁ ଆକୁଳ ବିକଳ ହୋଇ ବିନତି କରିଥିଲେ ମଧ୍ୟ କେହି ତାଙ୍କ ଅନୁରୋଧକୁ କର୍ଣ୍ଣପାତ କରିନଥିଲେ । ଏହି ଘଟଣାର ଏକ ଭିଡିଓ ଭାଇରାଲ ହେବା ପରେ ଘଟଣାଟି ସାମ୍ନାକୁ ଆସିଛି ।

ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ଦିନ ତମଲୋର ଗାଁରେ କରେଣ୍ଟ ଲାଗିବା କାରଣରୁ ଦୁଇ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା । ଏହାପରେ ଦୁଇ ମହିଳାଙ୍କୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ ମୃତ ଶରୀରକୁ ସେଦିନ ବ୍ୟବଚ୍ଛେଦ ନହୋଇ ପାରିବାରୁ ଶବ ଦୁଇକୁ ରୋଗୀ ରହୁଥିବା କକ୍ଷରେ ରଖାଗଲା । ପାଖରେ ଶବ ରହିବା କାରଣରୁ ସେଠାରେ ଉପସ୍ଥିତ ଥିବା ରୋଗୀମାନେ ନିଜକୁ ଅସହାୟ ମନେ କରିଥିଲେ । କିନ୍ତୁ ତାପର ଦିନ ସକାଳେ ଯାହା ହେଲା ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବୁଧବାର ଦିନ ସକାଳୁ ମୃତ ଶରୀରକୁ ହସ୍ପିଟାଲ ପରିସର ବାହାରକୁ ନେଇ ଖୋଲାରେ ରଖି ଦିଆଯାଇଥିଲା । ଏବଂ ପରେ ସେହି ରାସ୍ତା ଉପରେ ପରଦା ଟାଙ୍ଗି ଶବକୁ ବ୍ୟବଚ୍ଛେଦ କରିଦେଇଥିଲେ ହସ୍ପିଟାଲ କର୍ମଚାରୀ । ଏପରି ନକରିବା ପାଇଁ ପରିବାର ଲୋକେ ଡାକ୍ତରଙ୍କ ପାଖରେ କାକୁତି ମିନତି ହୋଇ ଅନୁରୋଧ କରିଥିଲେ କିନ୍ତୁ ଡାକ୍ତର ପରିବାର ଲୋକଙ୍କ କୌଣସିବି କଥାକୁ କର୍ଣ୍ଣପାତ କରିନଥିଲେ ଏବଂ ସେହି ରାସ୍ତା କଡରେ ଶବ ବ୍ୟବଚ୍ଛେଦ କରିଥିଲେ ।

ଏହି ମାମଲାରେ ଅତିରିକ୍ତ ଜିଲ୍ଲା କଲେକ୍ଟର ରାକେଶ କୁମାର କହିଛନ୍ତି, ଆମକୁ ମଧ୍ୟ ମିଡିଆଙ୍କ ଦ୍ୱାରା ଏହି ଘଟଣା ସମ୍ପର୍କରେ ଜଣା ପଡିଥିଲା । ତେଣୁ ଏହି ମାମଲାରେ ସିଏମଏଚଓକୁ ରିପୋର୍ଟ ମଗାଯାଇଛି । ରିପୋର୍ଟ ଆସିବା ପରେ ବାସ୍ତବିକ ଘଟଣା ସମ୍ପର୍କରେ ଜଣାପଡିବ ଏବଂ ତା ଉପରେ ତଦନ୍ତ କରାଯିବ ।