କନକ ବ୍ୟୁରୋ : ରାଜ୍ୟରେ ଦ୍ବିତୀୟ ଲହରରେ ବହୁ ସଂଖ୍ୟାରେ ୧୮ ବର୍ଷରୁ କମ୍ ବୟସର ପିଲା କରୋନାରେ ସଂକ୍ରମିତ ହେଉଛନ୍ତି । ପ୍ରତ୍ୟେକ ଦିନ ଏହି ସଂଖ୍ୟା ଶହେ ଉପରେ ରହୁଛି । ତେବେ କରୋନାରେ ସଂକ୍ରମିତ ଶିଶୁମାନଙ୍କଠାରେ ପରବର୍ତ୍ତୀ ସମୟରେ ମଲ୍ଟି-ସିଷ୍ଟମ୍ ଇନଫ୍ଲାମେଟୋରି ସିଣ୍ଡ୍ରୋମ୍ ବା ଏମ୍ଆଇଏସ୍ ଭଳି ରୋଗ ଦେଖିବାକୁ ମିଳୁଛି । ଏମ୍ଆଇଏସ୍ ବୟସ୍କଙ୍କଠାରେ ଦେଖିବାକୁ ମିଳୁଥିଲେ ହେଁ ଏବେ ଶିଶୁମାନେ ଏଥିରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି । ରାଜଧାନୀର କିଛି ଘରୋଇ ହସ୍ପିଟାଲର ଡାକ୍ତର ଶିଶୁମାନଙ୍କଠାରେ ଏଭଳି ରୋଗଙ୍କୁ ଠାବ କରିବାରେ ସକ୍ଷମ ହୋଇଛନ୍ତି । ତେବେ ଶୀଘ୍ର ରୋଗକୁ ଚିହ୍ନଟ କରା ନ ଗଲେ, ଏହା ଶିଶୁମାନଙ୍କଠାରେ ଘାତକ ସାବ୍ୟସ୍ତ ହୋଇପାରେ ବୋଲି କୁହାଯାଉଛି ।
ମିଳିଥିବା ସୂଚନା ଅନୁସାରେ, ଗତବର୍ଷ ନଭେମ୍ବରରୁ ଜାନୁଆରି ଭିତରେ ରାଜଧାନୀର କିଛି ଶିଶୁରୋଗ ହସ୍ପିଟାଲରେ ଏମ୍ଆଇଏସ୍ରେ ଆକ୍ରାନ୍ତ ଶିଶୁଙ୍କୁ ଠାବ କରାଯାଇଥିଲା । ତେବେ କରୋନାର ଦ୍ବିତୀୟ ଲହରରେ ଏହି ସଂଖ୍ୟା ବଢ଼ିବାରେ ଲାଗିଛି । ଶିଶୁରୋଗ ବିଶେଷଜ୍ଞଙ୍କ ମତରେ, କରୋନାରେ ସଂକ୍ରମିତ ହେଉଥିବା ଶିଶୁଙ୍କ ୬ ସପ୍ତାହ ପରେ ଏମ୍ଆଇଏସ୍ର ଲକ୍ଷଣ ଦେଖିବାକୁ ମିଳୁଛି। ବିଶେଷକରି ୮-୧୫ବର୍ଷ ବୟସର ଶିଶୁଙ୍କଠାରେ ଏହା ଅଧିକ ମାତ୍ରାରେ ନଜରକୁ ଆସୁଛି । ଏମ୍ଆଇଏସ୍ ଲକ୍ଷଣ ଥିବା ଶିଶୁଙ୍କଠାରେ ସାର୍ସ-କୋଭ-୨ର ଆଣ୍ଟିବଡି ରହୁଛି। ଯେଉଁ ଶିଶୁମାନଙ୍କର କୌଣସି ଲକ୍ଷଣ ବିନା ଉଚ୍ଚ ତାପମାତ୍ରାରେ ଜ୍ବର, କାଶ କିମ୍ବା ଯେଉଁ ଶିଶୁମାନଙ୍କ ପରିବାରରେ ଯଦି କେହି କରୋନାରେ ସଂକ୍ରମିତ ହୋଇଥା’ନ୍ତି ତାହାଲେ ଶିଶୁମାନଙ୍କଠାରେ ଏଭଳି ଲକ୍ଷଣ ଦେଖାଯିବା ସ୍ବାଭାବିକ । ତେବେ ଆବଶ୍ୟକ ପରୀକ୍ଷା ପରେ ହିଁ ଶିଶୁଟିଏ ଏମ୍ଆଇଏସ୍ରେ ସଂକ୍ରମିତ କି ନୁହେଁ, ତାହା ସ୍ପଷ୍ଟ ହୋଇପାରିବ ।
ତେବେ ଏହାର ଲକ୍ଷଣ କ'ଣ ? ଶିଶୁମାନଙ୍କ ତଳିପେଟରେ ଯନ୍ତ୍ରଣା, ପତଳା ଝାଡ଼ା କିମ୍ବା ବାନ୍ତି ହୋଇଥାଏ । ତେବେ ଅନ୍ୟ କାରଣ ପାଇଁ ହେଉଥିବା ପତଳା ଝାଡ଼ା ତୁଳନାରେ ଏମ୍ଆଇଏସ୍ରେ ଆକ୍ରାନ୍ତ ଶିଶୁଙ୍କଠାରେ ଡିହାଇଡ୍ରେସନ୍ ଶୀଘ୍ର ହୋଇଥାଏ । ଫଳରେ ଶିଶୁମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତି କରିବା ଜରୁରୀ ହୋଇପଡ଼ିଥାଏ । ଏହି ରୋଗର ଉପଚାର ସମ୍ଭବ । ମାତ୍ର ଠିକ୍ ସମୟରେ ଏହାର ଚିହ୍ନଟ ହେବା ଜରୁରୀ । ପିତାମାତାମାନେ ଏମ୍ଆଇଏସ୍ର ଲକ୍ଷଣ ଉପରେ ନଜର ରଖିବା ଜରୁରୀ ବୋଲି ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ।
ସମ୍ ହସ୍ପିଟାଲର ଶିଶୁରୋଗ ବିଶେଷଜ୍ଞ ଡା. ପ୍ରଦୀପ କୁମାର ଦେ କହିଛନ୍ତି, କରୋନାର ପ୍ରଥମ ଲହର ସମୟରେ ହୁଏତ ଅନେକ ଶିଶୁ ଏମ୍ଆଇଏସ୍ରେ ଆକ୍ରାନ୍ତ ହୋଇଥିବେ । ମାତ୍ର ସେତେବେଳେ ଏମ୍ଆଇଏସ୍କୁ ନେଇ ଲୋକମାନଙ୍କ ମଧ୍ୟରେ ଏତେଟା ସଚେତନତା ନ ଥିଲା । ହେଲେ ଦ୍ବିତୀୟ ଲହର ପରେ ବହୁ ସଂଖ୍ୟାରେ ଏମ୍ଆଇଏସ୍ର ଲକ୍ଷଣ ଥିବା ଶିଶୁ ହସ୍ପିଟାଲରେ ଭର୍ତି ହେଉଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ଯଦି ଏହି ରୋଗ ଚିହ୍ନଟ ହୋଇଥାଏ, ତାହାଲେ ଆବଶ୍ୟକ ସାଧାରଣ ଚିକିତ୍ସା ଦିଆଯାଉଛି। ହସ୍ପିଟାଲରେ ଭର୍ତି ହୋଇଥିବା ଅନେକ ଶିଶୁ ମଧ୍ୟ ଭଲ ହୋଇଗଲେଣି । କିନ୍ତୁ ରୋଗ ଚିହ୍ନଟରେ ବିଳମ୍ବ କିମ୍ବା ଶିଶୁଟି ଗୁରୁତର ଥିଲେ ଅନ୍ୟ ଚିକିତ୍ସା ପଦ୍ଧତି ଅବଲମ୍ବନ କରାଯାଉଛି। ଯଦିଓ ଏହା ସାମାନ୍ୟ ବ୍ୟୟବହୁଳ, ହେଲେ ଶିଶୁଙ୍କ ଜୀବନରକ୍ଷା କରିବାରେ ସହାୟକ ହୋଇପାରୁଛି ବୋଲି ଡା. ଦେ କହିଛନ୍ତି ।