ବାତ୍ୟା ବଢାଇଲା ଚାଷୀକୂଳର ଚିନ୍ତା । ବର୍ଷା ପାଣିରେ ଭିଜିବା ଆଗରୁ ତରତର ହୋଇ ଚାଷୀ କାଟୁଛନ୍ତି ପାଚିଲା ଧାନ ।

131

କନକ ବ୍ୟୁରୋ : ଗୋଟିଏ ପଟେ ଏଥର ଧାନ ଚାଷ ବେଶ ଭଲ ହୋଇଥିଲା । କିନ୍ତୁ ଏହି ସମ୍ଭାବ୍ୟ ବାତ୍ୟା ଚାଷୀକୁ ଝଟକା ଦେଇଛି । ବିଲରେ ପଡିଛି ପାକଳ ଧାନ । ଡିସେମ୍ବରରେ ହୋଇଥାନ୍ତା ଅମଳ । ଏବେ କିନ୍ତୁ ବାତ୍ୟା ସବୁ ଗଣିତକୁ ବିଗାଡି ଦେଇଛି । ବର୍ଷା ସହ ପବନ ହେଲେ ସବୁ ଯିବ । ପାଚିଲା ଧାନ ଝଡିଯିବ । ଚାଷୀର ସବୁ ପରିଶ୍ରମ ବେକାର ଯିବ । ଏହାକୁ ନେଇ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିର ଚାଷୀ ଏବେ ଚିନ୍ତାରେ ପଡିଯାଇଛନ୍ତି ।

ସମ୍ଭାବ୍ୟ ବାତ୍ୟାକୁ ନେଇ ଚାଷୀ ଏବେ ଛାନିଆ । ଉଜୁଡିଯିବ ଫସଲ । ବାତ୍ୟା ଭୟରେ ଧାନ ସମ୍ପୂର୍ଣ୍ଣ ପାଚି ନଥିଲେ ମଧ୍ୟ ଚାଷୀମାନେ ଏହାକୁ ଅମଳ କରିବାକୁ ପ୍ରୟାସ ଆରମ୍ଭ କରିଦେଇଛନ୍ତି । ଉପକୂଳବର୍ତ୍ତୀ ଚାଷୀ ମାନେ ଜମିରୁ ଧାନ କାଟିବା ଆରମ୍ଭ କରିଦେଇଛନ୍ତି ।

ସାଧାରଣତଃ ଡିସେମ୍ବରରେ ଓଡିଶାରେ ବାତ୍ୟା ଆଶଙ୍କା କମ ରହିଥାଏ । ଏଥର କିନ୍ତୁ ଡିସେମ୍ବରରେ ବାତ୍ୟା ଆସି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଧାନକୁ ସୁରକ୍ଷିତ ସ୍ଥାନକୁ ନେବାକୁ ସରକାର ପରାମର୍ଶ ଦେଇଛନ୍ତି । କିନ୍ତୁ ବର୍ଷା ହେଲେ ଚାଷ ଉଜୁଡିଯିବା ଆଶଙ୍କା ଜଳଜଳ ହୋଇ ଦିଶୁଛି ।

ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ବର୍ଷା ହେବାର ଅଧିକ ଆଶଙ୍କା ରହୁଥିବାରୁୁ ଧାନ କାଟି ଖଳାରେ ରଖିଲେ ବର୍ଷା ପାଣିରେ ଗଜା ହୋଇଯିବା ଭୟ ରହିଛି । ଏପରି ସ୍ଥଳେ ବର୍ତମାନ ଜମିରୁ ଧାନକୁ କାଟି ନେଇ କେଉଁ ଜାଗାରେ ରଖିବେ ତାକୁ ନେଇ ମଧ୍ୟ ଚାଷୀ ମାନଙ୍କ ଚିନ୍ତା ବଢିଯାଇଛି ।