କନକ ବ୍ୟୁରୋ : ଆସନ୍ତା ୨ ଦିନ ମଧ୍ୟରେ ବାତ୍ୟା ନେଇ ସ୍ପଷ୍ଟ ହେବ ଚିତ୍ର । ଉତର ଆଣ୍ଡାମାନରେ ସୃଷ୍ଟି ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି । ଏହା ଦୁଇ ଦିନ ଭିତରେ ଅବପାତର ରୂପ ନେବେ । ଏହାପରେ ଏହା ଉତର-ପଶ୍ଚିମ ଦିଗକୁ ଗତି କରିବା ସମ୍ଭାବନା ରହିଛି । ତେବେ ଭାରତୀୟ ପାଣିପାଗ ବିଭାଗର ମୁଖ୍ୟ କହିଛନ୍ତି, ଏହା ବାତ୍ୟା ରୂପ ନେବ କି ନାହିଁ କି ଓଡିଶାକୁ ଆସୁଛି କି ନାହିଁ ତାହା ଦୁଇ ଦିନ ଭିତରେ ସ୍ପଷ୍ଟ ହେବ । ବର୍ତମାନ କେବଳ ଲଘୁଚାପ ରୁପରେ ଅଛି । ଏବେଠାରୁ ବାତ୍ୟାର ପୂର୍ବାନୁମାନ କରିବା ସମ୍ଭବ ନୁହେଁ । ବାତ୍ୟା ହେବା ନହେବା ନେଇ ଅଧା ଅଧା ସମ୍ଭାବନା ଅଛି ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।
ଏହାର ପ୍ରଭାବରେ ୮ରୁ ୧୦ ତାରିଖ ମଧ୍ୟରେ ରାଜ୍ୟର ଉପକୂଳବର୍ତୀ ଜିଲ୍ଲାଗୁଡିକରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ହେଲେ ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । କିନ୍ତୁ ବାତ୍ୟା ସମ୍ପର୍ତିକ କୌଣସି ସୂଚନା ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ଅନ୍ୟପଟେ ୬ ତାରିଖ ସୁଦ୍ଧା ଏହା ଅବପାତରେ ପରିଣତ ହେବ । ଅଧିକ ଘନୀଭୂତ ହୋଇ ଆଗକୁ ବଢ଼ିବ । ଏଭଳି ଆକଳନ କରିଛି କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ସ୍ୱୟଂଶାସିତ ସଂସ୍ଥା ଇଣ୍ଡିଆନ ନ୍ୟାସନାଲ ସେଂଟର ଫର ଓସେନ ଇନଫର୍ମେସନ ସର୍ଭିସ ।
ଅତି ଆଗକୁ ଯାଇ ପବନର ବେଗ ସମ୍ପର୍କରେ ସୂଚାଇଛି ଏହି ସଂସ୍ଥା । ବାତ୍ୟା ରୂପ ନେବା ଆଶଙ୍କାଙ୍କୁ ମଧ୍ୟ ଏଡାଇ ଦେଇ ହେବ ନାହିଁ ବୋଲି ସୂଚାଇଛି । ଯାହାବି ହେଉ ଯଦି ବାତ୍ୟା କିମ୍ବା ବର୍ଷା ହୁଏ ତେବେ ଏହା ଚାଷକୁ ବ୍ୟାପକ ଭାବେ ପ୍ରଭାବିତ କରିବାର ଆଶଙ୍କା ରହିଛି । ଧାନ ଫସଲ ଓ ପରିବା ଫସଲ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇପାରେ ।