ପ୍ରଥମ ଥର ପାଇଁ ଦ୍ୱିତୀୟ ଲହରରେ ୩ ପ୍ରତିଶତ ତଳକୁ ଖସିଲା ରାଜ୍ୟର ସଂକ୍ରମଣ ହାର । ଏପଟେ ନୟାଗଡ଼ ଓ ମୟୂରଭଞ୍ଜର ଟିପିଆର ୫ ପ୍ରତିଶତରୁ ଅଧିକ

ସକ୍ରିୟ ସଂକ୍ରମଣରେ ରେଡ୍ ଜୋନରେ ରହିଛନ୍ତି ଖୋର୍ଦ୍ଧା ଓ କଟକ

206

କନକ ବ୍ୟୁରୋ: ମେ’ ମାସରେ ଓଡ଼ିଶାରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେମିତି ବଢୁଥିଲା, ସେମିତି ବଢୁଥିଲା ସଂକ୍ରମଣ ହାର । ପ୍ରତି ୪-୫ ଜଣ କରୋନା ପରୀକ୍ଷା କରୁଥିବା ବେଳେ ଜଣେ ଆକ୍ରାନ୍ତ ଚିହ୍ନଟ ହେଉଥିଲେ । ଦ୍ୱିତୀୟ ଲହରର ଶୀର୍ଷ ସ୍ତରରେ ପହଁଚିଥିଲା ସଂକ୍ରମଣ । ତେବେ ଜୁନ ମାସ ଆରମ୍ଭରେ ସଂକ୍ରମଣ ହାରରେ ବ୍ରେକ ଲାଗିଥିଲା ।

ଜୁନ୍ ୧ ତାରିଖରେ ଟିପିଆର ୧୪.୦୨ ପ୍ରତିଶତ ରହିଥିଲାଏବଂ ଜୁନ ୧୧ ତାରିଖରେ ଏହା ୭.୯୭ ପ୍ରତିଶତକୁ ଖସି ଆସିଥିଲା । ଏହାପରେ ଜୁନ ୨୧ ତାରିଖରେ ୫ ପ୍ରତିଶତ ତଳକୁ ଖସିଥିଲା ସଂକ୍ରମଣ ହାର । ଏହାପରେ ଟିପିଆର ସାମାନ୍ୟ ଉପର ତଳ ହୋଇ ଗତି କରିଥିଲା । ପ୍ଲାଟ୍ୟୁ ସ୍ତରରେ ରହିଥିଲା ରାଜ୍ୟର କରୋନା ସଂକ୍ରମଣ । ତେବେ ଜୁଲାଇ ୧୧ରେ ୨.୯ ପ୍ରତିଶତକୁ ଖସି ଆସିଛି ସଂକ୍ରମଣ ହାର ।

        ଓଡ଼ିଶା କରୋନା ମିଟର

     ତାରିଖ        ସଂକ୍ରମଣ ହାର

  • ମେ’ ୨୧        ୨୦.୩୦%
  • ଜୁନ ୧         ୧୪.୦୨%
  • ଜୁନ ୧୧       ୭.୯୭%
  • ଜୁନ ୨୧       ୪.୯୭%
  • ଜୁଲାଇ ୧     ୪.୧୭%
  • ଜୁଲାଇ ୧୧   ୨.୯୦%

ସାମଗ୍ରିକ ଭାବେ ରାଜ୍ୟର ସଂକ୍ରମଣ ହାର ୩ ପ୍ରତିଶତ ତଳକୁ ଖସିଥିଲେ ବି ଉପକୂଳ ଓ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ଏବେ ବି ସଂକ୍ରମଣ ହାର ଉଦବେଗଜନକ ରହିଛି । ନୟାଗଡ଼ ଓ ମୟୂରଭଞ୍ଜରେ ଟିପିଆର ବା ଟେଷ୍ଟ ପଜିଟିଭ ରେଟ୍ ୫ ପ୍ରତିଶତ ଉପରେ ରହିଛି । କଟକ ଓ ଖୋର୍ଦ୍ଧାରେ ସଂକ୍ରମଣ ହାର ୫ ପ୍ରତିଶତରୁ ସାମାନ୍ୟ କମ୍ ରହିଛି । ବାଲେଶ୍ୱର ଓ ଯାଜପୁରରେ ମଧ୍ୟ ୪ ପ୍ରତିଶତ ପାଖାପାଖି ରହିଛି ସଂକ୍ରମଣ ହାର ।

      ଓଡ଼ିଶା କରୋନା ମିଟର

      ଜିଲ୍ଲା            ସଂକ୍ରମଣ ହାର

  • ନୟାଗଡ଼       ୫.୮%
  • ମୟୂରଭଞ୍ଜ    ୫.୫%
  • କଟକ          ୪.୯%
  • ଖୋର୍ଦ୍ଧା         ୪.୮%
  • ବାଲେଶ୍ୱର    ୪.୧%
  • ଯାଜପୁର      ୩.୯%

ଓଡ଼ିଶାର ଟିପିଆର ମ୍ୟାପରେ ଏବେ କୌଣସି ଜିଲ୍ଲା ରେଡ୍ ଜୋନରେ ନାହିଁ । କେବଳ ନୟାଗଡ଼ ଓ ମୟୂରଭଞ୍ଜର ସଂକ୍ରମଣ ହାର ୟେଲୋ ଜୋନରେ ରହିଛି । ତେବେ ଅନ୍ୟ ସମସ୍ତ ଜିଲ୍ଲାରେ ଟିପିଆର ୫ ପ୍ରତିଶତ ତଳେ ଥିବାରୁ ଏଗୁଡିକୁ ଗ୍ରୀନ୍ ଜୋନରେ ରଖିଛି ସ୍ୱାସ୍ଥ୍ୟ ବିଭାଗ ।

ଅନ୍ୟପଟେ ଏବେ ସକ୍ରିୟ ଆକାନ୍ତଙ୍କୁ ନେଇ ସ୍ୱାସ୍ଥ୍ୟ ବିଭାଗ ଜାରି କରିଥିବା କରୋନା ମ୍ୟାପରେ ଏବେ ବି ଖୋର୍ଦ୍ଧା ଓ କଟକ ରେଡ୍ ଜୋନରେ ରହିଛି । ଖୋର୍ଦ୍ଧାରେ ୪,୯୨୮ ସକ୍ରିୟ ଆକ୍ରାନ୍ତ ଥିବା ବେଳେ କଟକରେ ୩,୭୯୧ ଆକ୍ରାନ୍ତ ଏବେ ବି ଚିକିତ୍ସିତ ହେଉଛନ୍ତି । ପୁରୀ, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଂଜ ଜିଲ୍ଲା ୟେଲୋ ଜୋନରେ ରହିଛି । ଗ୍ରୀନ ଜୋନରେ ଥିବା ୨୩ ଜିଲ୍ଲାରେ ହଜାରେ ତଳେ ରହିଛନ୍ତି ସକ୍ରିୟ ସଂକ୍ରମଣ ।