କନକ ବ୍ୟୁରୋ: ଦକ୍ଷିଣ ଆଫ୍ରିକାରେ କରୋନା ଭାଇରସର ନୂଆ ଭାରିଆଣ୍ଟ ‘ଓମିକ୍ରନ୍’ ସାମ୍ନାକୁ ଆସିବା ପରେ ଏବେ ସାରା ବିଶ୍ୱରେ ଏହାକୁ ନେଇ ଭୟ ଦେଖିବାକୁ ମିଳିଛି । ଅନେକ ଦେଶର ବୈଜ୍ଞାନିକ ଏହି ନୂଆ ଭାରିଆଣ୍ଟକୁ ନେଇ ଚିନ୍ତା ପ୍ରକଟ କରିବା ସହିତ ଏହାର ଭୟାବହତା କେତେ ହୋଇପାରିବ ତାକୁ ନେଇ ଗବେଷଣା ଆରମ୍ଭ କରିଲେଣି । ଅନ୍ୟପଟେ କୋଭିଡ୍ ଭ୍ୟାକ୍ସିନ ନିର୍ମାତା କମ୍ପାନୀ ଗୁଡିକ ମଧ୍ୟ ନିଜ ନିଜର ଟିକାକୁ ଅଧିକ ବିକଶିତ କରିବାକୁ କାମ ଆରମ୍ଭ କରିଥିବା ଖବର ମିଳିଛି ।

Advertisment

ଆମେରିକାର ଟିକା ନିର୍ମାତା କମ୍ପାନୀ ନୋଭାଭାକ୍ସ କହିଛି ଯେ, ନୂଆ ଭାରିଆଣ୍ଟକୁ ଦେଖି ସେମାନେ ଭ୍ୟାକ୍ସିନ ଉପରେ କାମ ଆରମ୍ଭ କରିଦେଲେଣି । ଆଗାମୀ କିଛି ସପ୍ତାହ ଭିତରେ ଭ୍ୟାକ୍ସିନର ଟେଷ୍ଟିଂ ଓ ଉତ୍ପାଦନ ମଧ୍ୟ ଆରମ୍ଭ ହୋଇପାରେ । ତେବେ ନୋଭାଭାକ୍ସ କମ୍ପାନୀର କହିବା ଅନୁସାରେ, ସେମାନେ ଏକ ସ୍ପାଇକ୍ ପ୍ରୋଟିନ୍ ତିଆରି କରୁଛନ୍ତି, ଯାହା ନୂଆ ଭାରିଆଣ୍ଟକୁ ରୋକିବାକୁ ଆମ ଶରୀରରେ ଇମ୍ୟୁନିଟି ବଢାଇବ ।

କୋଭିଡର ନୂଆ ଭାରିଆଣ୍ଟ ବି.୧.୧୫୨୯ ଚଳିତ ସପ୍ତାହରେ ପ୍ରଥମ କରି ଦକ୍ଷିଣ ଆଫ୍ରିକାରେ ଦେଖିବାକୁ ମିଳିଥିଲା । ଏହାର ସଂକ୍ରମଣ ହାର ଅଧିକ ଥିବାବେଳେ, ଏହା ପୂର୍ବ ଭାରିଆଣ୍ଟ ତୁଳନାରେ ଅଧିକ ଭୟଙ୍କର ହୋଇପାରେ ବୋଲି ଅନୁମାନ କରାଯାଉଛି । ଗତ ଶୁକ୍ରବାର ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏହାକୁ ନେଇ ଚିନ୍ତା ପ୍ରକଟ କରିବା ସହିତ ଏହାର ନାମ ଓମିକ୍ରନ ରଖିଥିଲେ । ତେବେ ଟିକା ନିର୍ମାତା କମ୍ପାନୀଗୁଡିକ ମଧ୍ୟ ଭାଇରସର ଏହି ନୂଆ ଭାରିଆଣ୍ଟକୁ ଦେଖି କାମ ଆରମ୍ଭ  କରିଛନ୍ତି । ନୋଭାଭାକ୍ସ କମ୍ପାନୀର ମୁଖପାତ୍ର କହିଛନ୍ତି, ସେମାନେ କିଛି ସପ୍ତାହ ଭିତରେ କାମ ଆରମ୍ଭ କରିଦେବେ । ସେହିପରି ବାଏଟେକ୍ ଓ ଜନସନ୍ ଆଣ୍ଡ ଜନସନ୍ କମ୍ପାନୀ ମଧ୍ୟ ଓମିକ୍ରନ ଭାରିଆଣ୍ଟ ଉପରେ ଟେଷ୍ଟ କରୁଥିବା ସୂଚନା ଦେଇଛନ୍ତି ।