ରାଜ୍ୟରେ ୨୭୧ ନୁହେଁ ୨୭୦ ପଜିଟିଭ । ଆଜି ଖୋର୍ଦ୍ଧାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମହାରାଷ୍ଟ୍ରର ଟ୍ରକ ଡ୍ରାଇଭର । ଦୁର୍ଘଟଣା ପରେ ଏମ୍ସରେ ଭର୍ତ୍ତି ହୋଇଥିଲେ । ଆଜି ଖୋର୍ଦ୍ଧାରୁ କୌଣସି ପଜିଟିଭ ଆସିନି ।

825

କନକ ବ୍ୟୁରୋ: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କମିଛି । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ପୂର୍ବରୁ କୁହାଯାଇଥିଲା ଯେ, ଆଜି ସନ୍ଧ୍ୟାରେ ୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେଥିରୁ ୨୪ ଜଣ ଗଂଜାମ ଜିଲ୍ଲାର ହୋଇଥିବା ବେଳେ ଜଣେ ଖୋର୍ଦ୍ଧା ଜିଲ୍ଲାର । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୧ରେ ପହଞ୍ଚିଛି ବୋଲି କୁହାଯାଇଥିଲା। କିନ୍ତୁ ପ୍ରକୃତରେ ଖୋର୍ଦ୍ଧା ଜିଲ୍ଲାରୁ ଯେଉଁ ୫୧ ତମ ବ୍ୟକ୍ତିଙ୍କ ବାବଦରେ କୁହାଯାଉଥିଲା, ସେ ହେଉଛନ୍ତି ମହାରାଷ୍ଟ୍ରର ବାସିନ୍ଦା । ସେ ହେଉଛନ୍ତି ମୁମ୍ବାଇର ଜଣେ ଟ୍ରକ ଚାଳକ । ଓଡ଼ିଶାରେ ଏକ ଟ୍ରକ ଦୁର୍ଘଟଣାର ଶିକାର ହେବା ପରେ ତାଙ୍କୁ ଭୁବନେଶ୍ୱରସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା । ପରେ ସେ ପଜିଟିଭ ଚିହ୍ନଟ ହୋଇଥିଲେ । କିନ୍ତୁ ଏହି ବ୍ୟକ୍ତି ଜଣକ ମହାରାଷ୍ଟ୍ର ସରକାରଙ୍କ କରୋନା ତାଲିକାରେ ଯୋଡ଼ି ହେବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଖୋର୍ଦ୍ଧା ଜିଲ୍ଲାରୁ ଏଯାଏଁ ମୋଟ ୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ ୩୨ ଜଣ ସୁସ୍ଥ ହୋଇଥିବା ବେଳେ ୧୬ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ତେବେ ୨ ଜଣ ବୃଦ୍ଧଙ୍କ ମୃତ୍ୟୁ ହୋଇଛି ।

୧୮ଟି ଜିଲ୍ଲାରୁ ମୋଟ ୨୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଂଜାମ ଜିଲ୍ଲାରୁ ସର୍ବାଧିକ ୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁର ଜିଲ୍ଲାରୁ ଦ୍ୱିତୀୟ ସର୍ବାଧିକ ୫୫ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୦ ଜଣ, ବାଲେଶ୍ୱର ଜିଲ୍ଲାରୁ ୨୭ ଜଣ, ଭଦ୍ରକ ଜିଲ୍ଲାରୁ ୨୪ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୨ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୮ ଜଣ, ଜଗତସିଂହପୁର ଜିଲ୍ଲାରୁ ୫ ଜଣ, ମୟୂରଭଂଜ ଜିଲ୍ଲାରୁ ୪ ଜଣ, ବଲାଙ୍ଗୀର, ଝାରସୁଗୁଡ଼ା, କେନ୍ଦୁଝର, କଟକ ଓ କଳାହାଣ୍ଡି ଜିଲ୍ଲାରୁ ୨-୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏତଦ ବ୍ୟତୀତ କୋରାପୁଟ, ଦେବଗଡ଼, ଢେଙ୍କାନାଳ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏପର୍ୟ୍ୟନ୍ତ ୬୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୨୦୬ ଜଣ ସକ୍ରିୟ ଆକାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । କରୋନା ସଂକ୍ରମଣରେ କେବଳ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛନ୍ତି ।