କନକ ବ୍ୟୁରୋ : ଗୁଗୁଲ୍ ସର୍ଚ୍ଚ ଇଂଜିନ୍ରେ କୌଣସି ବ୍ୟାଙ୍କ, କମର୍ସିଆଲ ୱେବ୍ସାଇଟ୍ ବା ପ୍ରତିଷ୍ଠିତ କମ୍ପାନିର କଷ୍ଟମର୍ କେୟାର୍ ନମ୍ବର ଖୋଜୁଥିଲେ, ସାବଧାନ ! ସତ୍ୟାସତ୍ୟ ଯାଞ୍ଚ ନ କରି ଉକ୍ତ ନମ୍ବରରେ ଫୋନ୍ କଲେ ଆପଣ ବଡ଼ଧରଣର ଠକେଇର ଶିକାର ହୋଇପାରନ୍ତି । ସାଇବର୍ ଠକମାନେ ଗୁଗୁଲ୍ ପ୍ଲାଟ୍ଫର୍ମ ବ୍ୟବହାର କରି ଲୋକଙ୍କୁ ଠକିବାର ଏକ ନୂଆ ତରିକା ଆପଣାଇଛନ୍ତି । କଷ୍ଟମର୍ କେୟାର୍ ନାଁ’ରେ ଗୁଗୁଲ୍ରେ ନକଲି ନମ୍ବର ଜାରି କରୁଛନ୍ତି । କୌଣସି ସମସ୍ୟାରେ ପଡ଼ି ଯଦି ଜଣେ ସେହି ନମ୍ବରରେ ଯୋଗାଯୋଗ କରେ, ଠକ ତାଙ୍କଠାରୁ ସବୁ ଗୋପନୀୟ ତଥ୍ୟ ହାସଲ କରି ତାଙ୍କ ଆକାଉଣ୍ଟ ଖାଲି କରିଦେଉଛି । ଏଭଳି ସାଇବର ଠକେଇ ଯଦିଓ ନୂଆ ନୁହେଁ, କିନ୍ତୁ ମାତ୍ରାଧିକ ଲୋକେ ଏବେ ଏହି ଠକେଇର ଶିକାର ହେଉଛନ୍ତି । ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।
ଡିସିପିଙ୍କ ସୂଚନାନୁଯାୟୀ, କେବଳ ଚଳିତ ମାସରେ ଅର୍ଥାତ୍ ୨୦ ଦିନ ମଧ୍ୟରେ ପ୍ରାୟ ୨୦ରୁ ୨୫ ଲକ୍ଷ ଟଙ୍କା ଠକେଇ ହୋଇସାରିଲାଣି । ସବୁ ଠକେଇରେ ସମାନତା ହେଉଛି, ଲୋକେ ଗୁଗୁଲ୍ରେ କୌଣସି ବ୍ୟାଙ୍କ୍ର ବା କମର୍ସିଆଲ୍ ୱେବସାଇଟ୍ରେ ଟଙ୍କା ନେଣଦେଣ ପାଇଁ ସମସ୍ୟା ହେବାରୁ ଗୁଗୁଲ୍ରେ ଉକ୍ତ ସଂସ୍ଥାର କଷ୍ଟମର କେୟାର ନମ୍ବର୍ ପ୍ରଥମେ ଖୋଜାଯାଇଛି । ତା’ପରେ ସାଇବର ଠକ ଦ୍ବାରା ପ୍ରଦତ୍ତ ନମ୍ବରକୁ କଲ୍ କରି ଠକେଇର ଶିକାର ହେଉଛନ୍ତି । ତେବେ ଏ ସଂକ୍ରାନ୍ତରେ ଭୁବନେଶ୍ବର ସାଇବର୍ ହେଲ୍ପ-ଡେସ୍କରେ ନଭେମ୍ବର ମାସରେ ୧୦ଟି ଅଭିଯୋଗ ଆସିଥିବା ବେଳେ ଭୁବନେଶ୍ବରର ବିଭିନ୍ନ ଥାନାରେ ମଧ୍ୟ ଅଭିଯୋଗ ହୋଇଛି । ଏପରିକି କଟକ କ୍ରାଇମ୍ବ୍ରାଞ୍ଚ୍ର ସାଇବର ବିଭାଗକୁ ଲୋକେ ସିଧାସଳଖ ଫୋନ୍ କରି ଅଭିଯୋଗ କରିଥିବା ସେ ସ୍ପଷ୍ଟ କରିଛନ୍ତି ।
ଜାଣନ୍ତୁ ଏଥିରୁ ବର୍ତ୍ତିବେ କେମିତି ?
ଟଙ୍କା ନେଣଦେଣ ସମୟରେ ବ୍ୟାଙ୍କଜନିତ କୌଣସି ସମସ୍ୟା ଉପୁଜୁ ଅବା ପ୍ରତିଷ୍ଠିତ କମ୍ପାନି କମର୍ସିଆଲ୍ ୱେବସାଇଟ୍ରେ ଜିନିଷ କିଣାବିକା ହେଉ, ସବୁ କ୍ଷେତ୍ରରେ ସଂସ୍ଥାର କଷ୍ଟମର କେୟାର ନମ୍ବର୍ ଖୋଜିବା ସମୟରେ ଉକ୍ତ କମ୍ପାନିର ନିଜସ୍ବ ୱେବସାଇଟ୍ ଯାଇ ନମ୍ବର ଖୋଜନ୍ତୁ । ଏହା ପରେ ଯୋଗାଯୋଗ କରନ୍ତୁ । ଯଦି ଭୁଲ୍ବଶତଃ ସାଇବର ଠକର ଜାଲରେ ପଡ଼ନ୍ତି, ନିଜ ବ୍ୟାଙ୍କ୍ ଆକାଉଣ୍ଟ୍ର ସବିଶେଷ ତଥ୍ୟ ଦିଅନ୍ତୁ ନାହିଁ କି କୌଣସି ଟ୍ରାଞ୍ଜାକ୍ସନ୍ ଆଇଡି ସେୟାର୍ କରନ୍ତୁ ନାହିଁ । ସେହିଭଳି ଠକେଇର ଶିକାର ହେଲେ ସଙ୍ଗେସଙ୍ଗେ ବ୍ୟାଙ୍କ୍ କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ସାଇବର ଥାନାରେ ଅଭିଯୋଗ କରନ୍ତୁ ।