କନକ ବ୍ୟୁରୋ: ଚୀନକୁ ପଛରେ ପକାଇ ବିଶ୍ୱର ସବୁଠୁ ଜନବହୁଳ ଦେଶରେ ପରିଣତ ହୋଇଛି ଭାରତ । କିନ୍ତୁ ଯେଉଁ ଅନୁପାତରେ ଭାରତର ଜନସଂଖ୍ୟା ବଢୁଛି, ସେହି ଅନୁପାତରେ ଲୋକଙ୍କ ମୁଣ୍ଡ ପିଛା ଆୟ ବଢୁନି କିମ୍ବା ଦେଶର ବିକାଶ ହେଉନି । ଯାହା ଭାରତ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ବିଶ୍ୱ ଅର୍ଥନୀତି କ୍ଷେତ୍ରରେ ଏବେ ଭାରତ ଯୋଗଦାନ ୧୩% ରହିଥିବା ବେଳେ ଚୀନର ୨୩ % ରହିଛି । ତେଣୁ ଭାରତକୁ ଭିତ୍ତିଭୂମି, ସହରୀକରଣ, ଦକ୍ଷତା ବିକାଶ ଏବଂ ଉତ୍ପାଦନ ଉପରେ ଗୁରୁତ୍ୱ ଦେବାକୁ ବୁମରବର୍ଗ ଇକୋନୋମିକ୍ସ କହିଛି । ୨୦୪୦ ସୁଦ୍ଧା ଭାରତରେ ସହରର ଜନସଂଖ୍ୟା ୨୭ କୋଟି ବଢିବା ନେଇ ଆକଳନ କରାଯାଇଛି । କିନ୍ତୁ ଭାରତରେ ସହରୀକରଣ ସେହି ଅନୁପାତରେ ବଢୁନାହିଁ । ବିଶ୍ୱ ବ୍ୟାଙ୍କ ତଥ୍ୟ ଅନୁସାରେ ୧୯୬୫ରେ ଉଭୟ ଭାରତ ଏବଂ ଚୀନରେ ପ୍ରାୟ ୨୦% ଲୋକ ସହରରେ ରହୁଥିଲେ । ୨୦୨୦ ସୁଦ୍ଧା ଚୀନର ୬୦%ରୁ ଅଧିକ ଲୋକ ସହରରେ ରହୁଥିବା ବେଳେ ଭାରତରେ ୪୦ ପ୍ରତିଶତରୁ କମ ଲୋକ ସହରରେ ରହୁଛନ୍ତି।

Advertisment

ଯେଉଁ ଭଳି ଭାବେ ଦେଶରେ ଜନସଂଖ୍ୟା ବଢୁଛି ସେହି ଅନୁପାତରେ ବିକାଶ ହେଉନି । ବିଶ୍ୱ ବ୍ୟାଙ୍କ ରିପୋର୍ଟ ମୁତାବକ ଭାରତର ଜିଡିପି ୩.୧୮ ଡଲାର ଟ୍ରିଲିୟନ ଥବା ବେଳେ ଚୀନର ୧୭.୭୩ ଡଲାର ଟ୍ରିଲିୟନ ଅଛି । ଜିଡିପି ବଢୁନଥିବାରୁ ଭାତରେ ମୁଦ୍ରାସ୍ଫିତି ସହ ବେକାରୀ ସମସ୍ୟା ବଢିବାରେ ଲାଗିଛି । ହ୍ୱିବକ୍ସ ରିପୋର୍ଟ ଅନୁସାରେ, ଭାରତର ଅଧା ଗ୍ରାଜୁଏସନଧାରୀଙ୍କ ପାଖରେ ଚାକିରି ନାହିଁ । ଚୀନରେ ବେକାରୀ ୪. ୮ % ରହିଥିବା ବେଳେ ଭାରତରେ ୭.୭% ରହିଛି । ଚୀନରେ ମୁଦ୍ରାସ୍ଫିତୀ ୧% ରହିଥିବା ବେଳେ ଭାରତରେ ୫.୧% ଅଛି । କିନ୍ତୁ ୨୦୧୪ ପରଠୁ ଭିତିଭୂମିରେ ଭାରତରେ ବିକାଶ ହୋଇଛି । ଜାତୀୟ ରାଜପଥ, ରେଲୱେ, ବିମାନବନ୍ଦରର ବିକାଶ ପାଇଁ ସରକାର ଏବେ ଗୁରୁତ୍ୱ ଦେଉଛନ୍ତି । ଭାରତ ଏବେ ବିଶ୍ୱର ସବୁଠୁ ପ୍ରଗତିଶୀଳ ଅର୍ଥନୀତି ହୋଇଥିବାରୁ ଜନସଂଖ୍ୟା ବୃଦ୍ଧି ଏତେଟା ପ୍ରଭାବ ପକାଇବ ନାହି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ସାମଗ୍ରୀକ ବିକାଶ ହେଲେ ଦେଶ ବିକାଶ ହୁଏ କୁହାଯାଏ, କିନ୍ତୁ ଚୀନ ତୁଳନାରେ ଭାରତରେ ମହିଳା କର୍ମଚାରୀଙ୍କ ସଂଖ୍ୟା ବହୁତ କମ । ଚୀନର ପ୍ରାୟ ୪୫ % ମହିଳା କମଚାରୀ ଥିବା ବେଳେ ଭାରତରେ ମାତ୍ର ୨୨% ରହିଛି । ଏସବୁ ଦିଗ ପ୍ରତି ସରକାର ଗୁରୁତ୍ୱ ଦେବା ସହ ଜନସଂଖ୍ୟା କମାଇବା ପାଇଁ ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ ବୋଲି କୁହାଯାଉଛି ।