ଓଡିଶାକୁ ବିକାଶର ରାସ୍ତା ଦେଖାଇଛନ୍ତି ନବୀନ । ମମତା ଯୋଜନା ଠାରୁ ଆରମ୍ଭ କରିଛନ୍ତି ହରିଶ୍ଚନ୍ଦ୍ର ଯୋଜନା ।

Advertisment
ଓଡିଶାକୁ ବିକାଶର ରାସ୍ତା ଦେଖାଇଛନ୍ତି ନବୀନ । ମମତା ଯୋଜନା ଠାରୁ ଆରମ୍ଭ କରିଛନ୍ତି ହରିଶ୍ଚନ୍ଦ୍ର ଯୋଜନା ।

Bhubaneswar: Odisha Chief Minister and Biju Janata Dal (BJD) leader Naveen Patnaik during a press conference where he announced the first list of candidates for the Lok Sabha and Assembly polls, in Bhubaneswar on March 18, 2019. In the first list, the BJD announced candidates for nine Lok Sabha and 54 for Assembly constituencies. (Photo: IANS)

କନକ ବ୍ୟୁରୋ: ନିର୍ବାଚନ ପରେ ନିର୍ବାଚନ କିପରି ଜିତାଯାଏ, କିପରି ବିରୋଧୀଙ୍କ ରଣନୀତିକୁ ମାତ ଦେଇ ବିଜୟର ବାନା ଉଡାଯାଏ । ଦେଶର ସାମ୍ପ୍ରତିକ ରାଜନୀତିରେ ସବୁଠୁ ଆଗରେ ରହିଛନ୍ତି ନବୀନ ପଟ୍ଟନାୟକ । ଲୋକଙ୍କ ପ୍ରକୃତ ସମସ୍ୟା ବୁଝିବା ଓ ଏହାର ସମାଧାନ ପାଇଁ ପଦକ୍ଷେପ ନେଇ ବାରମ୍ବାର ନିଜକୁ ଜଣେ ଜନପ୍ରିୟ ନେତା ଭାବେ ପ୍ରମାଣିତ କରିଛନ୍ତି ସେ । ପଞ୍ଚାୟତ ନିର୍ବାଚନ ହେଉ କି ସାଧାରଣ ନିର୍ବାଚନ, ସବୁ ନିର୍ବାଚନକୁ ଗୁରୁତ୍ୱ ଦେଇ ଆସିଛନ୍ତି ନବୀନ ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ କାର୍ଡ 

୨୦୨୨ ପଞ୍ଚାୟତ ନିର୍ବାଚନର ପ୍ରାୟ ୬ ମାସ ପୂର୍ବରୁ ଆରମ୍ଭ ହୋଇଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଣ୍ଟନ । ଗାଁ ଗାଁରେ ସ୍ମାର୍ଟ କାର୍ଡ ଜରିଆରେ ପହଁଚିବାକୁ ହୋଇଛି ରଣନୀତି । ଏହି ଯୋଜନାରେ ୯୬ ଲକ୍ଷ ପରିବାକୁ କାର୍ଡ ବଣ୍ଟାଯିବ, ସାଢେ ୩ କୋଟି ଲୋକ ଏଥିରେ ଉପକୃତ ହେବେ । ହସ୍ପିଟାଲରେ କାହାକୁ କୈାଣସି କାଗଜପତ୍ର ଦେବାକୁ ପଡିବ ନାହିଁ । ସ୍ମାର୍ଟ ହେଲଥ କାର୍ଡ ପାଖରେ ଥିଲେ, ମିଳିବ ମାଗଣା ଚିକିତ୍ସା ସୁବିଧା ।

ଏସସିବି ହେବ ଏମ୍ସ ପ୍ଲସ୍ 

ସ୍ୱାସ୍ଥ୍ୟ କ୍ଷେତ୍ରରେ ମୌଳିକ ଭିତ୍ତିଭୂମିର ବିକାଶ ପାଇଁ ନିରନ୍ତର ପ୍ରୟାସ ଚଳାଇଛନ୍ତି ନବୀନ ପଟ୍ଟନାୟକ । ୨୦୦୦ ମସିହା ବେଳକୁ ରାଜ୍ୟରେ ୩ଟି ମେଡିକାଲ କଲେଜ ଥିଲା । ଆଉ ୮ ଟି ମେଡିକାଲ କଲେଜର ଗଠନ ଦିଗରେ ପଦକ୍ଷେପ ନିଆଯାଇଛି । ଏସସିବି ମେଡିକାଲ କଲେଜକୁ ଏମସ ପ୍ଲସରେ ପରିଣତ କରିବାକୁ ୧ ହଜାର କୋଟିର ବ୍ୟବସ୍ଥା କରାଯାଇଛି ।

ସ୍ମାର୍ଟ ସ୍କୁଲ ଯୋଜନା

ଘରୋଇ ସ୍କୁଲ ଭଳି ସରକାରୀ ସ୍କୁଲ ହେଉଛି ସ୍ମାର୍ଟ । ଏହି ଯୋଜନାରେ ପୂରା ବଦଳିଯିବ ସ୍କୁଲ ଗୁଡିକର ଢାଞ୍ଚା । ହିଞ୍ଜିଳିରେ ଆରମ୍ଭ ହୋଇଥିବା ସ୍କୁଲ ରୂପାନ୍ତରଣ କାର୍ଯ୍ୟ ସାରା ରାଜ୍ୟରେ ପ୍ରତିଫଳିତ ହେବ । ପର୍ଯ୍ୟାୟ କ୍ରମେ ଓଡ଼ିଶାର ସବୁ ସ୍କୁଲ ହେବ ଏପରି ରୂପାନ୍ତରଣ ।

ଓଡ଼ିଶା ପାଲଟିଛି ଦେଶର ସ୍ପୋର୍ଟସ୍ ହବ୍

୨୦୧୮ରେ ଭାରତୀୟ ମହିଳା ଓ ପୁରୁଷ ହକି ଦଳର ସ୍ପନସର ହେବାକୁ ଘୋଷଣା କରିଥିଲେ ଓଡିଶା ସରକାର । ଯେଉଁ ବିଶ୍ୱାସର ସହ ୩ ବର୍ଷ ତଳେ ଓଡିଶା, ହକି ଖେଳାଳିଙ୍କ ଉପରେ ରଖିଥିଲା, ତାର ସୁଫଳ ମିଳିଛି । ଅଲିମ୍ପିକ୍ସରେ ପୁରୁଷ ହକି ଟିମ୍ ବ୍ରୋଞ୍ଜ ପଦକ ଜିତିବା ଏବଂ ମହିଳା ହକି ଦଳର ଳଢ଼ୁଆ ପ୍ରଦର୍ଶନ ପରେ ଜାତୀୟ ସ୍ତରରେ ଓଡିଶାର ପ୍ରଶଂସାରେ ଶତମୁଖ ହୋଇଛନ୍ତି ବିଶିଷ୍ଟ ବ୍ୟକ୍ତି । ବିଶ୍ୱ ହକି ମାନଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦଖଲ କରିଛି ଓଡ଼ିଶା । ହକି ବିଶ୍ୱକପ୍, ଅଲିମ୍ପିକ୍ସ କ୍ୱାଲିଫାୟର, ହକି ୱାର୍ଲଡ ଚାମ୍ପିୟନସିପ୍ ଆୟୋଜନ କରି ଓଡିଶା, ହକିର ସଫଳତାର ଅଧ୍ୟାୟରେ ନୂଆ ଫର୍ଦ୍ଦ ଯୋଡିଚାଲିଛି । ଭାରତୀୟ କ୍ରୀଡ଼ାରେ ଅଣଦେଖା ହୋଇ ଆସୁଥିବା ଓଡ଼ିଶା ଆଜି ଦେଶର କ୍ରୀଡ଼ା କ୍ୟାପିଟାଲ୍ ହେବାକୁ ଯାଉଛି । କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ନବୀନଙ୍କ ଯୋଜନା ଲୋକଙ୍କୁ ଆକର୍ଷିତ କରିଛି ।

ପର୍ଯ୍ୟଟନ କ୍ଷେତ୍ର ଓ ତୀର୍ଥଭୂମିର ବିକାଶ

୨୦ ବର୍ଷର ଏହି ଅବଧିରେ ପର୍ଯ୍ୟଟନ କ୍ଷେତ୍ରକୁ ଅବହେଳିତ କରି ରଖିବାର ଯେଉଁ ଦାଗ ସରକାରଙ୍କ ଦେହରେ ଲାଗିଥିଲା, ତାକୁ ପଞ୍ଚମ ପାଳିରେ ଦୂର କରିବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ବଡଦାଣ୍ଡରୁ ଆରମ୍ଭ କରି ଶ୍ରୀକ୍ଷେତ୍ରର କୋଣ ଅନୁକୋଣ ସବୁଠି ଦେଖିବାକୁ ମିଳୁଛି ବିକାଶର ଛାପ । ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ହେଉ କି ସମ୍ବଲପୁରର ସମଲେଶ୍ୱରୀ ମନ୍ଦିର, ରୂପରେଖ ବଦଳାଇବା ପାଇଁ ଯୋଜନା ହୋଇଛି ।

କାଳିଆ ଯୋଜନା

କୃଷି ଓ କୃଷକଙ୍କ ଉନ୍ନତି ପାଇଁ କାଳିଆ ଯୋଜନା ଘୋଷଣା କରି ୨୦୧୯ ନିର୍ବାଚନ ପୂର୍ବରୁ ନବୀନ ଖେଳିଥିଲେ ମାଷ୍ଟର ଷ୍ଟ୍ରୋକ୍ । ଦେଶର ବିଭିନ୍ନ ରାଜ୍ୟରେ କୃଷି ଋଣ ଛାଡ଼ ନେଇ ଯେତେବେଳେ ପ୍ରତିଯୋଗିତା ଚାଲିଥିଲା, କାଳିଆ ଯୋଜନା ଘୋଷଣା କରି ସମସ୍ତଙ୍କୁ ଚକିତ କରି ଦେଇଥିଲେ ନବୀନ ।

ମହିଳା ସଶକ୍ତିକରଣ

ମହିଳା ସଶକ୍ତିକରଣ କ୍ଷେତ୍ରରେ ସାରା ଦେଶରେ ପଥ ପ୍ରଦର୍ଶକ ହୋଇଛି ଓଡ଼ିଶା । ଲକ୍ଷ ଲକ୍ଷ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ପ୍ରୋତ୍ସାହନ ଦେଇ ସ୍ୱାବଲମ୍ବୀ କରିବା କ୍ଷେତ୍ରରେ ରାଜ୍ୟକୁ ମିଳିଛି ଏକ ବଡ଼ ଉପଲବ୍ଧି ।

ମୋ ସରକାର 

ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହେବା ପରେ ନବୀନଙ୍କ ଫୋକସରେ ରହିଛି, ପ୍ରଶାସନିକ ଦକ୍ଷତା ବୃଦ୍ଧି, ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା ଓ ଜନତାଙ୍କୁ ସେବା ଯୋଗାଇବା ପାଇଁ ସରକାରଙ୍କ ଉତ୍ତରଦାୟିତ୍ୱ । ଫାଇଟ୍-ଟି ଅର୍ଥାତ୍ ଟେକ୍ନୋଲୋଜି, ଟ୍ରାନ୍ସପରେନ୍ସି, ଟିମ୍ ୱାର୍କ, ଟାଇମ୍ ଏବଂ ଟ୍ରାନ୍ସଫରମେସନ୍ ଏହି ୫ଟି ମୂଳମନ୍ତ୍ର ଆଧାରରେ ରାଜ୍ୟରେ ଆରମ୍ଭ ହୋଇଛି ନବୀନଙ୍କ ସବୁଠୁ ମହତକାଂକ୍ଷୀ କାର୍ଯ୍ୟକ୍ରମ - ‘ମୋ ସରକାର’ । ଦୁର୍ନୀତି ବିରୋଧରେ ଲଢ଼େଇକୁ ଜୋରଦାର କରି ଅନେକ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ନବୀନ ସରକାର ।

ଟଙ୍କିକିଆ ଚାଉଳ ଯୋଜନାରୁ ମୋ’ ସରକାର କାର୍ଯ୍ୟକ୍ରମ । ଗୋଟିଏ ପଟେ ଗରିବ ଲୋକଙ୍କ ଆଖିରୁ ଲୁହ ପୋଛିବାକୁ ପ୍ରୟାସ, ଅନ୍ୟ ପଟେ ଲୋକଙ୍କୁ ସେବା ଯୋଗାଇ ଦେବା ପାଇଁ ସରକାରଙ୍କ ଉତ୍ତରଦାୟତ୍ୱ । ଏହାରି ମଧ୍ୟରେ ଲମ୍ବିଛି ନବୀନ ସରକାରଙ୍କ ମାଳ ମାଳ ଯୋଜନା । ଅସହାୟ, ଆଦିବାସୀ, ମହିଳା, ବୃଦ୍ଧବୃଦ୍ଧା ଓ ଅବହେଳିତ ବର୍ଗଙ୍କ ମୁହଁରେ ହସ ଫୁଟାଇବା ପାଇଁ ମମତା ଯୋଜନା ଠାରୁ ଆରମ୍ଭ କରି ହରିଶ୍ଚନ୍ଦ୍ର ଯୋଜନା ପର୍ଯ୍ୟନ୍ତ କରି ଅଦ୍ଭୁତପୂର୍ବ ସଫଳତା ପାଇଛନ୍ତି ନବୀନ । ୨୧ ବର୍ଷର ଶାସନ କାଳରେ, ଏକ ଦେବାଳିଆ ରାଜ୍ୟର ଦୁର୍ନାମ ଭିତରୁ ଓଡ଼ିଶାକୁ ବାହାର କରି ବିକାଶର ନୂଆ ରାସ୍ତା ଦେଖାଇବାରେ ସଫଳ ହୋଇଛନ୍ତି ନବୀନ । ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାରେ ନିବେଶ କରିବାକୁ ଆଗେଇ ଆସିଛନ୍ତି ଦେଶର ବଛା ବଛା ଶିଳ୍ପପତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe