ଓଡିଶାକୁ ବିକାଶର ରାସ୍ତା ଦେଖାଇଛନ୍ତି ନବୀନ । ମମତା ଯୋଜନା ଠାରୁ ଆରମ୍ଭ କରିଛନ୍ତି ହରିଶ୍ଚନ୍ଦ୍ର ଯୋଜନା ।

189

କନକ ବ୍ୟୁରୋ: ନିର୍ବାଚନ ପରେ ନିର୍ବାଚନ କିପରି ଜିତାଯାଏ, କିପରି ବିରୋଧୀଙ୍କ ରଣନୀତିକୁ ମାତ ଦେଇ ବିଜୟର ବାନା ଉଡାଯାଏ । ଦେଶର ସାମ୍ପ୍ରତିକ ରାଜନୀତିରେ ସବୁଠୁ ଆଗରେ ରହିଛନ୍ତି ନବୀନ ପଟ୍ଟନାୟକ । ଲୋକଙ୍କ ପ୍ରକୃତ ସମସ୍ୟା ବୁଝିବା ଓ ଏହାର ସମାଧାନ ପାଇଁ ପଦକ୍ଷେପ ନେଇ ବାରମ୍ବାର ନିଜକୁ ଜଣେ ଜନପ୍ରିୟ ନେତା ଭାବେ ପ୍ରମାଣିତ କରିଛନ୍ତି ସେ । ପଞ୍ଚାୟତ ନିର୍ବାଚନ ହେଉ କି ସାଧାରଣ ନିର୍ବାଚନ, ସବୁ ନିର୍ବାଚନକୁ ଗୁରୁତ୍ୱ ଦେଇ ଆସିଛନ୍ତି ନବୀନ ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ କାର୍ଡ 

୨୦୨୨ ପଞ୍ଚାୟତ ନିର୍ବାଚନର ପ୍ରାୟ ୬ ମାସ ପୂର୍ବରୁ ଆରମ୍ଭ ହୋଇଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଣ୍ଟନ । ଗାଁ ଗାଁରେ ସ୍ମାର୍ଟ କାର୍ଡ ଜରିଆରେ ପହଁଚିବାକୁ ହୋଇଛି ରଣନୀତି । ଏହି ଯୋଜନାରେ ୯୬ ଲକ୍ଷ ପରିବାକୁ କାର୍ଡ ବଣ୍ଟାଯିବ, ସାଢେ ୩ କୋଟି ଲୋକ ଏଥିରେ ଉପକୃତ ହେବେ । ହସ୍ପିଟାଲରେ କାହାକୁ କୈାଣସି କାଗଜପତ୍ର ଦେବାକୁ ପଡିବ ନାହିଁ । ସ୍ମାର୍ଟ ହେଲଥ କାର୍ଡ ପାଖରେ ଥିଲେ, ମିଳିବ ମାଗଣା ଚିକିତ୍ସା ସୁବିଧା ।

ଏସସିବି ହେବ ଏମ୍ସ ପ୍ଲସ୍ 

ସ୍ୱାସ୍ଥ୍ୟ କ୍ଷେତ୍ରରେ ମୌଳିକ ଭିତ୍ତିଭୂମିର ବିକାଶ ପାଇଁ ନିରନ୍ତର ପ୍ରୟାସ ଚଳାଇଛନ୍ତି ନବୀନ ପଟ୍ଟନାୟକ । ୨୦୦୦ ମସିହା ବେଳକୁ ରାଜ୍ୟରେ ୩ଟି ମେଡିକାଲ କଲେଜ ଥିଲା । ଆଉ ୮ ଟି ମେଡିକାଲ କଲେଜର ଗଠନ ଦିଗରେ ପଦକ୍ଷେପ ନିଆଯାଇଛି । ଏସସିବି ମେଡିକାଲ କଲେଜକୁ ଏମସ ପ୍ଲସରେ ପରିଣତ କରିବାକୁ ୧ ହଜାର କୋଟିର ବ୍ୟବସ୍ଥା କରାଯାଇଛି ।

ସ୍ମାର୍ଟ ସ୍କୁଲ ଯୋଜନା

ଘରୋଇ ସ୍କୁଲ ଭଳି ସରକାରୀ ସ୍କୁଲ ହେଉଛି ସ୍ମାର୍ଟ । ଏହି ଯୋଜନାରେ ପୂରା ବଦଳିଯିବ ସ୍କୁଲ ଗୁଡିକର ଢାଞ୍ଚା । ହିଞ୍ଜିଳିରେ ଆରମ୍ଭ ହୋଇଥିବା ସ୍କୁଲ ରୂପାନ୍ତରଣ କାର୍ଯ୍ୟ ସାରା ରାଜ୍ୟରେ ପ୍ରତିଫଳିତ ହେବ । ପର୍ଯ୍ୟାୟ କ୍ରମେ ଓଡ଼ିଶାର ସବୁ ସ୍କୁଲ ହେବ ଏପରି ରୂପାନ୍ତରଣ ।

ଓଡ଼ିଶା ପାଲଟିଛି ଦେଶର ସ୍ପୋର୍ଟସ୍ ହବ୍

୨୦୧୮ରେ ଭାରତୀୟ ମହିଳା ଓ ପୁରୁଷ ହକି ଦଳର ସ୍ପନସର ହେବାକୁ ଘୋଷଣା କରିଥିଲେ ଓଡିଶା ସରକାର । ଯେଉଁ ବିଶ୍ୱାସର ସହ ୩ ବର୍ଷ ତଳେ ଓଡିଶା, ହକି ଖେଳାଳିଙ୍କ ଉପରେ ରଖିଥିଲା, ତାର ସୁଫଳ ମିଳିଛି । ଅଲିମ୍ପିକ୍ସରେ ପୁରୁଷ ହକି ଟିମ୍ ବ୍ରୋଞ୍ଜ ପଦକ ଜିତିବା ଏବଂ ମହିଳା ହକି ଦଳର ଳଢ଼ୁଆ ପ୍ରଦର୍ଶନ ପରେ ଜାତୀୟ ସ୍ତରରେ ଓଡିଶାର ପ୍ରଶଂସାରେ ଶତମୁଖ ହୋଇଛନ୍ତି ବିଶିଷ୍ଟ ବ୍ୟକ୍ତି । ବିଶ୍ୱ ହକି ମାନଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦଖଲ କରିଛି ଓଡ଼ିଶା । ହକି ବିଶ୍ୱକପ୍, ଅଲିମ୍ପିକ୍ସ କ୍ୱାଲିଫାୟର, ହକି ୱାର୍ଲଡ ଚାମ୍ପିୟନସିପ୍ ଆୟୋଜନ କରି ଓଡିଶା, ହକିର ସଫଳତାର ଅଧ୍ୟାୟରେ ନୂଆ ଫର୍ଦ୍ଦ ଯୋଡିଚାଲିଛି । ଭାରତୀୟ କ୍ରୀଡ଼ାରେ ଅଣଦେଖା ହୋଇ ଆସୁଥିବା ଓଡ଼ିଶା ଆଜି ଦେଶର କ୍ରୀଡ଼ା କ୍ୟାପିଟାଲ୍ ହେବାକୁ ଯାଉଛି । କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ନବୀନଙ୍କ ଯୋଜନା ଲୋକଙ୍କୁ ଆକର୍ଷିତ କରିଛି ।

ପର୍ଯ୍ୟଟନ କ୍ଷେତ୍ର ଓ ତୀର୍ଥଭୂମିର ବିକାଶ

୨୦ ବର୍ଷର ଏହି ଅବଧିରେ ପର୍ଯ୍ୟଟନ କ୍ଷେତ୍ରକୁ ଅବହେଳିତ କରି ରଖିବାର ଯେଉଁ ଦାଗ ସରକାରଙ୍କ ଦେହରେ ଲାଗିଥିଲା, ତାକୁ ପଞ୍ଚମ ପାଳିରେ ଦୂର କରିବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ବଡଦାଣ୍ଡରୁ ଆରମ୍ଭ କରି ଶ୍ରୀକ୍ଷେତ୍ରର କୋଣ ଅନୁକୋଣ ସବୁଠି ଦେଖିବାକୁ ମିଳୁଛି ବିକାଶର ଛାପ । ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ହେଉ କି ସମ୍ବଲପୁରର ସମଲେଶ୍ୱରୀ ମନ୍ଦିର, ରୂପରେଖ ବଦଳାଇବା ପାଇଁ ଯୋଜନା ହୋଇଛି ।

କାଳିଆ ଯୋଜନା

କୃଷି ଓ କୃଷକଙ୍କ ଉନ୍ନତି ପାଇଁ କାଳିଆ ଯୋଜନା ଘୋଷଣା କରି ୨୦୧୯ ନିର୍ବାଚନ ପୂର୍ବରୁ ନବୀନ ଖେଳିଥିଲେ ମାଷ୍ଟର ଷ୍ଟ୍ରୋକ୍ । ଦେଶର ବିଭିନ୍ନ ରାଜ୍ୟରେ କୃଷି ଋଣ ଛାଡ଼ ନେଇ ଯେତେବେଳେ ପ୍ରତିଯୋଗିତା ଚାଲିଥିଲା, କାଳିଆ ଯୋଜନା ଘୋଷଣା କରି ସମସ୍ତଙ୍କୁ ଚକିତ କରି ଦେଇଥିଲେ ନବୀନ ।

ମହିଳା ସଶକ୍ତିକରଣ

ମହିଳା ସଶକ୍ତିକରଣ କ୍ଷେତ୍ରରେ ସାରା ଦେଶରେ ପଥ ପ୍ରଦର୍ଶକ ହୋଇଛି ଓଡ଼ିଶା । ଲକ୍ଷ ଲକ୍ଷ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ପ୍ରୋତ୍ସାହନ ଦେଇ ସ୍ୱାବଲମ୍ବୀ କରିବା କ୍ଷେତ୍ରରେ ରାଜ୍ୟକୁ ମିଳିଛି ଏକ ବଡ଼ ଉପଲବ୍ଧି ।

ମୋ ସରକାର 

ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହେବା ପରେ ନବୀନଙ୍କ ଫୋକସରେ ରହିଛି, ପ୍ରଶାସନିକ ଦକ୍ଷତା ବୃଦ୍ଧି, ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା ଓ ଜନତାଙ୍କୁ ସେବା ଯୋଗାଇବା ପାଇଁ ସରକାରଙ୍କ ଉତ୍ତରଦାୟିତ୍ୱ । ଫାଇଟ୍-ଟି ଅର୍ଥାତ୍ ଟେକ୍ନୋଲୋଜି, ଟ୍ରାନ୍ସପରେନ୍ସି, ଟିମ୍ ୱାର୍କ, ଟାଇମ୍ ଏବଂ ଟ୍ରାନ୍ସଫରମେସନ୍ ଏହି ୫ଟି ମୂଳମନ୍ତ୍ର ଆଧାରରେ ରାଜ୍ୟରେ ଆରମ୍ଭ ହୋଇଛି ନବୀନଙ୍କ ସବୁଠୁ ମହତକାଂକ୍ଷୀ କାର୍ଯ୍ୟକ୍ରମ – ‘ମୋ ସରକାର’ । ଦୁର୍ନୀତି ବିରୋଧରେ ଲଢ଼େଇକୁ ଜୋରଦାର କରି ଅନେକ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ନବୀନ ସରକାର ।

ଟଙ୍କିକିଆ ଚାଉଳ ଯୋଜନାରୁ ମୋ’ ସରକାର କାର୍ଯ୍ୟକ୍ରମ । ଗୋଟିଏ ପଟେ ଗରିବ ଲୋକଙ୍କ ଆଖିରୁ ଲୁହ ପୋଛିବାକୁ ପ୍ରୟାସ, ଅନ୍ୟ ପଟେ ଲୋକଙ୍କୁ ସେବା ଯୋଗାଇ ଦେବା ପାଇଁ ସରକାରଙ୍କ ଉତ୍ତରଦାୟତ୍ୱ । ଏହାରି ମଧ୍ୟରେ ଲମ୍ବିଛି ନବୀନ ସରକାରଙ୍କ ମାଳ ମାଳ ଯୋଜନା । ଅସହାୟ, ଆଦିବାସୀ, ମହିଳା, ବୃଦ୍ଧବୃଦ୍ଧା ଓ ଅବହେଳିତ ବର୍ଗଙ୍କ ମୁହଁରେ ହସ ଫୁଟାଇବା ପାଇଁ ମମତା ଯୋଜନା ଠାରୁ ଆରମ୍ଭ କରି ହରିଶ୍ଚନ୍ଦ୍ର ଯୋଜନା ପର୍ଯ୍ୟନ୍ତ କରି ଅଦ୍ଭୁତପୂର୍ବ ସଫଳତା ପାଇଛନ୍ତି ନବୀନ । ୨୧ ବର୍ଷର ଶାସନ କାଳରେ, ଏକ ଦେବାଳିଆ ରାଜ୍ୟର ଦୁର୍ନାମ ଭିତରୁ ଓଡ଼ିଶାକୁ ବାହାର କରି ବିକାଶର ନୂଆ ରାସ୍ତା ଦେଖାଇବାରେ ସଫଳ ହୋଇଛନ୍ତି ନବୀନ । ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାରେ ନିବେଶ କରିବାକୁ ଆଗେଇ ଆସିଛନ୍ତି ଦେଶର ବଛା ବଛା ଶିଳ୍ପପତି ।