ରାଜଧାନୀ ଦିଲ୍ଲୀରେ ପ୍ରଦର୍ଶିତ ହେଲା ବହୁଚର୍ଚ୍ଚିତ ନାଟକ ‘ଆହେ ନୀଳଶଇଳ’ । ମହାପ୍ରଭୁଙ୍କ କାହାଣୀ ଦେଖିଲେ ଦିଲ୍ଲୀବାସୀ ।

200

କନକ ବ୍ୟୁରୋ: ଓଡିଶା ମଞ୍ଚ ଜଗତରେ ଚହଳ ପକାଇଥିବା ବହୁଚର୍ଚ୍ଚିତ ନାଟକ ଆହେ ନୀଳଶଇଳ ପ୍ରଥମଥର ପାଇଁ ଦେଶର ରାଜଧାନୀ ଦିଲ୍ଲୀରେ ପ୍ରଦର୍ଶିତ ହୋଇଛି । ରେଡିଓ ଚକଲେଟ୍ ପ୍ରଡକ୍ସନ ଦ୍ୱାରା ପ୍ରାୟୋଜିତ ଏହି ନାଟକକୁ ନୂଆଦିଲ୍ଲୀ ଓଡିଆ ସମାଜ ପକ୍ଷରୁ ଆୟୋଜିତ ଓଡିଶା ପର୍ବ-୨୦୨୩ ଅବସରରେ ପରିବେଷଣ କରାଯାଇଛି । ଓଡିଆ ଜାତିର ମଉଡମଣି, କୋଟି କୋଟି ଓଡିଆଙ୍କ ଆତ୍ମା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମର୍ପିତ ଏହି ଐତିହାସିକ ନାଟକକୁ ଦେଖିଛନ୍ତି ଦିଲ୍ଲୀବାସୀ । ଜବାହାରଲାଲ ନେହରୁ ଷ୍ଟାଡିୟମର ଖୋଲା ମଞ୍ଚରେ ୮୦ ଜଣ କଳାକାରଙ୍କ ଦ୍ୱାରା ୨ଘଣ୍ଟା ୧୫ ମିନିଟର ଏହି ନାଟକ ମଞ୍ଚସ୍ଥ ହୋଇଥିଲା ।

ଶ୍ରୀ ଜଗନ୍ନାଥ ଓ ଜଗନ୍ନାଥ ସଂସ୍କୃତିକୁ ବଞ୍ଚାଇବା ପାଇଁ ଓଡ଼ିଆ ଜାତି କିପରି ବଳୀଦାନ ଦେଇଥିଲେ, ତାହା ବର୍ଣ୍ଣନା ହୋଇଛି କାହାଣୀରେ । ମୋଗଲ ଶାସନ କାଳରେ ଅଗ୍ନିପରୀକ୍ଷାର ସମ୍ମୁଖୀନ ହୋଇଥିଲେ ଗଜପତି ମହାରାଜ ରାମଚନ୍ଦ୍ର ଦେବ । ଧର୍ମ, ସଂସ୍କୃତି, ରାଜନୀତି, ଅର୍ଥନୀତି, ଓଡ଼ିଆ ଜାତିର ଗର୍ବ ଓ ଗୌରବ ସବୁ କିଛି ପ୍ରଭୁ ଜଗନ୍ନାଥ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସୁରକ୍ଷା ଦେବାକୁ ଯାଇ ନିଜ ଧର୍ମ ତ୍ୟାଗ କରିଛନ୍ତି ଗଜପତି ରାମଚନ୍ଦ୍ର ଦେବ । ଏପରିକି ଶ୍ରୀମନ୍ଦିର ପ୍ରବେଶ କରିବାର ଅଧିକାର ହରାଇଥିଲେ ବି ଏହି ବଳିଦାନ ପାଇଁ ପଛଘୁଞ୍ଚା ଦେଇନାହାନ୍ତି ଗଜପତି । ଆହେ ନୀଳ ଶଇଳର କଥାବସ୍ତୁ ଏହାକୁ ନେଇ ଗତି କରିଛି । ଯାହା ଦର୍ଶକଙ୍କ ମନକୁ ଛୁଇଁ ପାରିଛି । ପାଗ ଖରାପ ସତ୍ୱେ ନାଟକ ଦେଖିବା ପାଇଁ ଲୋକଙ୍କ ଭିତରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଥିଲା ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଇନ ମନ୍ତ୍ରୀ କିରନ ରିଜିଜୁ, ସଂସ୍କୃତି ମନ୍ତ୍ରୀ ଜି.କିଷନ ରେଡ୍ଡୀ, ଓ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି, ସଂସ୍କୃତି ପ୍ରେମୀ ମଞ୍ଚସ୍ଥ ନାଟକକୁ ଦେଖିଥିଲେ । ଓଡ଼ିଶାର ଇତିହାସ ଓ ସଂସ୍କୃତି କିପରି ଜଗନ୍ନାଥଙ୍କୁ କେନ୍ଦ୍ର କରି ଘୁରି ବୁଲୁଥିଲା ଏବଂ ଜଗନ୍ନାଥଙ୍କ ସୁରକ୍ଷା ପାଇଁ କିପରି ରାଜାଙ୍କ ଠାରୁ ପ୍ରଜାଙ୍କ ପର୍ଯ୍ୟନ୍ତ ବଳିଦାନ ଦେବାକୁ ପଛଘୁଞ୍ଚା ଦେଉନଥିଲେ, ତାହା ବର୍ଣ୍ଣନା ହୋଇଛି ଏହି ନାଟକରେ । ଚଳିତବର୍ଷ ଓଡିଶା ପର୍ବର ବିଷୟବସ୍ତୁ ରହିଛି ଅନନ୍ୟ ଓଡିଶା । ୩ ଦିନିଆ ଓଡିଶା ପର୍ବ କାର୍ଯ୍ୟକ୍ରମରେ ଓଡିଶା କଳା ସଂସ୍କୃତି ଓ ଐତିହ୍ୟ ସଂପର୍କରେ ଏକାଧିକ ବିଷୟବସ୍ତୁକୁ ଉପସ୍ଥାପନ କରାଯିବ ।