କନକ ବ୍ୟୁରୋ: ପୂର୍ବତନ ପୋଲିସ ଡିଜି ବିଦ୍ୟା ଭୂଷଣ ମହାନ୍ତିଙ୍କ ପୁଅ ବିତ୍ତିହୋତ୍ରା ମହାନ୍ତିଙ୍କ ମୃତ୍ୟୁ ହୋଇଛି। ଷ୍ଟୋମାକ କ୍ୟାନସରରେ ପୀଡ଼ିତ ହୋଇ ବିତ୍ତିହୋତ୍ର ଚିକିତ୍ସାଧୀନ ଥିଲେ। ବହୁ ଚର୍ଚ୍ଚିତ ଜର୍ମାନୀ ଯୁବତୀଙ୍କ ସହ ଦୁଷ୍କର୍ମ ଅଭିଯୋଗରେ ୭ ବର୍ଷ କାରାଦଣ୍ଡ ପାଇଥିଲେ ବିତ୍ତିହୋତ୍ର । ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିବା ସମୟରେ ଜୀବନ ହାରିଲେ ବିତ୍ତିହୋତ୍ର ମହାନ୍ତି । ଷ୍ଟୋମାକ କ୍ୟାନସରରେ ପୀଡ଼ିତ ଥିଲେ ବିତ୍ତିହୋତ୍ର । ପୂର୍ବରୁ କଟକ ସ୍ଥିତ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଚିକିତ୍ସିତ ହେଉଥିଲେ । ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରୁ ଏମ୍ସକୁ ଆସିଥିଲେ । ଦେଢ ମାସ ଚିକିତ୍ସା ଚାଲିଲା , କିନ୍ତୁ ଶେଷରେ ତାଙ୍କର ମୃତ୍ୟୁ ହୋଇଛି ।

Advertisment

ବିତ୍ତିହୋତ୍ର ମହାନ୍ତି ଓଡିଶାର ଚର୍ଚ୍ଚିତ ଚେହରା । କେବଳ ଓଡିଶା କାହିଁକି, ରାଜସ୍ଥାନ ଓ କେରଳରେ ବି ସେ ଥିଲେ ବେଶ ପରିଚିତ । ବହୁ ଚର୍ଚ୍ଚିତ ଜର୍ମାନୀ ଯୁବତୀଙ୍କ ସହ ଦୁଷ୍କର୍ମ ଅଭିଯୋଗରେ ୭ ବର୍ଷ କାରାଦଣ୍ଡ ପାଇଥିଲେ ବିତ୍ତିହୋତ୍ର । ପୂର୍ବତନ ଜେଲ ବିଭାଗ ଡିଜି ବିଦ୍ୟାଭୂଷଣ ମହାନ୍ତିଙ୍କ ପୁଅ ବିତ୍ତିହୋତ୍ର ୨୦୦୬ରେ ଚର୍ଚ୍ଚାକୁ ଆସିଥିଲେ । ରାଜସ୍ଥାନର ଅଲଓ୍ୱାରରେ ଜର୍ମାନୀ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଘଟଣାରେ ଗିରଫ ହୋଇଥିଲେ ବିତ୍ତିହୋତ୍ର । ଶୁଣାଣୀର ମାତ୍ର ୯ ଦିନ ପରେ ବିତ୍ତିହୋତ୍ରଙ୍କୁ ଦଣ୍ଡାଦେଶ ହୋଇଥିଲା । ଜେଲରେ କିଛି ଦିନ ରହିଲା ପରେ ମାଙ୍କ ଦେହ ଖରାପ କହି ପାରୋଲ ଆବେଦନ କରିଥିଲେ । କିନ୍ତୁ ଆଉ ଜେଲକୁ ଫେରିନଥିଲେ ବରଂ ଫେରାର ହୋଇଯାଇଥିଲେ ବିତ୍ତିହୋତ୍ର । ଏହାପରେ ବଦଳିଯାଇଥିଲା ନାଁ ଓ ଠିକଣା । କେରଳର ଏକ ବ୍ୟାଙ୍କରେ ଚାକିରୀ କରୁଥିଲେ ଆଉ ବିତ୍ତିହୋତ୍ର ପାଲଟିଯାଇଥିଲେ ରାଘବରାଜନ । କିନ୍ତୁ ଏହି ମିଛ ପରିଚୟରେ ବେଶୀ ଦିନ ରହିପାରିଲେନି । ଶେଷରେ ପୋଲିସ ହାତରେ ଧରାପଡିଲେ ବିତ୍ତିହୋତ୍ର। ୨୦୧୩ରୁ ୨୦୧୭ ଯାଏ ରାଜସ୍ଥାନର ଜୟପୁର ଜେଲର କାରାଗାରରେ କଟିଲା ତାଙ୍କ ସମୟ । ୨୦୧୭ରେ ସର୍ତ୍ତମୂଳକ ଜାମିନ ରେ ଓଡିଶା ଆସିଥିଲେ ବିତ୍ତିହୋତ୍ର।

ଜୁନ ମାସରେ ଜେଲରେ ଆତ୍ମସମର୍ପଣ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶକୁ ମାନି ଜୁନ ୪ ତାରିଖରେ ଚୌଦ୍ୱାର ଜେଲରେ ପହଞ୍ଚିଥିଲେ । କିନ୍ତୁ ସେତେବେଳକୁ କ୍ୟାନସରର ଚତୁର୍ଥ ଷ୍ଟେଜରେ ଥିଲେ ବିତ୍ତିହୋତ୍ର । ସ୍ୱାସ୍ଥ୍ୟ ବିଗିଡିବାରୁ ଜେଲ କର୍ତ୍ତୃପକ୍ଷ ତାଙ୍କୁ କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଚିକିତ୍ସା କରାଇଲେ । ପରେ ଭୁବନେଶ୍ୱର ଏମ୍ସରେ ଚାଲିଲା ଚିକିତ୍ସା । ଆଉ ଶେଷରେ କର୍କଟ ରୋଗରେ ତାଙ୍କର ମୃତ୍ୟୁ ହୋଇଛି । ମାଜିଷ୍ଟ୍ରେଟ ଓ ତାଙ୍କ ସଂପର୍କୀୟଙ୍କ ଉପସ୍ଥିତିରେ ଶବ ବ୍ୟବଛେଦ ହୋଇଛି । ସମସ୍ତ ପ୍ରକ୍ରିୟାର ଭିଡିଓ ରେକର୍ଡିଂ କରାଯାଇଛି ।