ଇଣ୍ଡିଆ ମେଣ୍ଟ ସରକାରକୁ ଆସିଲେ ଜୁଲାଇ ୪ରୁ ଗରିବ ପରିବାରର ମହିଳାଙ୍କ ଆକାଉଣ୍ଟକୁ ଆସିବ ୮୫୦୦ ଟଙ୍କା । ରାହୁଲ କହିଲେ, ଦେଶର ଆର୍ଥିକ ଇଞ୍ଜିନ ଷ୍ଟାର୍ଟ କରିବ କଂଗ୍ରେସ ।

214

କନକ ବ୍ୟୁରୋ : ବଲାଙ୍ଗୀରରେ ରାହୁଲ ଗାନ୍ଧୀଙ୍କ ପ୍ରଚାର । କୋଶଳ କଳାମଣ୍ଡଳ ସମାବେଶରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ । ଜନସଭାକୁ ସମ୍ବୋଧିତ କରି ରାହୁଲ କହିଛନ୍ତି, ଏ ଯେଉଁ ଲଢେଇ ଚାଲିଛି ତାହା ୨ ବିଚାରଧାରା ମଧ୍ୟରେ ରହୁଛି । କିନ୍ତୁ ପ୍ରଥମଥର କୌଣସି ରାଜନୈତିକ ଦଳ ଦେଶକୁ କହିଛି ଯେ, ନିର୍ବାଚନ ଜିତିଲେ ଦେଶର ସମ୍ବିଧାନକୁ ପରିବର୍ତ୍ତନ କରିଦେବେ । ଏହି ସମ୍ବିଧାନ ଦେଶର ସବୁ ବର୍ଗଙ୍କୁ ଅଧିକାର ଦେଇଛି । ବିଜେପିର ବଡ ବଡ ନେତା କହୁଛନ୍ତି, ନିର୍ବାଚନ ଜିତିଲେ ସମ୍ବିଧାନ ଚିରିକି ଫୋପାଡିଦେବେ । କିନ୍ତୁ ଦୁନିଆର କୌଣସି ଶକ୍ତି ନାହିଁ ଯେ ଏହି ସମ୍ବିଧାନରେ ହାତ ମାରିଦେବ ।
ଯଦି ଏହି ସମ୍ବିଧାନକୁ ଚିରିବାକୁ ବିଜେପି ଚେଷ୍ଟା କରେ ତେବେ କଂଗ୍ରେସ ଓ ଦେଶବାସୀ ଚୁପ୍ ବସିବେନି । ବିଜେପି ନେତା କହୁଛନ୍ତି, ଯଦି ଆମେ ଜିତିବୁ ସଂରକ୍ଷଣକୁ ଶେଷ କରିଦେବୁ । ପୂରା ପବ୍ଲିକ ସେକ୍ଟରକୁ ଉଦ୍ୟୋଗପତିଙ୍କୁ ବିକିଛନ୍ତି । ୨୨ ଜଣ ଉଦ୍ୟୋଗପତିଙ୍କର ୧୬ ଲକ୍ଷ କୋଟି ଋଣ ଛାଡ କରିଛନ୍ତି । ୨୪ ବର୍ଷର ମନରେଗା ଟଙ୍କା ୨୨ ଉଦ୍ୟୋଗପତିଙ୍କୁ ଦେଇଛନ୍ତି । ଭାରତର ଗରିବ ଲୋକଙ୍କ ମୁଣ୍ଡ ଉପରେ ଏତେ ବୋଝ ବିଜେପି ଲଦିଛି ଯେ, ଯେଉଁଥିରୁ ବାହାରକୁ ଆସିବା ସହଜ ନୁହେଁ ।ସରକାର ଦେଶବାସୀଙ୍କ ପାଇଁ ନୁହେଁ ବରଂ ୨୨ ଜଣ ଉଦ୍ୟୋଗପତିଙ୍କ ପାଇଁ କାମ କରୁଛି । ଭାରତରେ ୫୦% ପଛୁଆବର୍ଗ ଲୋକ, ୧୫% ଦଳିତ, ୮% ଆଦିବାସୀ, ୧୫% ଅଳ୍ପସଂଖ୍ୟକ , ୫% ସାଧାରଣ ଗରିବ ପରିବାର ଅଛନ୍ତି । କିନ୍ତୁ ଦେଶରେ ଏମାନଙ୍କର ଭାଗିଦାରୀ ନାହିଁ । ଗରିବ ଲୋକଙ୍କ ସ୍ୱର ଗଣମାଧ୍ୟମରେ ଦେଖାଯାଉନାହିଁ । ଚାଷୀ ଆତ୍ମହତ୍ୟା କଲେ ଏହାକୁ ଗଣମାଧ୍ୟମ ଦେଖାଉନାହିଁ କିନ୍ତୁ ଅମ୍ବାନୀ ପରିବାରର ବାହାଘର ନଚେତ ମୋଦୀଙ୍କ କାର୍ଯ୍ୟକ୍ରମ ଦେଖାଉଛନ୍ତି । ଗଣମାଧ୍ୟମରେ ପଛୁଆବର୍ଗର ବ୍ୟକ୍ତି କେହି ନାହାନ୍ତି । ଯେଉଁଥିପାଇଁ ୯୦% ଭାରତୀୟଙ୍କ ସ୍ୱର ଗଣମାଧ୍ୟରେ ଦେଖାଯାଉନାହିଁ ।

ଜିଏସଟିରେ ସାଧାରଣ ଲୋକ ଟଙ୍କା ଦେଉଛନ୍ତି କିନ୍ତୁ ଉଦ୍ୟୋଗପତିଙ୍କୁ ଋଣ ଛାଡ କରାଯାଉଛି । କିନ୍ତୁ କଂଗ୍ରେସ ସମସ୍ତଙ୍କୁ ନ୍ୟାୟ ଦେବାକୁ ଜାତି ଜନଗଣନାର ନିଷ୍ପତ୍ତି ନେଇଛି । ଯାହାଦ୍ୱାରା କେଉଁ କ୍ଷେତ୍ରରେ କେଉଁ ବର୍ଗର ଲୋକ କେତେ ଅଛନ୍ତି ତାହା ସ୍ପଷ୍ଟ ହୋଇଛନ୍ତି । ଜାତି ଜନଗଣନାକୁ ନେଇ ଗଣମାଧ୍ୟମରେ କେବେ କିଛି ଦେଖିବାକୁ ପାଇବେନି । କାରଣ ଏହାଦ୍ୱାରା ଉଦ୍ୟୋଗପତି ସମସ୍ୟାରେ ପଡିବେ । ବିଜେପି ୨୨ ଜଣଙ୍କୁ କୋଟିପତି କରିଛି କିନ୍ତୁ କଂଗ୍ରେସ କୋଟି କୋଟି ଲୋକଙ୍କୁ ଲକ୍ଷପତି କରିବାକୁ ନିଷ୍ପତ୍ତି ନେଇଛି । ଏନେଇ ନିର୍ବାଚନ ଇସ୍ତାହାରରେ ଉଲ୍ଲେଖ କରିଛୁ । ୪ ଜୁନ୍ ୨୦୨୪ରେ ଇଣ୍ଡିଆ ମେଣ୍ଟର ସରକାର ହେବ । ଏହାର ଠିକ୍ ପରେ ଭାରତର ସବୁ ଗରିବ ଲୋକଙ୍କ ତାଲିକା ପ୍ରସ୍ତୁତ କରାଯିବ । ଯେଉଁଥିରେ ସବୁ ବର୍ଗର ଗରିବ ପରିବାରର ଲୋକ ରହିବେ । ପ୍ରତି ଗରିବ ପରିବାରର ଜଣେ ମହିଳାଙ୍କୁ ମାସିକ ୮୫୦୦ ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ଆସିବ । ସରକାର ଗଢିବାର ଗୋଟିଏ ମାସ ମଧ୍ୟରେ ଅଥାର୍ତ ୪ ଜୁଲାଇରେ ୮୫୦୦ ଟଙ୍କା ଆସିବ । ବାର୍ଷିକ ୧ ଲକ୍ଷ ଟଙ୍କା ଗରିବ ପରିବାରର ମହିଳାଙ୍କ ଆକାଉଣ୍ଟକୁ ଯିବ । କୋଟି କୋଟି ଗରିବ ପରିବାରର ମହିଳାଙ୍କୁ ଲକ୍ଷପତି କରିବୁ । ଏହାଦ୍ୱାରା ଆମେ ଭାରତର ଆର୍ଥିକ ଇଞ୍ଜିନ ପୁଣିଥରେ ଷ୍ଟାର୍ଟ କରିବୁ । ପେଟ୍ରୋଲ ଭଳି କାମ କରିବ ଗରିବ ମହିଳାଙ୍କ ଆକାଉଣ୍ଟକୁ ଆସିଥିବା ଟଙ୍କା । ଗାଁ ଗାଁରୁ ଏହି ଇଞ୍ଜିନ ଷ୍ଟାର୍ଟ ହେବ ।

ଭାରତର ଚାଷୀଙ୍କର ଋଣ ଛାଡ କରାଯିବ । ଚାଷୀଙ୍କ ପାଇଁ ଏମଏସପି ଗ୍ୟାରେଣ୍ଟି ଆସିବ । ମୋଦୀ ଚାଷୀଙ୍କ ପାଇଁ ୩ କଳା ଆଇନ ଆଣିଥିଲେ । କିନ୍ତୁ କଂଗ୍ରେସ ଚାଷୀଙ୍କୁ ଋଣ ଛାଡ କରିବ, ଗ୍ୟାରେଣ୍ଟି ଏମଏସପି, ଫସଲବୀମା ଟଙ୍କା ଗୋଟିଏ ମାସ ମଧ୍ୟରେ ମିଳିବ । ମନେରଗା ଶ୍ରମିକଙ୍କୁ ୪୦୦ ଟଙ୍କା ଦୈନିକ ମିଳିବ । ଆଶା ଓ ଅଙ୍ଗନବାଡି କର୍ମୀଙ୍କ ପାରିଶ୍ରମିକ ଦୁଇଗୁଣା କରିବ କଂଗ୍ରେସ । ୩୦ ଲକ୍ଷ ସରକାରୀ ଚାକିରି ଖାଲି ପଡିଛି । ଏହାକୁ ପୂରଣ କରିବା ସହ ଯୁବବର୍ଗଙ୍କ ପାଇଁ ପେହେଲି ନୌକରି ପକ୍କି ଯୋଜନା ଆଣିବୁ । ବେରୋଜଗାର ଗ୍ରାଜୁଏଟଙ୍କୁ ଗୋଟିଏ ବର୍ଷର ଚାକିରି ନିଶ୍ଚିତ ମିଳିବ ଏବଂ ଦକ୍ଷତା ବୃଦ୍ଧି ପାଇଁ ଟ୍ରେନିଂ ଦିଆଯିବ । ଏହାସହ ବେରୋଜଗାର ଯୁବକଙ୍କ ଆକାଉଣ୍ଟରେ ବାର୍ଷିକ ଏକ ଲକ୍ଷ ଟଙ୍କା ଦିଆଯିବ । ଏସବୁ ବାଦ୍ ଆମକୁ ସମ୍ବିଧାନକୁ ବଞ୍ଚାଇବାକୁ ପଡିବ । କାରଣ ଏହି ସମ୍ବିଧାନକୁ ନ ବଞ୍ଚାଇଲେ ଆମର ଅଧିକାର ଆମଠାରୁ ଛଡାଇ ନିଆଯିବ ଏବଂ ଦେଶକୁ ୨୨ ଜଣ ଉଦ୍ୟୋଗପତି ଚଳାଇବେ । ତେଣୁ ଏଭଳି ସ୍ଥିତି ଯେପରି ନ ଉପୁଜିବ ସେଥିପାଇଁ କଂଗ୍ରେସ ସରକାରକୁ ଆଣନ୍ତୁ ବୋଲି ଅପିଲ କରିଛନ୍ତି ରାହୁଲ ଗାନ୍ଧୀ ।