କନକ ବ୍ୟୁରୋ: ଘରୋଇ ସ୍କୁଲରେ ପଢ଼ିବେ ଗରିବ ପିଲା । ଅନଗ୍ରସର ବର୍ଗ ଓ ଆର୍ଥିକ ସ୍ତରରେ ଦୁର୍ବଳ ଶ୍ରେଣୀର ପିଲାମାନଙ୍କ ପାଇଁ ୨୫ ପ୍ରତିଶତ ସିଟ୍ ସଂରକ୍ଷଣ ବ୍ୟବସ୍ଥାକୁ ଏଣିକି କଡ଼ାକଡ଼ି କରାଯିବ । ଏହି ନିୟମକୁ ଘରୋଇ ସ୍କୁଲଗୁଡିକ ପାଳନ କରୁନଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ପ୍ରକ୍ରିୟାକୁ ସ୍ୱଚ୍ଛ ଓ ଅଧିକ ଉତ୍ତରଦାୟୀ କରିବା ପାଇଁ ଘରୋଇ ସ୍କୁଲରେ ଗରିବ ପିଲାଙ୍କ ଆଡମିସନ୍ ଅନଲାଇନ୍ ମାଧ୍ୟମରେ କରାଯିବ । ଏଥିପାଇଁ ଆରଟିଇ ପାରଦର୍ଶୀ ପୋର୍ଟାଲର ଶୁଭାରମ୍ଭ କରିଛି ଗଣଶିକ୍ଷା ବିଭାଗ ।

Advertisment

ଏଣିକି ବାଧ୍ୟତାମୂଳକ ହେବ ଘରୋଇ ସ୍କୁଲର ୨୫ ପ୍ରତିଶତ ସିଟରେ ଗରିବ ପିଲାଙ୍କ ଆଡମିସନ୍ । ପୂର୍ବରୁ ମଧ୍ୟ ଏହି ନିୟମ ଥିଲା ଏବଂ ଅଫଲାଇନ୍ ମୋଡରେ ଏହି ପ୍ରକ୍ରିୟା କରାଯାଉଥିଲା । ତେବେ ଘରୋଇ ସ୍କୁଲ ଏହାକୁ ମାନୁନଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲା । ୨୦୨୧-୨୨ ଶିକ୍ଷାବର୍ଷରୁ ଏହି ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ଉତ୍ତରଦାୟୀ କରିବାକୁ ଅଂଟା ଭିଡିଛି ଗଣଶିକ୍ଷା ବିଭାଗ । ରାଜ୍ୟର ସମସ୍ତ ଘରୋଇ ବିଦ୍ୟାଳୟଗୁଡିକରେ ଅନଗ୍ରସର ବର୍ଗ ଓ ଆର୍ଥିକ ସ୍ତରରେ ଦୁର୍ବଳ ଶ୍ରେଣୀର ପିଲାମାନଙ୍କ ପାଇଁ ୨୫ ପ୍ରତିଶତ ସଂରକ୍ଷିତ ସିଟରେ ଆଡମିସନ ପ୍ରକ୍ରିୟା ଅନଲାଇନରେ କରାଯିବ । ସେଥିପାଇଁ www.rteparadarshi.odisha.gov.in ୱେବ୍ ପୋର୍ଟାଲ ଉନ୍ମୋଚିିତ କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ।

ରାଇଟ୍ ଟୁ ଏଜୁକେସନ୍ ବା ଶିକ୍ଷା ଅଧିକାର ଆଇନ ଅନୁଯାୟୀ ରାଜ୍ୟ ସରକାରଙ୍କ ଠାରୁ ସ୍ୱୀକୃତି ସାର୍ଟିଫିକେଟ୍ ପାଇଥିବା ଘରୋଇ ସ୍କୁଲଗୁଡିକ ୱେବ୍ ପୋର୍ଟାଲରେ ପଂଜୀକୃତ କରିବେ । ଏହାପରେ ଯୋଗ୍ୟ ଛାତ୍ରଛାତ୍ରୀମାନେ ନିକଟ ବିଦ୍ୟାଳୟଗୁଡିକ ପାଇଁ ପୋର୍ଟାଲ ଜରିଆରେ ଆବେଦନ କରିବେ । ୨୬ ମାର୍ଚ୍ଚରୁ ୨୦ ଏପ୍ରିଲ ମଧ୍ୟରେ ପ୍ରଥମ ରାଉଣ୍ଡ ଆବେଦନ କରିପାରିବେ ଛାତ୍ରଛାତ୍ରୀ ।

ଯୋଗ୍ୟତା ଯାଂଚ ପରେ ରାଜ୍ୟସ୍ତରରେ ଅନ୍ଲାଇନ୍ ଲଟେରୀ କରାଯିବ । ଲଟେରୀ ଜରିଆରେ ଚୟନ କରାଯାଇଥିବା ଛାତ୍ରଛାତ୍ରୀମାନେ ସଂପୃକ୍ତ ବିଦ୍ୟାଳୟରେ ସିଧାସଳଖ ଆଡ୍ମିସନ୍ କରିବାରେ ସୁଯୋଗ ପାଇବେ । ଯାହାକି ଅଷ୍ଟମ ଶ୍ରେଣୀ ଶିକ୍ଷା ସମାପ୍ତ କରିବା ପର୍ଯ୍ୟନ୍ତ ଜାରି ରହିବ । ଏଥିପାଇଁ କୌଣସି ଶୁଳ୍କ ଲାଗୁ କରିବେ ନାହିଁ ଘରୋଇ ବିଦ୍ୟାଳୟ । ତେବେ ନଜର ପକାନ୍ତୁ ରାଜ୍ୟରେ କେତେ ଘରୋଇ ସ୍କୁଲ ରହିଛି –

  • ପଂଜିକୃତ ଘରୋଇ ସ୍କୁଲ ସଂଖ୍ୟା - ୬,୭୬୭
  • ଓଡ଼ିଆ ମିଡିୟମ ଘରୋଇ ସ୍କୁଲ – ୪,୯୪୭
  • ଇଂରାଜୀ ମିଡିୟମ ଘରୋଇ ସ୍କୁଲ – ୧୮୪୧
  • ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ପଢ଼ୁଛନ୍ତି ୧୧ଲକ୍ଷ ୬୨ ହଜାର ଛାତ୍ରଛାତ୍ରୀ
  • ଗରିବ ପିଲାଙ୍କ ପାଇଁ ସଂରକ୍ଷିତ ରହିଛି ମୋଟ ସିଟ୍ର ୨୫ ପ୍ରତିଶତ
  • ବାର୍ଷିକ ପ୍ରତି ଗରିବ ପିଲାଙ୍କ ପାଇଁ ସରକାର ଦେଉଛନ୍ତି ୧୮,୬୮୯ ଟଙ୍କା
  • ଡ୍ରେସ ଓ ବହିଖାତା ଦେଉଥିଲେ ପିଲା ପିଛା ମିଳୁଛି ୨୧,୨୪୭ ଟଙ୍କା