କନକ ବ୍ୟୁରୋ : କଳାହାଣ୍ଡିର ଚାଷୀମାନେ ଅପେକ୍ଷା କରିଥିଲେ ନଭେମ୍ବର ୧୫ ତାରିଖରେ ମଣ୍ଡି ଖୋଲିବ। ଦଶ ଦିନ ବିଳମ୍ବରେ ଅର୍ଥାତ୍ ୨୫ ତାରିଖରେ ଖୋଲିଲା। ହେଲେ ଧାନ କିଣାରେ ଏମିତି ବିଭ୍ରାଟ ଦେଖାଦେଲାଣି ଯେ ଚାଷୀ କ୍ବିଣ୍ଟାଲ ପିଛା ୧୯୪୦ ଟଙ୍କା ବଦଳରେ କେଜି ପିଛା ୯ ଟଙ୍କା ଅର୍ଥାତ୍ କ୍ୱିଣ୍ଟାଲ ୯ ଶହ ଟଙ୍କାରେ ଦଲାଲ ହାତରେ ଧାନ ଟେକି ଦେଉଛି। ସୁନ୍ଦରଗଡ ଜିଲ୍ଲା ସ୍ଥିତି ଆହୁରି ବିଚିତ୍ର। ଟୋକନ ପାଇଁ ବାରମ୍ବାର ସରକାରୀ ଅଫିସ ଦୌଡିବାକୁ ପଡୁଥିବାରୁ ଚାଷୀ କ୍ବିଣ୍ଟାଲ ପିଛା ୫୦୦ ଟଙ୍କା କମ୍‌ ହେଉ ପଛେ ଦୁଆର ପାଖକୁ କି ପାଖ ହାଟକୁ ଆସୁଥିବା ଦଲାଲ ହାତକୁ ଶହ ଶହ କ୍ବିଣ୍ଟାଲ ଧାନ ବିକି ଦେଉଛନ୍ତି। କେବଳ କଳାହାଣ୍ଡି କି ସୁନ୍ଦରଗଡ ନୁହେଁ, ରାଜ୍ୟର ବିଭିନ୍ନ ଜିଲ୍ଲାରେ ଧାନ କିଣା କ୍ଷେତ୍ରରେ ଦେଖାଦେଇଥିବା ଭୀଷଣ ଅବ୍ୟବସ୍ଥା ସହିତ ଏମିତି ଢଙ୍ଗରେ ପୁଣି ଥରେ ଅଭାବୀ ବିକ୍ରି ଫେରିଛି। ଚଳିତବର୍ଷ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ମାଡ଼ରେ ଚାଷୀ ଆକ୍ତାମାକ୍ତା ହୋଇଯାଇଥିବା ବେଳେ ଏବେ ପ୍ରଶାସନିକ ନିଷ୍କ୍ରିୟତା ଓ ଦଲାଲରାଜକୁ ପ୍ରତିହତ କରିପାରୁନାହିଁ। ବରଂ ଚାଷୀ ବର୍ଷକର ମୁଖ୍ୟ ଆୟକୁ ଶାଗ ମାଛ ଦରରେ ବିକ୍ରି କରିଦେବା ଆରମ୍ଭ କରିଛନ୍ତି। ଆହୁରି ବିସ୍ମୟ କଥା ହେଲା, ଗଣମାଧ୍ୟମରେ ଏ ସଂକ୍ରାନ୍ତରେ ତୁହାକୁ ତୁହା ଖବର ପ୍ରକାଶ ପାଉଛି। ସମସ୍ତେ ସବୁ ଜାଣୁଛନ୍ତି; ଅଥଚ ଠୋସ୍ ପଦକ୍ଷେପ କିଛି ନାହିଁ। ଅଧିକାରୀ-ମିଲ୍ ମାଲିକ-ଦଲାଲଙ୍କ ମଧୁଚନ୍ଦ୍ରିକା କାରଣରୁ ଏବେ ଓଡ଼ିଶାର ଚାଷୀର ଯନ୍ତ୍ରଣା ବହୁଗୁଣିତ ହୋଇଛି।

Advertisment

କିଛି ଚାଷୀଙ୍କର କହିବା କଥା ହେଲା, ପାକ୍ସ ଓ ଲ୍ୟାମ୍ପସ କର୍ମଚାରୀଙ୍କ ଆନ୍ଦୋଳନ ବେଶ୍ କିଛି ଦିନ ହେଲା ଚାଲିଛି। ଏହା ଜାଣି ବି ଖାଦ୍ୟ ଓ ଯୋଗାଣ ବିଭାଗ ଆଗତୁରା କୌଣସି ଠୋସ୍ ବା ବିକଳ୍ପ ପଦ୍ଧତି ଆପଣାଇଲେ ନାହିଁ। ହଠାତ୍ ଦୁଇ ଦିନ ତଳେ ସରକାର ବିଳିବିଳେଇ ଆନ୍ଦୋଳନରେ ଥିବା ପାକ୍ସ ଓ ଲ୍ୟାମ୍ପସ ଦାୟିତ୍ବରେ ଥିବା ସ୍ଥାନରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଧାନ କିଣିବେ ବୋଲି ଘୋଷଣା କରିଦେଲେ। ନୂଆପଡାରୁ ଯେଉଁ ଉଦାହରଣ ଆସିଛି, ସେଥିରୁ ସଙ୍କେତ ମିଳୁଛି ଯେ ପ୍ରାପ୍ୟ ଠିକ୍ ସମୟରେ ମିଳୁନଥିବାରୁ ଗତବର୍ଷମାନଙ୍କରେ ଧାନ କିଣାରେ ସାମିଲ ହୋଇଥିବା ଏସଏଚଜି ମଧ୍ୟ ଏବେ ଅନାଗ୍ରହ ପ୍ରକାଶ କଲେଣି। ଏପଟେ ନୂଆ ଏସଏଚଜି ବିନା ପ୍ରଶିକ୍ଷଣରେ ଧାନ କିପରି କିଣିବେ? ସେ ସଂକ୍ରାନ୍ତରେ ଏଯାଏ କୌଣସି ପଦକ୍ଷେପ ଜିଲ୍ଲା ପ୍ରଶାସନ ନେଇନାହାନ୍ତି। କେଉଁ ମଣ୍ଡିରେ କିଏ ଧାନ କିଣିବେ, ସେ ଏସଏଚଜି ଚିହ୍ନଟ ପ୍ରକ୍ରିୟା ବି ଶେଷ ହୋଇନାହିଁ।

ଏବେ ପ୍ରଶ୍ନ ଉଠୁଛି ଯେ କାହିଁକି ଓ କାହା ଭୁଲ କାରଣରୁ ପରିସ୍ଥିତିରେ ଟାର୍ଗେଟ ଅନୁସାରେ ମଣ୍ଡି ଖୋଲାଯାଇପାରିଲା ନାହିଁ? ପ୍ରଶାସନ ତେବେ କେଉଁ ପ୍ରସ୍ତୁତି କରି ସରକାରଙ୍କୁ ଜଣାଇଥିଲା? ଚାଷୀ ଥରେ ଟୋକନ୍ ପାଇ ଯେବେ ମଣ୍ଡିକୁ ଧାନ ଆଣି ବିକ୍ରି କରିପାରୁନାହିଁ; ସେତେବେଳେ ତାକୁ ଦ୍ବିତୀୟ ଥର ଟୋକନ୍ କେବେ ମିଳିବ? ସେ ଯାଏ ସେ କଣ ମଣ୍ଡିରେ ଅପେକ୍ଷା କରିଥିବ? ଏହି ଘଟଣାରେ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ବିଭାଗ ହାତ ବାନ୍ଧି ଚୁପ୍ ବସିବା ପଛରେ କି ବାଧ୍ୟବାଧକତା ରହିଛି, ତାହା ମଧ୍ୟ ବୁଝାପଡୁନାହିଁ।

ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତିର ଆବାହକ ଅଶୋକ ପ୍ରଧାନ କହନ୍ତି, ଗତ ୨୦ ବର୍ଷ ହେଲା ଓଡ଼ିଶାରେ ଧାନ କିଣାବିକାରେ ସରକାରୀ ଅର୍ଥ ବିନିଯୋଗ ହେଉଛି। ଏଥିରେ ପ୍ରାୟ ୧୭ ହଜାର କୋଟି ଟଙ୍କା ସରକାର ଖର୍ଚ୍ଚ କରୁଛନ୍ତି। ସରକାରଙ୍କ ଏଜେଣ୍ଟ ହିସାବରେ ଲ୍ୟାମ୍ପସ, ପାକ୍ସ, ସ୍ବୟଂ ସହାୟକ ଗୋଷ୍ଠୀ ଧାନ କିଣୁଛନ୍ତି। ଆରଏମସି ଧାନର ମାନ ନିର୍ଣ୍ଣୟ କରୁଛି। ଏହା ଭିତରେ ମିଲର୍ସ ଭୂମିକା କେଉଁଠୁ ଆସିଲା ? ବିଡ଼ମ୍ବନା ହେଲା, ଟଙ୍କାଟିଏ ବି ଖର୍ଚ୍ଚ ନକରି ଓଡ଼ିଶାରେ ମିଲର୍ସ ହିଁ ଏବେ ସର୍ବେସର୍ବା। ମିଲର୍ସ ନା ଜିଲ୍ଲାପାଳଙ୍କୁ ମାନୁଛନ୍ତି ନା ସରକାରଙ୍କୁ ଖାତିର କରୁଛନ୍ତି। ସେମାନେ ପୂରାପୂରି ଦାଦାଗିରି କରୁଛନ୍ତି।
କେବଳ ସେତିକି ନୁହେଁ, ଏହି ୨୦ ବର୍ଷ ଭିତରେ ନା ଭିତ୍ତିଭୂମି ବିକାଶ ହୋଇପାରିଲା ନା ଗୋଦାମଘର ତିଆିର ହୋଇପାରିଲା। ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେବା ସହିତ ହିନସ୍ତା ହେବା ହିଁ ସାର ହେଉଛି। ଅନେକ ଚାଷୀ ଏବେ ‘କ୍ରପ୍‌ ହୋଲିଡେ’ କଥା ଚିନ୍ତା କଲେଣି ବୋଲି ଅଶୋକ ପ୍ରଧାନ କହିଛନ୍ତି।

ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଂଗଠନର ସାଧାରଣ ସଂପାଦକ ବ୍ୟୋମକେଶ ଠାକୁର କହିଛନ୍ତି, ମିଲ୍‌ ମାଲିକଙ୍କ ମର୍ଜିରେ ଓଡ଼ିଶାରେ ଧାନ କିଣାବିକା ଚାଲିଛି। ଏଫଏକ୍ୟୁ ମାନ ଓ ଆର୍ଦ୍ରତା ଆଳରେ ଚାଷୀମାନଙ୍କଠାରୁ ମିଲ୍‌ ମାଲିକମାନେ କୁଇଣ୍ଟାଲ ପ୍ରତି ୫ରୁ ୧୦ କିଲୋଗ୍ରାମ ପର୍ଯ୍ୟନ୍ତ କଟନି ଛଟନି କରୁଛନ୍ତି। ସରକାର ଏହାର ନିରବଦ୍ରଷ୍ଟା ସାଜିଛନ୍ତି। ସରକାର ଟୋକନ୍‌ ନାମରେ ଗୋଟିଏ ମାସ ମଧ୍ୟରେ ଧାନ ବିକିବାକୁ କହୁଛନ୍ତି। ତେଣୁ ଚାଷୀ ଏହି ଅବଧି ମଧ୍ୟରେ ଅଣ୍ଡରରେଟରେ ଧାନ ବିକିବାକୁ ବାଧ୍ୟ ହେଉଛି। ବ୍ୟାଙ୍କ ଋଣରୁ ଡିସେମ୍ବର ୩୦ ମଧ୍ୟରେ ପରିଶୋଧ ନକଲେ ୧ ପ୍ରତିଶତ ସୁଧ ବଢ଼ି ୫ ପ୍ରତିଶତ ହୋଇଯାଉଛି। ତେଣୁ, ଚାଷୀ ବାଧ୍ୟ ହୋଇ ଏହି ଅବଧି ମଧ୍ୟରେ ଏମଏସପିଠାରୁ କମ୍‌ ଦାମରେ ଧାନ ବିକୁଛି।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଚଳିତବର୍ଷ ଧାନ କିଣା ଅବ୍ୟବସ୍ଥା ଗତ ଦିନର ସବୁ ରେକର୍ଡ ଭାଙ୍ଗିଦେଇଛି। ଟୋକନ୍ ସମସ୍ୟା ଠାରୁ ଆରମ୍ଭ କରି ବ୍ୟାଗ ଯାଏ ସବୁ କ୍ଷେତ୍ରରେ ଚାଷୀର ତଣ୍ଟି ମୋଡୁଛନ୍ତି। ଆହୁରି ବଡ କଥା ହେଲା, ସରଜମିନ୍ ଅନୁଧ୍ୟାନ ବେଳେ ଏକଥା ବି କୁହାଗଲା ଯେ ମିଲର ନ ଆସିଲେ ଧାନ କିଣା ହୋଇପାରିବ ନାହିଁ। ଏହା ସମ୍ପୂର୍ଣ୍ଣ ଆଇନ ବିରୁଦ୍ଧ କାର୍ଯ୍ୟ। ଚାଷୀ ଧାନ ବିକ୍ରି କରିବା ବେଳେ କୌଣସି ପରିସ୍ଥିତିରେ ବି ମିଲର ସେଠାରେ ଉପସ୍ଥିତ ରହିବ ନାହିଁ। ଏସବୁ ଉପରେ କିଏ କାର୍ଯ୍ୟାନୁଷ୍ଠାନ ନେବ?