କନକ ବ୍ୟୁରୋ: ପାରଳାଖେମୁଣ୍ଡି ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତିଙ୍କ ନାମରେ ନାମିତ ବ୍ରହ୍ମପୁରର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ଚିକିତ୍ସାଳୟ ଓ ମହାବିଦ୍ୟାଳୟ । ଷାଠିଏ ଦଶକରେ ସହରର ମଧ୍ୟଭାଗରେ ସ୍ଥାପନ ହୋଇଥିଲା ଏମକେସିଜି ମେଡିକାଲ କଲେଜ। ଉତ୍ତମ ସ୍ୱାସ୍ଥ୍ୟ ତଥା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ରାଜ୍ୟର ୩ଟି ପ୍ରମୁଖ ରେଫେରାଲ ହସିପିଟାଲ ମଧ୍ୟରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଦକ୍ଷିଣ ଓଡିଶାର ୧୦ଟି ଜିଲ୍ଲା ସମେତ ଖୋର୍ଦ୍ଧା ଜିଲ୍ଲା ଓ ପୋଡଶୀ ଆନ୍ଧ୍ର ସମୀନ୍ତ ଅଂଚଳର ରୋଗୀ ଉତମ ଚିକିତ୍ସା ଏମକେସିଜି ଉପରେ ନିର୍ଭର କରନ୍ତି । ହେଲେ ଏବେ ଏମକେସିଜି ନିଜେ ରୋଗାକ୍ରାନ୍ତ କହିଲେ ଭୁଲ ହେବ ନାହିଁ।
ବ୍ରହ୍ମପୁର ସହରର ମଧ୍ୟ ଭାଗରେ ରହିଛି ଏମକେସିଜି ମେଡିକାଲ। ଏହି ରେଫେରାଲ ଡାକ୍ତରଖାନା ଉପରେ ଦକ୍ଷିଣ ଓଡିଶାର ୧୦ଟି ଜିଲ୍ଲା ସମେତ ଖୋର୍ଦ୍ଧା ଜିଲ୍ଲା ଓ ପୋଡଶୀ ଆନ୍ଧ୍ରପ୍ରଦେଶର ରୋଗୀ ନିର୍ଭର କରିଥାନ୍ତି । ହେଲେ ଡାକ୍ତରଖାନାରେ ରୋଗୀ ପାଦ ଥାପିବା ମାତ୍ରେ ଧାଡ଼ିରେ ଠିଆ ହେବାକୁ ପଡ଼େ। ବଡି ଭୋରରୁ ଆରମ୍ଭ ହୋଇଥାଏ ଲମ୍ବା ଧାଡି । ଡାକ୍ତରଙ୍କୁ ଦେଖାଇବା ଠାରୁ ଆରମ୍ଭ କରି ବିଭିନ୍ନ ପରୀକ୍ଷା ନୀରିକ୍ଷା ପାଇଁ ଏହି ଧାଡି ପ୍ରକ୍ରିୟା ଯୋଗୁଁ ଦୂରଦୂରାନ୍ତରୁ ଆସୁଥିବା ରୋଗୀ ଓ ସଂପର୍କୀୟଙ୍କୁ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ସେପଟେ ଚିକିତ୍ସା ସମୟରେ ଶର୍ଯ୍ୟା ଅଭାବରୁ ରୋଗୀଙ୍କୁ ଚଟାଣରେ ଚିକିତ୍ସା କରାଯାଉଥିବା ମଧ୍ୟ ନଜରକୁ ଆସିଛି ।
୪୦ଜଣ ଛାତ୍ରଛାତ୍ରୀଙ୍କ ସହ ୧୯୬୨ରେ ସ୍ଥାପନ ହୋଇଥିବା ଏମକେସିଜି ମେଡିକାଲ ଓ କଲେଜର ବର୍ତ୍ତମାନ ସିଟ ସଂଖ୍ୟା ୨୫୦। ପୁରୁଣା କୋଠାକୁ ଅସୁରକ୍ଷିତ ଘୋଷଣା କରି ନୂଆ ବହୁତଳ କୋଠାରେ ଚିକିତ୍ସା ଚାଲିଛି । ମୋଟ ୩୬ଟି ବିଭାଗ ମଧ୍ୟରେ ୮ଟି ନନ୍ କ୍ଲିନିକାଲ ଓ ପାରା କ୍ଲିନିକାଲ ବିଭାଗ, ୧୭ଟି କ୍ଲିନିକାଲ ବିଭାଗ ଓ ୧୧ଟି ସୁପର ସ୍ପେଶାଲିଷ୍ଟ ବିଭାଗ ରହିଛି। ହେଲେ ବିଭିନ୍ନ ପଦବୀ ଖାଲି ପଡିଥିବାରୁ ସଠିକ୍ ଚିକିତ୍ସା ମିଳୁନଥିବା ଅଭିଯୋଗ ହୋଇଛି । ଠିକା କର୍ମଚାରୀଙ୍କ ନିଯୁକ୍ତି ସତ୍ୱେ ନନ୍ ଟିଚିଙ୍ଗ-୬୭ଟି, ନର୍ସିଂ ଅଫିସର ଓ ଷ୍ଟାଫ୍-୨୬୪, ପାରା ମେଡିକାଲ ଷ୍ଟାଫ୍ -୧୫୯ ଏବଂ ଗ୍ରୁପ୍ ସି ଓ ଡିରେ ୩୬୨ଟି ପଦବୀ ଖାଲି ପଡିଛି । ସେହିଭଳି ୧୮୦ଟି ପ୍ରଫେସର ଓ ଡାକ୍ତର ପଦବୀ ଖାଲି ପଡ଼ିଛି। ସରକାରୀ ଡାକ୍ତରଖାନା ଅପେକ୍ଷା ଡାକ୍ତରମାନେ ଘରୋଇ କ୍ଲିନିକରେ ରହୁଛନ୍ତି, ତେଣୁ ଦଲାଲମାନେ ରୋଗୀଙ୍କୁ ଘରୋଇ କ୍ଲିନିକ ମୁହାଁ କରୁଥିବା ଅଭିଯୋଗ ହୋଇଛି। ସେପଟେ ଅତ୍ୟାବଶ୍ୟକ ବର୍ଣ୍ଣ ୟୁନିଟ୍ ଖୋଲିବା ନେଇ ଦୀର୍ଘ ବର୍ଷ ବାରମ୍ବାର ଦାବୀ ହେଉଥିଲେ ହେଁ କିଛି ସୁଫଳ ମିଳିପାରିନାହିଁ।
ସେହିଭଳି ସିଟିସ୍କାନ ଦାୟିତ୍ୱ ନେଇଥିବା ଆନେକ୍ସ ହେଲ୍ଥ କେୟାର ନାମକ ଘରୋଇ ସଂସ୍ଥା ଦିନରେ ୧୦ଟି ଓ ଏମଆରଆଇର ଦାୟିତ୍ୱ ନେଇଥିବା ବ୍ରହ୍ମପୁରର ଘରୋଇ ସଂସ୍ଥା ନିଦାନ ଦିନରେ ୧୦ଟି ରୋଗୀଙ୍କ ନିରୁପଣ କରୁଥିବାରୁ କ୍ଷୋଭ ପ୍ରକାଶ ପାଇଛି। ଗତ ୨ ବର୍ଷରେ ବିଭିନ୍ନ ବିଭାଗରେ ୧୬୯ଟି ଆଇସିୟୁ ଶଯ୍ୟା ସ୍ଥାପନ ହୋଇଥିବା କହିଛନ୍ତି ମେଡିକାଲ ଅଧିକ୍ଷକ। ସେହିଭଳି କ୍ୟାନସର ବିଭାଗର କୋଠା ନିର୍ମାଣାଧନ ରହିଥିବା ବେଳେ ପୋଡାଜଳା ବିଭାଗ ସ୍ଥାପନ ପାଇଁ ଅର୍ଥ ମଞ୍ଜୁର ହୋଇସାରିଛି। ଧିରେ ଧିରେ ଧାଡି ସମସ୍ୟା ଦୁର ହୋଇଯିବ ବୋଲି କହିଛନ୍ତି ଅଧିକ୍ଷକ।
ମେଡିକାଲର ଆମୂଳଚୂଳ ସମସ୍ୟ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ଏମକେସିଜି ଗସ୍ତ ସମୟରେ ୩୦ପୃଷ୍ଟା ସମ୍ବଳିତ ଏକ ରିପୋର୍ଟ ପ୍ରଦାନ କରାଯାଇଛି। ରାଜ୍ୟରେ ସରକାର ପରିବର୍ତନ ହେବା ପରେ ଏମକେସିଜି ମେଡିକାଲର ସ୍ଥିତିରେ ପରିବର୍ତ୍ତନ ହେବା ନେଇ ଆଶା ରଖିଛନ୍ତି ସହରବାସୀ।